କଟକ/ବାରିପଦା: କାଠଯୋଡ଼ି ନଦୀରୁ ମୟୂରଭଞ୍ଜ ଉଦଳା ଅଞ୍ଚଳର ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ୱ୍ରମଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ଘଟଣାରେ ପୁଲିସକୁ ସଫଳତା ମିଳିଛି। କମିଶନରେଟ୍ ପୁଲିସର ୨ଟି ସ୍ବତନ୍ତ୍ର ସ୍କ୍ୱାଡ୍ ମୟୂରଭଞ୍ଜର ବିଶୋଇ ଅଞ୍ଚଳରୁ ଚନ୍ଦ୍ରିକାଙ୍କ ପ୍ରେମିକ ଓଏଏସ୍ ଭୀମସେନ୍ ଟୁଡୁଙ୍କୁ ଗିରଫ କରିଛି। ଗିରଫ ପରେ ତାଙ୍କୁ ବାରଙ୍ଗ ଥାନାକୁ ଅଣାଯାଇଛି । ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟଣାରେ ତାଙ୍କୁ ମାରାଥନ ପଚରାଉଚୁରା କରାଯାଉଛି ।
ବାଲେଶ୍ୱର ଫକୀର ମୋହନ ମେଡିକାଲ କଲେଜର ଶେଷ ବର୍ଷର ଏମବିବିଏସ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତଦେହ ଗତ କଟକ ତ୍ରିଶୂଳିଆ କାଠଯୋଡ଼ି ନଦୀ ପଠାରୁ ଉଦ୍ଧାର କରାଯାଇଥିଲା । ଚନ୍ଦ୍ରିକାଙ୍କ ମୃତଦେହ ମିଳିବା ପରଠାରୁ ଭୀମସେନ୍ ଫେରାର୍ ଥିଲେ। ଗିରଫଦାରୀକୁ ଏଡ଼ାଇବା ପାଇଁ ସେ ପୂର୍ବରୁ ହାଇକୋର୍ଟରେ ଆଗୁଆ ଜାମିନ୍ ଆବେଦନ କରିଥିବା ବେଳେ କୌଣସି ସୁଫଳ ମିଳି ନ ଥିଲା। ଚନ୍ଦ୍ରିକାଙ୍କ ମା’ ବାରଙ୍ଗ ଥାନାରେ ଭୀମସେନ୍ଙ୍କ ନାଁରେ ଏତଲା ଦେଇଥିବା ବେଳେ ପୁଲିସ ଗତ ୮ ତାରିଖରୁ ବିଭିନ୍ନ ଅଞ୍ଚଳରେ ଚଢ଼ଉ ଜାରି ରଖିଥିଲା। ଚନ୍ଦ୍ରିକାଙ୍କ ମା’ ଝିଅ ମୃତ୍ୟୁ ପାଇଁ ଭୀମସେନ୍ ହିଁ ଦାୟୀ ବୋଲି ଥାନାରେ ଅଭିଯୋଗ କରିଥିଲେ। ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ ପାଣିରେ ବୁଡ଼ିଯିବା ଏବଂ ଶ୍ୱାସରୁଦ୍ଧ ହେବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି । ପ୍ରାଥମିକ ଅବସ୍ଥାରେ ଏହାକୁ ଏକ ଅପମୃତ୍ୟୁ ମାମଲା କୁହାଯାଉଥିଲେ ମଧ୍ୟ ଚନ୍ଦ୍ରିକାଙ୍କ ପରିବାର ଲୋକଙ୍କ ଅଭିଯୋଗ ପରେ ଘଟଣା ଭିନ୍ନ ମୋଡ଼ ନେଇଛି ।
ଏଠାରେ ସୂଚନାଯୋଗ୍ୟ ଯେ, ଫେରାର୍ ଥିବା ଚନ୍ଦ୍ରିକାଙ୍କ ଓଏଏସ୍ ପ୍ରେମିକକୁ ଖୋଜିବା ପାଇଁ ପୁଲିସ ପକ୍ଷରୁ ୨ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ତଦନ୍ତକାରୀ ଦଳକୁ ମିଳିଥିବା ସୂଚନା ମୁତାବକ, ଘଟଣା ଦିନ ଚନ୍ଦ୍ରିକା ଭୁବନେଶ୍ୱରରୁ ଏକ ଓଲା ଗାଡ଼ି ଭଡ଼ା କରି କଟକ ଉପକଣ୍ଠ ତ୍ରିଶୂଳିଆ ପର୍ଯ୍ୟନ୍ତ ଆସିଥିଲେ। ଏହି ତଥ୍ୟ ସାମ୍ନାକୁ ଆସିବା ପରେ ପୁଲିସ ତ୍ରିଶୂଳିଆ ବଜାର ଏବଂ ଏହାର ଆଖପାଖ ଅଞ୍ଚଳରେ ଲାଗିଥିବା ସମସ୍ତ ସିସିଟିଭି ଫୁଟେଜ୍ ଜବତ କରି ଯାଞ୍ଚ ଚଳାଇଥିଲା। ଏଥିସହ ଚନ୍ଦ୍ରିକାଙ୍କ ମୋବାଇଲ୍ ଫୋନ୍କୁ ଜବତ କରାଯାଇ ଯାଞ୍ଚ ପ୍ରକ୍ରିୟା ଜାରି ରହିଥିଲା। ତାଙ୍କ ମୋବାଇଲ୍ରୁ ମିଳିବାକୁ ଥିବା ଏସ୍ଏମ୍ଏସ୍ ଓ ହ୍ୱାଟର୍ସଆପ୍ ଚାଟିଂରୁ ହତ୍ୟାକାଣ୍ଡର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ମିଳିଥିଲା। ଗତ ୪ ତାରିଖରେ ତ୍ରିଶୂଳିଆ ବ୍ରିଜ୍ ନିକଟରୁ ଚନ୍ଦ୍ରିକାଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା।
ଅନ୍ୟପଟେ ମୋବାଇଲ୍ କଲ୍ ଡିଟେଲ୍ସ ରେକର୍ଡ ଅନୁଯାୟୀ, ମୃତଦେହ ମିଳିବାର ପୂର୍ବ ରାତି ପ୍ରାୟ ୯ଟାରୁ ୧୦ଟା ମଧ୍ୟରେ, ଚନ୍ଦ୍ରିକା ତ୍ରିଶୂଳିଆ ଅଞ୍ଚଳରେ ଥିଲେ। ସେ ତାଙ୍କ ଓଏଏସ୍ ପ୍ରେମିକଙ୍କ ସହ ଦୀର୍ଘ ୧୦ ମିନିଟ୍ ପର୍ଯ୍ୟନ୍ତ ଫୋନ୍ରେ କଥା ହୋଇଥିଲେ। ଏହା ହିଁ ଥିଲା ତାଙ୍କର ଶେଷ ଫୋନ୍ ବାର୍ତ୍ତାଳପ। ଉଲ୍ଲେଖଯୋଗ୍ୟ ଯେ, ଅଭିଯୁକ୍ତ ଓଏଏସ୍ ପ୍ରେମିକଙ୍କ ବାପା ଜଣେ ପୁଲିସ କନଷ୍ଟେବଲ୍ ଏବଂ ସେ ବର୍ତ୍ତମାନ ମୟୂରଭଞ୍ଜ ଜିଲ୍ଲାର ଏକ ଥାନାରେ କାର୍ଯ୍ୟ କରୁଛନ୍ତି। ପ୍ରେମ ପ୍ରତାରଣା ଏବଂ ତ୍ରିକୋଣୀୟ ପ୍ରେମ ଯୋଗୁଁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ପୁଲିସ ଜାଣି ପାରିଥିଲା।