ବୌଦ୍ଧ(ଦିବ୍ୟ ରଞ୍ଜନ ପଟ୍ଟନାୟକ): ପ୍ରାକୃତିକ ରଙ୍ଗରେ ତିଆରି ହେଉଛି ଶାଢ଼ି। ଏହି ସବୁ ଶାଢ଼ି ପୁଣି ଭୁବନେଶ୍ୱର, କଟକ, ମୁମ୍ୱାଇ, ଦିଲ୍ଲୀ, ବେଙ୍ଗାଲୁରୁ, କୋଲକାତା ଭଳି ବଡ଼ ବଡ଼ ସହରରେ ବିକ୍ରି ହେଉଛି। ଏହି ଶାଢିର ମୂଲ୍ୟ କୃତ୍ରିମ ରଙ୍ଗରେ ତିଆରି ଶାଢ଼ି ଠାରୁ ପ୍ରାୟ ୭୦ ପ୍ରତିଶତ ଅଧିକ ରହିଥାଏ। ତେଣୁ ଏହି ଶାଢ଼ିର ନିର୍ଦ୍ଦିଷ୍ଟ ଗ୍ରାହକ ମଧ୍ୟ ଅଛନ୍ତି। ସବୁଠାରୁ ବଡ଼କଥା ହେଉଛି ଜୈବିକ ରଙ୍ଗରେ ପ୍ରସ୍ତୁତ ଏହି ଶାଢି ୧୦୦ ବର୍ଷ ପର୍ଯ୍ୟନ୍ତ ନଷ୍ଟ ହେବ ନାହିଁ ବୋଲି ଗ୍ୟାରେଣ୍ଟି ଦିଅନ୍ତି ଏହାକୁ ତିଆରି କରୁଥିବା କାରିଗର।
ସ୍ୱାଧୀନତା ପରବର୍ତ୍ତୀ ସମୟରେ ଷଷ୍ଠ ଦଶକର ପ୍ରଥମାର୍ଦ୍ଧରେ ବୁଣାକାରଙ୍କ ଦ୍ୱାରା କୃତ୍ରିମ ରଙ୍ଗ ବ୍ୟବହାର ଆରମ୍ଭ ହୋଇଥିଲା। ଫଳରେ ଧୀରେ ଧୀରେ ପ୍ରାକୃତିକ ରଙ୍ଗ ଲୋପ ପାଇବାକୁ ବସିଲା। ଲୋପ ପାଇଯାଇଥିବା ଏହି ପଦ୍ଧତିକୁ ଉଜ୍ଜୀବିତ କରିବା ପାଇଁ ବୁଣାକାର ସମ୍ପ୍ରଦାୟର ଜଣେ ବ୍ୟକ୍ତି ପ୍ରଫୁଲ୍ଲ ମେହେର ୧୯୯୧ ମସିହାରୁ ପ୍ରାକୃତିକ ରଙ୍ଗରେ ଶାଢ଼ି ତିଆରି କାମ ଆରମ୍ଭ କରିଥିଲେ। ୨୦୦୫ ମସିହାରେ ଆଉ ଜଣେ ବୁଣାକାର ସୁଶୀଲ ମେହେରଙ୍କ ସହ ମିଶି ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ବାସୁଦେବପାଲି ଠାରେ ଏକ ଫ୍ୟାକ୍ଟ୍ରି ଆରମ୍ଭ କଲେ। ବର୍ତ୍ତମାନ ୨୫ଟି ମଙ୍ଗା ସାହାଯ୍ୟରେ ଫ୍ୟାକ୍ଟ୍ରିରୁ ଉଭୟ ପାଟ ଏବଂ କଟନ ଶାଢ଼ି ମିଶି ମାସିକ ୫୦ରୁ ୬୦ ଖଣ୍ଡ ଉତ୍ପାଦନ ହେଉଛି।
ଏ ପ୍ରକାର ପାଟ ଶାଢିର ମୂଲ୍ୟ ୨୦ ହଜାରରୁ ୮୦ ହଜାର ଟଙ୍କା ଏବଂ କଟନ ଶାଢ଼ିର ମୂଲ୍ୟ ପ୍ରାୟ ୧୦ ହଜାରରୁ ୧୨ ହଜାର ମଧ୍ୟରେ ରହିଥାଏ। ଗୋଟେ ଶାଢ଼ି ପାଇଁ କୃତ୍ରିମ ରଙ୍ଗ ତୁଳନାରେ ପ୍ରାକୃତିକ ରଙ୍ଗରେ ପ୍ରାୟ ୧୦ ଗୁଣ ଅଧିକ ଖର୍ଚ୍ଚ ହୋଇଥାଏ ଏବଂ ରଙ୍ଗ ତିଆରି କରିବା ତଥା ବୁଣିବା ପାଇଁ ଅଧିକ ସମୟ ଲାଗିଥାଏ। ତେଣୁ ଏହାର ମୂଲ୍ୟ ମଧ୍ୟ ଅଧିକ ରହିଥାଏ। ହରିଡ଼ା, ମଞ୍ଜିଷ୍ଟା, ଡାଳିମ୍ୱ, ହଳଦୀ, ଗୁଡ, ଲୌହ, ଚା ପତି, ପଳାସ ଫୁଲ, ଗେଣ୍ଡୁ ଫୁଲ, ଅପରାଜିତା ଫୁଲ, ଖଇର, ଜାମୁ ଛାଲି, ପଣସ କାଠ, ଝାପଡ ମଞ୍ଜି, ହେନା, ଇଣ୍ଡିଗୋ, ଲାଖ, ରତନ ଯୋଟ ପ୍ରଭୃତି ପ୍ରାକୃତିକ ପଦାର୍ଥରୁ ପ୍ରସ୍ତୁତ ରଙ୍ଗରେ ତିଆରି ଶାଢ଼ି ପରିବେଶ ଅନୁକୂଳ, ସ୍ୱାସ୍ଥ୍ୟପ୍ରଦ, ହାଲୁକା, କୋମଳ ହୋଇଥିବା ବେଳେ ୪୫ ଡିଗ୍ରୀ ଖରାରେ ପିନ୍ଧିଲେ ମଧ୍ୟ ଅସୁବିଧା ହୁଏ ନାହିଁ। ଏହି ଜୈବିକ ରଙ୍ଗରେ ପ୍ରସ୍ତୁତ ହେଉଥିବା ଶାଢ଼ିକୁ ଯେତେଥର ସଫା କଲେ ମଧ୍ୟ ରଙ୍ଗ ଛାଡେ ନାହିଁ କିମ୍ୱା ଔଜଲ୍ୟ ହ୍ରାସ ପାଏ ନାହିଁ। ଆଜିକାଲି ଜୈବିକ ପଦାର୍ଥ ପ୍ରତି ଲୋକଙ୍କ ଆଗ୍ରହ ବଢ଼ୁଥିବା ବେଳେ ଜୈବିକ ରଙ୍ଗରେ ପ୍ରସ୍ତୁତ ଶାଢ଼ିର ଚାହିଦା ମଧ୍ୟ ଯଥେଷ୍ଟ ଅଧିକ ରହିଛି।