ରମାଦେବୀ ବିଶ୍ୱବିଦ୍ୟାଳୟରେ ବ୍ୟାପକ ଲାଞ୍ଚ କାରବାର: ୧୦୦ ଟଙ୍କା ନ ଦେଲେ ମିଳୁନି ସିଏଲ୍‌‌ସି !

ଭୁବନେଶ୍ୱର: ଲାଞ୍ଚ ନ ଦେଲେ କୌଣସି କାମ ହେଉନି। ଟ୍ରାନ୍ସଫର୍‌‌ ସାର୍ଟିଫିକେଟ୍‌‌ (ଟିସି) ଠାରୁ ଆରମ୍ଭ କରି ହଷ୍ଟେଲ୍‌‌ ଆବଣ୍ଟନ ଯାଏଁ ସବୁଠି ହାତଗୁଞ୍ଜା ଦେବାକୁ ପଡ଼ୁଛି। ନୂତନ ଭାବେ ଶିକ୍ଷାନୁଷ୍ଠାନକୁ ଆସିଥିବାରୁ ଅଭିଯୋଗ କରିବାକୁ ପିଲାମାନେ ସାହସ ଜୁଟାଇ ପାରୁ ନାହାନ୍ତି। ରାଜ୍ୟର ଏକମାତ୍ର ଓ ପ୍ରଥମ ମହିଳା ବିଶ୍ୱବିଦ୍ୟାଳୟ ‘ରମାଦେବୀ’ରେ ଖୁଲମ୍‌‌ଖୁଲା ଲାଞ୍ଚ କାରବାର ହେଉଥିବାବେଳେ ଆଜି ଏହାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି।

ସମ୍ପ୍ରତ୍ତି ନାମଲେଖା ପ୍ରକ୍ରିୟା ଜାରି ରହିଥିବାରୁ ବହୁ ସଂଖ୍ୟାରେ ଛାତ୍ରୀ ଟିସି ନେଇ ଅନ୍ୟତ୍ର ସ୍ପଟ୍‌‌ ଚୟନରେ ନାମଲେଖାଉଛନ୍ତି। ସମୟର ସ୍ୱଳ୍ପତା କାରଣରୁ ଅନେକ ସମୟରେ ଶୀଘ୍ର ଟିସି କିମ୍ବା କଲେଜ୍‌‌ ଲିଭିଂ ସାର୍ଟିଫିକେଟ୍‌‌ (ସିଏଲ୍‌‌ସି) ଦେବାକୁ ଛାତ୍ରୀମାନେ ଅନୁରୋଧ କରୁଛନ୍ତି। ଏହାର ଫାଇଦା ଉଠାଇ କିଛି ଅସାଧୁ ଅଧିକାରୀ ଲାଞ୍ଚ ନେଉଛନ୍ତି। ଆଜି କିଛି ଛାତ୍ରୀ ସିଟି ନାମଲେଖା ପାଇଁ ବିଶ୍ୱବିଦ୍ୟାଳୟକୁ ସିଏଲ୍‌‌ସି ନେବାକୁ ଆସିଥିବାବେଳେ ଏକାଡେମିକ୍‌‌ ସେକ୍ସନ୍‌‌ରେ ଲାଞ୍ଚ ମାଗୁଥିବା ଦେଖାଯାଇଛି। ନଗଦ ଆକାରରେ ମିଳୁଥବା ଲାଞ୍ଚ ଅର୍ଥକୁ ଟେବୁଲ୍‌‌ ତଳେ ଗ୍ରହଣ କରାଯାଉଛି। ସେହିପରି ଅନ୍‌‌ଲାଇନ୍‌‌ରେ ଲାଞ୍ଚ ଗ୍ରହଣ ପାଇଁ କ୍ୟୁଆର୍‌‌ କୋଡ୍‌‌ ସ୍କାନର ମଧ୍ୟ ବ୍ୟବସ୍ଥା କରିଛନ୍ତି। ଯାହାର ଫଟୋ କ୍ୟାମେରାରେ କଏଦ୍‌‌ ହୋଇଛି। ଜଣେ କର୍ମଚାରୀ ଲାଞ୍ଚ ଟଙ୍କା ସଂଗ୍ରହ କରୁଥିବାବେଳେ ନିକଟରେ ଥିବା ଅନ୍ୟ ଅଧିକାରୀମାନେ ମଧ୍ୟ ଏ ସମ୍ପର୍କରେ ଅବଗତ ଥିଲେ। ଲାଞ୍ଚ କାରବାରକୁ ଜଣେ ଅଭିଭାବକ ପ୍ରତିବାଦ କରିବା ପରେ ସମସ୍ତ ଅଧିକାରୀ ଏକ ସ୍ୱରରେ ଲାଞ୍ଚ ନେଉଥିବା ବ୍ୟକ୍ତିଙ୍କୁ ସୁରକ୍ଷା ଦେଇଥିଲେ। ଏପରିକି ‘ଆମେ ତୁମ କାମ କରାଇଲୁ ଆମକୁ ଖୁସି କରାଇବାକୁ ୧୦୦ଟଙ୍କା ଦେବାକୁ ହେବ’ ବୋଲି ମନ୍ତବ୍ୟ ଦେଇଥିଲେ। ସିଏଲ୍‌‌ସି ପାଇଁ ସରକାର ମାତ୍ର ୧୦ ଟଙ୍କା ଫି’ ଧାର୍ଯ୍ୟ କରିଛନ୍ତି। ଏଥିପାଇଁ ୧୦ ଟଙ୍କାର ରସିଦ୍‌‌ ମଧ୍ୟ ଦିଆଯାଉଛି। ମାତ୍ର ଜୋରଜବରଦସ୍ତି ପିଲାଙ୍କ ଠାରୁ ଟଙ୍କା ସଂଗ୍ରହ କରାଯାଉଛି।

ଅପରପକ୍ଷରେ ହଷ୍ଟେଲ୍‌‌ରେ ସିଟ୍‌‌ ଦେବା ପାଇଁ ମଧ୍ୟ କିଛି କର୍ମଚାରୀ ବ୍ୟାପକ ଲାଞ୍ଚ ନେଉଥିବା ଅଭିଯୋଗ ହେଉଛି। ନବାଗତ ଛାତ୍ରୀଙ୍କ ଠାରୁ ଲାଞ୍ଚ ନେଉଥିବା ଜାଣିବା ପରେ ବରିଷ୍ଠ ଶ୍ରେଣୀର ଛାତ୍ରୀମାନେ ଲାଞ୍ଚ ରୋକିବାକୁ ଅଣ୍ଟା ଭିଡ଼ିଛନ୍ତି। ଅଭିଯୋଗ ସତ୍ତ୍ବେ ଅଧିକାରୀମାନେ କର୍ଣ୍ଣପାତ କରୁ ନଥିବାରୁ ସେମାନଙ୍କୁ ଅବଗତ କରିବାକୁ ସଚେତନ କରାଯାଉଛନ୍ତି। ଯାହାକୁ ନେଇ ବିଶ୍ୱବିଦ୍ୟାଳୟର ଶୈକ୍ଷିକ ବାତାବରଣ ପ୍ରଭାବିତ ହେବା ସହ ଲାଞ୍ଚ କାରବାରର ମଞ୍ଚ ପାଲଟିଥିବା ଅଭିଯୋଗ ହୋଇଛି।

ଘଟଣା ସମ୍ପର୍କରେ କୁଳପତିଙ୍କ ପାଖରେ ଫଟୋ ପ୍ରମାଣ ସହ ଅଭିଯୋଗ କରିବା ପରେ କୁଳପତି ତଦନ୍ତ ଆରମ୍ଭ କରିଛନ୍ତି। ନାମଲେଖା ପାଇଁ ଗଠିତ କମିଟିକୁ ନେଇ ବୈଠକ କରିବା ସହ ଅଭିଯୋଗ ସମ୍ପର୍କରେ କୈଫୟତ ମାଗିଛନ୍ତି। ମାତ୍ର ଦୁଇ ଦିନ ହେଲା ଏପରି ଭାବେ ଅର୍ଥ ସଂଗ୍ରହ କରାଯାଉଥିବା କର୍ମଚାରୀମାନେ ସ୍ୱୀକାର କରିଥିବା କୁଳପତି ପ୍ରଫେସର ଜ୍ୟୋସ୍ନା କେବି ରାଉତ ସୂଚନା ଦେଇଛନ୍ତି। ସମ୍ପୃକ୍ତ କର୍ମଚାରୀଙ୍କୁ ଅନ୍ୟ ବିଭାଗକୁ ତୁରନ୍ତ ବଦଳି କରିବା ସହ ଅଧିକ ତଦନ୍ତ ଜାରି ରଖିଛନ୍ତି। ଭବିଷ୍ୟତରେ କୌଣସି କର୍ମଚାରୀ ଏପରି କାର୍ଯ୍ୟରେ ଲିପ୍ତ ଥିଲେ ସିଧା ଚାକିରିରୁ ବିଦା କରାଯିବ ବୋଲି କଡ଼ା ଚେତାବନୀ ଶୁଣାଇଛନ୍ତି। ରାଜଧାନୀର ଛାତି ଉପରେ ଥିବା ଏହି ବିଶ୍ୱବିଦ୍ୟାଳୟରେ ଖୁଲମ୍‌‌ଖୁଲା ଲାଞ୍ଚ କାରବାର ଏବେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି।

About The Author: Madhusudan Das