ଗଞ୍ଜାମ: ଗଞ୍ଜାମ ଜିଲ୍ଲା ବୈଦ୍ୟନାଥ ପୁର ଥାନା ଅନ୍ତର୍ଗତ ତଇଲୁଣ୍ଡି- କୋର୍ଟପେଟା ରାସ୍ତାରେ ଥିବା ଏକ ଲଜରୁ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବତୀଙ୍କ ଘର କେରଳ ହୋଇଥିବା ବେଳେ ତାଙ୍କ ନାଁ ଅବଦୁଲ ପରିପାଲିପ ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଗତ ୧୯ ତାରିଖରେ ଅବଦୁଲ ନିଜ ପୁରୁଷବନ୍ଧୁ ସହ ଆସି ଲଜ୍ରେ ରହୁଥିଲେ। ଉଭୟ ବ୍ରହ୍ମପୁରକୁ ମେଡିକାଲ କାମରେ ଆସିଥିବା ଲଜ କର୍ମଚାରୀଙ୍କୁ କହିଥିଲେ। ଗତକାଲି ସନ୍ଧ୍ୟାରେ ଲଜ କର୍ମଚାରୀ ସଫେଇ କରିବା ପାଇଁ ଅବଦୁଲଙ୍କ କବାଟ ବାଡେଇଥିଲେ। ହେଲେ କେହି କବାଟ ଖୋଲି ନ ଥିଲେ। ଏ ନେଇ ଲଜ୍ ପକ୍ଷରୁ ବୈଦ୍ୟନାଥପୁର ଥାନାକୁ ଖବର ଦିଆଯାଇଥିଲା। ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ରୁମର କବାଟ ଭାଙ୍ଗି ଭିତରେ ପଶିଥିଲେ। ରୁମ ଭିତରେ ଅବଦୁଲଙ୍କ ମୃତଦେହ ପଡ଼ିଥିଲା। ହେଲେ ତାଙ୍କ ପୁରୁଷ ବନ୍ଧୁ ଘଟଣା ସ୍ଥାନରୁ ଫେରାର ହୋଇଯାଇଥିଲେ। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ତେବେ ଯୁବତୀଙ୍କର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।