ମନମୁଣ୍ଡା ଠାରୁ ମଣିଭଦ୍ରା ମଧ୍ୟରେ ଥିବା ମହାନଦୀ ଶଯ୍ୟାରେ ଗଛିତ ରହିଛି ବହୁ ମୂଲ୍ୟବାନ ରତ୍ନ ପଥର !

ବୌଦ୍ଧ (ଦିବ୍ୟରଞ୍ଜନ ପଟ୍ଟନାୟକ): ଓଡ଼ିଶାର ଆଧୁନିକ ସଭ୍ୟତାକୁ ପରିପୁଷ୍ଟ କରିଛି ମହାନଦୀ। ରାଜ୍ୟର ପଶ୍ଚିମରୁ ପୂର୍ବକୁ ଚିରପ୍ରବହମାନ ଧାରା ମହାନଦୀ ପାଇଁ ପଶ୍ଚିମରୁ ଉପକୂଳ ଯାଏ ଜମିରେ ସୁନା ଫଳୁଛି। ଓଡ଼ିଶାର କୃଷିକୁ ସମୃଦ୍ଧ କରିଥିବା ମହାନଦୀର ରତ୍ନଭଣ୍ଡାରକୁ ନେଇ ଅନେକ ଲିଖିତ ଓ ଲୋକଶ୍ରୁତି ରହିଛି। ସେଥିପାଇଁ ମହାନଦୀ ଓ ତେଲ ନଦୀର ସଂଗମସ୍ଥଳ ମଣିମୁଣ୍ଡ ବା ଆଧୁନିକ ମନମୁଣ୍ଡାଠାରୁ ମଣିଭଦ୍ରା ଯାଏ ମହାନଦୀର ଗର୍ଭରେ ହୀରା ଓ ଅନ୍ୟ ମଣି ପଥର ଖୋଜିବାରେ ଏବେ […]

ବୌଦ୍ଧ (ଦିବ୍ୟରଞ୍ଜନ ପଟ୍ଟନାୟକ): ଓଡ଼ିଶାର ଆଧୁନିକ ସଭ୍ୟତାକୁ ପରିପୁଷ୍ଟ କରିଛି ମହାନଦୀ। ରାଜ୍ୟର ପଶ୍ଚିମରୁ ପୂର୍ବକୁ ଚିରପ୍ରବହମାନ ଧାରା ମହାନଦୀ ପାଇଁ ପଶ୍ଚିମରୁ ଉପକୂଳ ଯାଏ ଜମିରେ ସୁନା ଫଳୁଛି। ଓଡ଼ିଶାର କୃଷିକୁ ସମୃଦ୍ଧ କରିଥିବା ମହାନଦୀର ରତ୍ନଭଣ୍ଡାରକୁ ନେଇ ଅନେକ ଲିଖିତ ଓ ଲୋକଶ୍ରୁତି ରହିଛି। ସେଥିପାଇଁ ମହାନଦୀ ଓ ତେଲ ନଦୀର ସଂଗମସ୍ଥଳ ମଣିମୁଣ୍ଡ ବା ଆଧୁନିକ ମନମୁଣ୍ଡାଠାରୁ ମଣିଭଦ୍ରା ଯାଏ ମହାନଦୀର ଗର୍ଭରେ ହୀରା ଓ ଅନ୍ୟ ମଣି ପଥର ଖୋଜିବାରେ ଏବେ ବି ଲୋକେ ବ୍ୟସ୍ତ।

ବୌଦ୍ଧ ଜିଲ୍ଲାରେ ପ୍ରାୟ ଏକ ଶହ କିଲୋମିଟର ପର୍ଯ୍ୟନ୍ତ ପ୍ରବାହିତ ମହାନଦୀ ଶଯ୍ୟାରେ ଏହି ମୂଲ୍ୟବାନ ବସ୍ତୁ ଗଛିତ ଥିବା କୁହାଯାଏ। ମହାନଦୀ ଶଯ୍ୟାରେ ରତ୍ନ ପଥର ମହଜୁଦ ଥିବା ସମ୍ପର୍କରେ କେତେକ ଐତିହାସିକ ତଥ୍ୟ ବିଶେଷ ଗୁରୁତ୍ୱ ବହନ କରେ। ଚାଣକ୍ୟ ଶାସ୍ତ୍ରରୁ ଉଦ୍ଧୃତ ବିଶିଷ୍ଟ ଭୂ ତତ୍ତ୍ୱବିତ୍‌‌ ତଥା ସ୍ତମ୍ଭକାର ସାହିଦ ଉମରଙ୍କ ଦ୍ୱାରା ପ୍ରକାଶିତ ଲେଖା ଅନୁସାରେ ମହାନଦୀ ଏବଂ ତେଲନଦୀର ସଙ୍ଗମସ୍ଥଳ ମଣିମୁଣ୍ଡ ବା ଆଧୁନିକ ମନମୁଣ୍ଡା ଠାରୁ ମଣିଭଦ୍ରା ମଧ୍ୟରେ ମହାନଦୀ ଶଯ୍ୟାରେ ମୂଲ୍ୟବାନ ରତ୍ନ ପଥର ଗଛିତ ରହିଛି।

ସେହିପରି ମଗଧ ସାମ୍ରାଜ୍ୟର ରାଜକୋଷ ଶୂନ୍ୟ ହୋଇଗଲେ ମଣିମୁଣ୍ଡ ଠାରୁ ମହାନଦୀ ଶଯ୍ୟା ଖନନ କଲେ ଧନ ରତ୍ନ ପ୍ରାପ୍ତି ହେବ ବୋଲି ଆଚାର୍ଯ୍ୟ ଚାଣକ୍ୟ ବର୍ଣ୍ଣନା କରିଛନ୍ତି। ମଣିମୁଣ୍ଡ ଠାରୁ ବୌଦ୍ଧର ସମଦୂରତ୍ୱରେ ମହାନଦୀର ତଳମୁଣ୍ଡରେ ମଣିଭଦ୍ରା ଅବସ୍ଥିତ। ବୌଦ୍ଧ ନିକଟରେ ମହାନଦୀ ଶଯ୍ୟା ଅତ୍ୟନ୍ତ ପ୍ରସାରିତ ଏବଂ ଅଗଭୀର ହୋଇଥିବା ସ୍ଥଳେ ମଣିଭଦ୍ରା ନିକଟରେ ଏହା ଅତିଶୟ ସଙ୍କୁଚିତ ଏବଂ ସୁଗଭୀର ହୋଇଛି। ଲୋକେ ବିଶ୍ୱାସ କରନ୍ତି, ମଣିଭଦ୍ରା ହିଁ ସେତେବେଳର ଗୁପ୍ତ ହୀରାଖଣି ସ୍ଥଳ।

ସମ୍ରାଟ ଅଶୋକ ସମ୍ଭବତଃ ଆଚାର୍ଯ୍ୟଙ୍କ ବର୍ଣ୍ଣନାରେ ପ୍ରଭାବିତ ହୋଇ କଳିଙ୍ଗ ଯୁଦ୍ଧ ପରେ ଏହି ଗୁପ୍ତ ହୀରା ଖଣିରୁ ହୀରା ସନ୍ଧାନ କରିଥିବା କୁହାଯାଏ। ନବେ ଦଶକରେ ମହାନଦୀ କୂଳରେ ବସବାସ କରୁଥିବା ଝରା ସମ୍ପ୍ରଦାୟର ଲୋକ ମହାନଦୀ ବାଲିରୁ ପାରମ୍ପରିକ ପଦ୍ଧତିରେ ସୁନା ଉତ୍ତୋଳନ କରୁଥିବା ସମୟରେ ପୁଣି ମହାନଦୀ ଶଯ୍ୟାରେ ରତ୍ନ ପଥର ମିଳୁଥିବା ଲୋକଲୋଚନକୁ ଆସିଥିଲା। ସ୍ଥାନୀୟ କିଛି ବ୍ୟବସାୟୀଙ୍କ ପ୍ରୋତ୍ସାହନ ଯୋଗୁଁ ରତ୍ନ ପଥର ପାଇବା ଆଶାରେ ନଦୀ ଶଯ୍ୟା ଖନନ ଚାଲିଥିଲା। ହୀରା ସମେତ ନିଲମ, ସଫାୟାର, କ୍ୟାଟ୍ସ ଆଇ, ମୁନ ଷ୍ଟୋନ, ରୁବି, ଆକ୍ୱାମାରିନ, ଆଲେକଜାଣ୍ଡରାଇଟ, ଏମେରାଲଡ଼, ଟୋପାଜ, ଟୁର୍ମାଲାଇନ, କ୍ରାଇସୋପ୍ରେଜ ଭଳି ଅନେକ ପ୍ରକାରର ରତ୍ନ ପଥର ନଦୀ ଗର୍ଭରୁ ସଂଗୃହୀତ ହୋଇଥିଲା। ନବେ ଦଶକର ଶେଷ ଭାଗରେ ଏଠାରୁ ଏକ ବୃହତ ନୀଳ ହୀରା ମିଳିଥିବା ସେ ସମୟରେ ଚର୍ଚ୍ଚା ହୋଇଥିଲା।

ଏକବିଂଶ ଶତାବ୍ଦୀର ପ୍ରାରମ୍ଭରୁ ମହାନଦୀ ଶଯ୍ୟାରୁ ରତ୍ନ ପଥର ଉତ୍ତୋଳନ ଏବଂ ବ୍ୟବସାୟ ଅନେକ ଧିମେଇ ଯାଇଥିଲେ ହେଁ ଏବେ ମଧ୍ୟ ବର୍ଷା ଋତୁ ବ୍ୟତୀତ ଅନ୍ୟ ସମୟରେ ଖନନ କାର୍ଯ୍ୟ ଲୁଚାଛପାରେ ଚାଲିଥିବା ଅଭିଯୋଗ ହେଉଛି।

ପ୍ରାଚୀନ ପରିତ୍ୟକ୍ତ ହୀରା ଖଣି ହିଁ ବିଶାଳ ସାତକୋଶିଆ ଗଣ୍ଡ। ମହାନଦୀର ପ୍ରବଳ ସ୍ରୋତରେ ଭାସି ଆସୁଥିବା ସମସ୍ତ ହୀରା ଏବଂ ରତ୍ନ ଏହି ଗଣ୍ଡ ମଧ୍ୟରେ ଗଛିତ ହୋଇ ରହିବା ନିମିତ୍ତ ପ୍ରକୃଷ୍ଟ ସ୍ଥାନ ହୋଇଥାଇପାରେ ବୋଲି ଲୋକେ କହନ୍ତି।

About The Author: The Sakala