ଜଟଣୀ: ସାମାନ୍ୟ ବଚସାକୁ ନେଇ ଗୋଷ୍ଠୀ ସଂଘର୍ଷ ପରେ ବୋମାମାଡ଼ । ଗଣ୍ଡଗୋଳରେ ଉଭୟ ପକ୍ଷରୁ ଏକାଧିକ ଲୋକ ଆହତ । ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ତରାବୋଇ ଗାଁରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ପୂର୍ବ ଘଟଣାକୁ କେନ୍ଦ୍ର କରି ଏହି ଗଣ୍ଡଗୋଳ ହୋଇଥିବା କୁହାଯାଉଛି । ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ଏବଂ ଉତ୍ତେଜନାକୁ ଦୃଷ୍ଟିରେ ରଖି ପୋଲିସ ମୁତୟନ ହୋଇଛନ୍ତି ।
ସୂଚନା ଅନୁସାରେ, ତରାବଇ ଗାଁର ୨ ଗୋଷ୍ଠୀ ମଧ୍ୟରେ ଦୀର୍ଘଦିନ ହେବ ବିବାଦ ଲାଗି ରହିଥିଲା। ଗତ ରାତିରେ କୌଣସି କାରଣରୁ ଉଭୟ ପକ୍ଷ ମଧ୍ୟରେ ପ୍ରଥମେ ବଚସା ଓ ହାତାହାତି ହୋଇଥିଲା। ଏହାପରେ ବିବାଦ କ୍ରମଶଃ ଉଗ୍ର ରୂପ ନେବାକୁ ଲାଗିଲା। ଫଳରେ ଉଭୟ ପକ୍ଷଙ୍କ ବୋମାମାଡ଼ରେ ୩ଟି ବାଇକ୍ କ୍ଷତିଗ୍ରସ୍ତ ହୋଇଥିବା ଜଣାଯାଇଛି। ଏଥିସହ ଉଭୟ ପକ୍ଷ ମାରଣାସ୍ତ୍ରରେ ପରସ୍ପରଙ୍କୁ ଆକ୍ରମଣ କଲେ। ଫଳରେ ଏଥିରେ ଦୁଇ ଜଣ ଆହତ ହୋଇଛନ୍ତି। ଘଟଣା ସଂପର୍କରେ ସୂଚନା ପାଇଁ ଜଟଣୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ପୋଲିସ ପହଞ୍ଚିବା ପରେ ପରିସ୍ଥିତି ଶାନ୍ତ ରହିଥିବା ଜଣାପଡିଛି ।