ବ୍ରହ୍ମପୁର: ବ୍ରହ୍ମପୁରରେ ପୋଲିସର ଏନକାଉଣ୍ଟର । ଗିରିରୋଡରେ ଦୁଇ ଜଣଙ୍କୁ ବିଚରାସ୍ତାରେ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ମୁକେଶ ସାହୁକୁ ଏନକାଉଣ୍ଟର କରିଛି ବ୍ରହ୍ମପୁର ପୋଲିସ । ଗତକାଲି ବିଳମ୍ବିତ ରାତିରେ ଟାମଣା ଘାଟିରେ ପୋଲିସ ଓ ମୁକେଶ ମୁହାଁ ମୁହିଁ ହେବା ପରେ ମୁକେଶ ପୋଲିସ ଉପରକୁ ଗୁଳି କରିଥିଲା। ପୋଲିସ ମଧ୍ୟ ମୁକେଶ ଉପରକୁ ପାଲଟା ଗୁଳି କରିଥିଲା। ପୋଲିସର ଏନକାଉଣ୍ଟରରେ ମୁକେଶର ହାତରେ ଓ ଗୋଡ଼ରେ ଗୁଳି ବାଜିଛି। ତାକୁ ଚିକିତ୍ସା ପାଇଁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ଦିନେଶକୁ ମଧ୍ୟ ପୋଲିସ ଗିରଫ କରିଛି। ସେପଟେ ଗିରିରୋଡରେ ଦୁଇ ଜଣଙ୍କୁ ବିଚ୍ ରାସ୍ତାରେ ପିଟିବା ଘଟଣାରେ ଆଉ ୨ ଜଣ ମଧ୍ୟ ଗିରଫ ହୋଇଛନ୍ତି ।
ସୂଚନାଯୋଗ୍ୟ ଯେ, ଗତ ସୋମବାର ସନ୍ଧ୍ୟାରେ ଗଜପତି ନଗର ବାସିନ୍ଦା ଉମେଶ ରଥ ଓ ତାଙ୍କ ବାନ୍ଧବୀ ଟିଫିନ୍ କରିବା ପାଇଁ ଗିରିରୋଡ଼ରେ ରହିଥିବା ବେଳେ ମୁକେଶ ଓ ଆଶିଷ ଦୁଇଭାଇ ସମେତ କିଛି ଯୁବକ ଆସି ହଠାତ୍ ଉମେଶଙ୍କୁ ବାଡ଼ିରେ ଆକ୍ରମଣ କରିଥିଲେ। ଏପରିକି ଉମେଶଙ୍କୁ ତଳେ ପକାଇ କିଛି ସମୟ ଧରି ମାଡ଼ ମାରି ଚାଲିଥିଲେ ଯୁବକମାନେ । ନୃସଂସ ଭାବେ ମାଡ଼ ମାରିବା ପରେ ରକ୍ତାକ୍ତ ଅବସ୍ଥାରେ ଉମେଶଙ୍କୁ ସେଭଳି ଛାଡ଼ିଦେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ଦୁବୃର୍ତ୍ତ। ଗୁରୁତର ଅବସ୍ଥାରେ ସ୍ଥାନୀୟ ବାସିନ୍ଦା ଉମେଶଙ୍କୁ ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରାଇଥିଲେ। ଉତ୍ତମ ଚିକିତ୍ସା ପାଇଁ ବିଶାଖାପାଟଣା ର ଏକ ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କର ଚିକିତ୍ସା ଜାରି ରହିଥିବା ଜଣାପଡିଛି।