ହରଭଙ୍ଗା(ଭାଗବତ ମେହେର): ଏ ବର୍ଷ ଶୀତଲହରି ଆସିବାକୁ ଡେରି ହୋଇଥିବାରୁ ଚଳିତ ବର୍ଷ ପକ୍ଷୀଙ୍କ ଆଗମନ ବିଳମ୍ୱ ହୋଇଥିଲେ ମଧ୍ୟ ଧୀରେ ଧୀରେ ବିଭିନ୍ନ ପ୍ରଜାତିର ପକ୍ଷୀଙ୍କ ସୁଅ ଛୁଟୁଛି। ଏପରିକି ଜାନୁୟାରୀ ମାସ ପ୍ରଥମରୁ ହିଁ ସମସ୍ତ ପ୍ରକାର ବିଦେଶୀ ପକ୍ଷୀଙ୍କ ଆଗମନ ହେବା ଆଶା କରାଯାଉଛି ।
ଏଭଳି ଏକ ପ୍ରକୃତି ପରିବେଶ ସ୍ଥାନ ହେଉଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକ କୁସଙ୍ଗ ମହାନଦୀ ବନ୍ୟପ୍ରାଣୀ ଦୁର୍ଗମ ଅଭୟାରଣ୍ୟ ଅଞ୍ଚଳ ପଦ୍ମତୋଳା। ପରିବେଶବିତଙ୍କ ମତରେ ବର୍ତ୍ତମାନ ସମୟରେ ବିଦେଶରେ ଅତ୍ୟଧିକ ଥଣ୍ଡା ଯୋଗୁଁ ବିଭିନ୍ନ ସ୍ଥାନରେ ତୁଷାରପାତ ହେବା ଯୋଗୁଁ ପକ୍ଷୀଙ୍କ ପାଇଁ ଖାଦ୍ୟ ସଙ୍କଟ ଦେଖାଦେଇଥାଏ। ଭାରତ ବର୍ଷରେ ପ୍ରତ୍ୟେକ ବର୍ଷ ନଭେମ୍ୱର ଶେଷ ଏବଂ ଜାନୁୟାରୀ ପ୍ରଥମରୁ ଫେବୃୟାରୀ ପର୍ଯ୍ୟନ୍ତ ପାଗ ଅନୁକୂଳ ସହ ପକ୍ଷୀଙ୍କ ପାଇଁ ଉପଯୁକ୍ତ ସ୍ଥାନ ହୋଇଥିବାରୁ ଦେଶ ଓ ଦେଶ ବାହାର ପକ୍ଷୀଙ୍କ ଆଗମନ ହୋଇଥାଏ ।ଏଠାରେ ପକ୍ଷୀଙ୍କ ପାଇଁ ପ୍ରଚୁର ଖାଦ୍ୟ ସାଙ୍ଗେ ସୁରକ୍ଷିତ ସ୍ଥାନ ହୋଇଥିବା ହେତୁ ଗଡ଼ୱାଲ, ପନିଟେଲ, ସାଭାର, ରୁଡିସେଲଡ଼କ ଭଳି ବିଭିନ୍ନ ପ୍ରଜାତିର ପକ୍ଷୀ ଆସୁଥିବା ଦାୟିତ୍ୱରେ ଥିବା ରେଞ୍ଜ ଅଧିକାରୀ ସଂସାର ବର୍ଗିଆ ସୂଚନା ଦେଇଛନ୍ତି । ଅତିଥି ଭଳି ଆସି ୨ମାସରୁ ଅଢେଇ ମାସ ରହିଲା ପରେ ମାର୍ଚ୍ଚ ପ୍ରଥମ ସପ୍ତାହ ବେଳକୁ ବିଦେଶୀ ପକ୍ଷୀ ପୁଣି ପ୍ରତ୍ୟାବର୍ତ୍ତନ କରିଥାନ୍ତି। ପ୍ରକାଶ ଥାଉକି ବର୍ତ୍ତମାନ ଏହି ଅଭ୍ୟାରଣ୍ୟର ମହାନଦୀ ଜଳରାଶିରେ ବିଦେଶୀ ପକ୍ଷୀଙ୍କ ଚରବୁଲା ହେବା ସହ ସୁମଧୁର ରାବରେ ଅଞ୍ଚଳ ମୁଖରିତ ହେବାସହ ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରିଥାଏ। ପକ୍ଷୀଙ୍କ ସୁରକ୍ଷା ନେଇ ଉକ୍ତ ରେଞ୍ଜ ପକ୍ଷରୁ ନିୟମିତ ଭାବେ ଯାଞ୍ଚ କରାଯିବା ଅତ୍ୟାଧୁନିକ କ୍ୟାମେରାରେ ନଜର ରଖିବା ଏବଂ ନଦୀ ଗର୍ଭରେ ମାଛ ମାରିବା ଏସବୁ ବିଭିନ୍ନ କଟକଣା ବିଦେଶୀ ପକ୍ଷୀଙ୍କ ସୁରକ୍ଷା ପାଇଁ ରଖାଯାଇଥିବା ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ସୂଚନା ମିଳିଛି।