ରାଜଧାନୀ ରାଜରାସ୍ତାରୁ ଭିକାରୀ ହଟାଇଲା ବିଏମସି, ଏବେ ପ୍ରତି ଛକରେ କିନ୍ନରଙ୍କ ଭିଡ

ଭୁବନେଶ୍ୱର : ରାଜଧାନୀରେ ଦିନକୁ ଦିନ ବଢୁଥିବା ଭିକାରୀଙ୍କ ସଂଖ୍ୟା ଏବଂ ବିଭିନ୍ନ ଛକରେ ଗାଡି ଆଗକୁ ଆସି ଭିକ୍ଷାବୃତ୍ତିକୁ ଦେଖି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‍ସି) କର୍ତ୍ତୃପକ୍ଷ ‘ସହାୟ’ ଯୋଜନା ମାଧ୍ୟମରେ ରାଜରାସ୍ତାରୁ ଭିକାରୀମାନଙ୍କୁ ହଟାଇଥିଲେ। ରାଜଧାନୀକୁ ଭିକାରୀ ମୁକ୍ତ କରିବାକୁ ଯୋଜନା କରି ବିଭିନ୍ନ ସ୍ଥାନରୁ ଭିକାରୀମାନଙ୍କୁ ଉଦ୍ଧାର କରାଯାଇ ଭିକ୍ଷୁକ ଥଇଥାନ କେନ୍ଦ୍ରରେ ରଖାଯିବା ସହ ସେଠାରେ ସେମାନଙ୍କୁ ଆତ୍ମନିର୍ଭର ତାଲିମ ଦିଆଯାଇଥିଲା। ଫଳରେ ଅନେକ ଭିକାରି ଆତ୍ମନିର୍ଭର ହେବା ସହ ଭିକ୍ଷାବୃତ୍ତିକୁ […]

ଭୁବନେଶ୍ୱର : ରାଜଧାନୀରେ ଦିନକୁ ଦିନ ବଢୁଥିବା ଭିକାରୀଙ୍କ ସଂଖ୍ୟା ଏବଂ ବିଭିନ୍ନ ଛକରେ ଗାଡି ଆଗକୁ ଆସି ଭିକ୍ଷାବୃତ୍ତିକୁ ଦେଖି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‍ସି) କର୍ତ୍ତୃପକ୍ଷ ‘ସହାୟ’ ଯୋଜନା ମାଧ୍ୟମରେ ରାଜରାସ୍ତାରୁ ଭିକାରୀମାନଙ୍କୁ ହଟାଇଥିଲେ। ରାଜଧାନୀକୁ ଭିକାରୀ ମୁକ୍ତ କରିବାକୁ ଯୋଜନା କରି ବିଭିନ୍ନ ସ୍ଥାନରୁ ଭିକାରୀମାନଙ୍କୁ ଉଦ୍ଧାର କରାଯାଇ ଭିକ୍ଷୁକ ଥଇଥାନ କେନ୍ଦ୍ରରେ ରଖାଯିବା ସହ ସେଠାରେ ସେମାନଙ୍କୁ ଆତ୍ମନିର୍ଭର ତାଲିମ ଦିଆଯାଇଥିଲା। ଫଳରେ ଅନେକ ଭିକାରି ଆତ୍ମନିର୍ଭର ହେବା ସହ ଭିକ୍ଷାବୃତ୍ତିକୁ ଛାଡିଥିଲେ। ତେବେ ଯେଉଁମାନେ ପୁର୍ନବାର ସେଠାରୁ ଆସି ଭିକ ମାଗୁଥିଲେ ବିଏମ୍‍ସି ର୍ତ୍ତୃପକ୍ଷ ପୁଲିସ୍‍ ସହାୟତାରେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। କିନ୍ତୁ ବିଏମସି ସିନା ଭିକାରୀମାନଙ୍କୁ ରାସ୍ତାରୁ ହଟାଇଦେଲା, ହେଲେ ଏବେ ଲାଗିଛି କିନ୍ନରମାନଙ୍କ ଭିଡ।

ରାଜଧାନୀ ରାଜରାସ୍ତାରୁ ଭିକାରୀ ହଟିବା ପରେ ଏବେ ସେମାନଙ୍କ ସ୍ଥାନ ନେଇଛନ୍ତି କିନ୍ନର। ସହରର ବିଭିନ୍ନ ଛକରେ ଏବେ ଏମାନେ ଖୋଲାଖୋଲି ଭାବେ ହାତ ପାତୁଛନ୍ତି । ରାଜଧାନୀର ପ୍ରାୟ ସବୁ ଛକରେ ରାତି ପାହିଲେ କିନ୍ନରମାନେ ହାଜିର ହେବା ସହିତ ଗାଡି ଚାଳକଙ୍କ ନିକଟରେ ହାତ ପାତୁଛନ୍ତି । ଗାଡି ରହିଲା ମାତ୍ରେ ହଠାତ୍‍ ଆଗକୁ ଚାଲି ଆସୁଛନ୍ତି । ପଇସା ମାଗିବାପାଇଁ କିନ୍ନରମାନେ ନିଜ ନିଜ ମଧ୍ୟରେ ଛକଗୁଡିକୁ ଏପରିକି ବିଭିନ୍ନ ଛକର ପାଶ୍ୱର୍କୁ ବାଣ୍ଟି ଦେଇଛନ୍ତି । ଜଣେ ଅନ୍ୟ ଗୋଟିଏ ଛକକୁ ଯିବା ମନା। ସବୁଠୁ ବଡ଼ କଥା ହେଉଛି ରାଜଧାନୀର ବ୍ୟବବହୁତ ଛକ ଜୟଦେବ ବିହାର ଛକ, ଏଜି ଛକ, ପାୱାର ହାଉସ ଛକରେ ମଧ୍ୟ କିନ୍ନରମାନେ ଖୋଲାଖୋଲି ଭାବେ ହାତ ପାତୁଛନ୍ତି।

ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତ ସମୟରେ ପୁଲିସ୍‍ କର୍ତ୍ତୃପକ୍ଷ ସହରର ରାସ୍ତାପାଶ୍ୱର୍ରୁ ଉଠାଦୋକାନୀ ଏପରିକି ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ସ୍ଥାୟୀ ଦୋକାନୀମାନଙ୍କୁ ବନ୍ଦ ନିର୍ଦ୍ଦେଶ ଦେଇଥିବାବେଳେ କିନ୍ନରମାନଙ୍କ କିନ୍ତୁ ରାସ୍ତାରୁ ହଟାଇ ପାରିନଥିଲେ । ରାଜଭବନର ଅନତିଦୂରରେ ଥିବା ପାୱାରହାଉସ ଛକରେ ସେମାନେ ଖୋଲାଖୋଲି ଭାବେ ଲୋକଙ୍କ ନିକଟରେ ହାତ ପାତୁଥିବା ଦେଖିବାକୁ ମିଳିଥିଲା । ପୂର୍ବରୁ ସହର ମଧ୍ୟରେ କିନ୍ନରମାନେ ପ୍ରବେଶ କରିବା ବଦଳରେ ସହର ଉପକଣ୍ଠରେ ନିଜର ଉପସ୍ଥିତ ଜାହିର କରୁଥିଲେ । ହେଲେ କର୍ତ୍ତୃପକ୍ଷଙ୍କ କୋହଳ ମନୋଭାବ ଯୋଗୁଁ ସେମାନେ ଏବେ ଧିରେ ଧିରେ ସହରରେ ପ୍ରବେଶ କରିବା ସହିତ ସର୍ବ ସମ୍ମୁଖରେ ହାତ ପାତୁଛନ୍ତି । ସହର ଉପକଣ୍ଠରେ କିନ୍ନରମାନେ ବାରମ୍ବାର ବିଭିନ୍ନ ଅପରାଧିକ କାର୍ଯ୍ୟ ଲିପ୍ତ ରହୁଥିବା ଓ ସହର ଭିତରେ ଅର୍ଥ ଆଦାୟ ଭଳି କାର୍ଯ୍ୟ ରେ ଜଡିତ ରହୁଥିବାରୁ ସାଧାରଣ ଲୋକେ ଏବେ ଭୟଭୀତ ହୋଇ ପଡୁଛନ୍ତି।

ବିଏମ୍‍ସି କର୍ତ୍ତୃପକ୍ଷ ଯେଭଳି ଭାବେ ଭିକାରୀ ମାନଙ୍କ ପାଇଁ ସଫଳତାର ସହ ସହାୟ ଯୋଜନା କାର୍ଯ୍ୟକାରୀ କରିଛନ୍ତି ଅନୁରୂପ ଭାବେ ରାସ୍ତାଘାଟରେ ହାତ ପାତୁଥିବା କିନ୍ନରମାନଙ୍କ ପାଇଁ ଯୋଜନା କାର୍ଯ୍ୟକାରୀ କରିବାକୁ ମତପ୍ରକାଶ ପାଉଛି । ନଚେତ ଆଗାମୀ ହକି ବିଶ୍ୱକପ୍‍ ସମୟରେ ଏହା ରାଜଧାନୀ ଓ ଓଡିଶାପାଇଁ ଅତ୍ୟନ୍ତ ଅଶ୍ୱସ୍ତିକର ପରିସ୍ଥିତି ସୃଷ୍ଟି କରିବ ।

ଅନ୍ୟପଟେ ରାଜଧାନୀର ରେଳ ଷ୍ଟେସନ ସହ ବିଭିନ୍ନ ସ୍ଥାନରେ ଏବେ ବି ଅଣଓଡ଼ିଆ ଭିକାରୀ ଭିକ୍ଷାବୃତ୍ତି କରୁଛନ୍ତି। ଜଳଗହଳିପୂର୍ଣ୍ଣ ସ୍ଥାନ ସମେତ ଧର୍ମାନୁଷ୍ଠାନ ପରିସରରେ ମଧ୍ୟ ଭିକ୍ଷାବୃତ୍ତି କରୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି। ରାଜ୍ୟ ବହାରୁ ଆସି ରାଜଧାନୀରେ ଭିକ୍ଷାବୃତ୍ତି କରୁଥିବା ଭିକ୍ଷୁକମାନଙ୍କ ଚିହ୍ନଟ ପାଇଁ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ଦିନକୁ ଦିନ ସେମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଭିନ୍ନ ଟ୍ରାଫିକ ଛକରେ ସିଗନାଲ୍‍କୁ ଅପେକ୍ଷା କରୁଥିବା ଚାଳକମାନଙ୍କୁ ହଇରାଣ କରୁଥିବା ବହୁବାର ଅଭିଯୋଗ ହୋଇଛି। ବିଶେଷ କରି କାର୍‍ ଚାଳକମାନଙ୍କ ଠାରୁ ଟଙ୍କା ନେବା ପାଇଁ ବେଲୁନ୍‍, ପେନ୍‍ ଆଦି ସାମଗ୍ରୀ କିଣିବାକୁ ଏମାନେ ପିଛା ପଡ଼ିଯାଆନ୍ତି। କାର୍‍ ଡୋରକୁ ବାରମ୍ବାର ବାଡାଉଥିବା ଚାଳକମାନେ ଅଭିଯୋଗ କରୁଛନ୍ତି। ସେମାନେ ପ୍ରତିଦିନ ସ୍ଥାନ ପରିବର୍ତ୍ତନ କରିବା ସହ ବ୍ୟବସାୟରେ ମଧ୍ୟ ପରିବର୍ତ୍ତନ କରୁଥିବା ଜଣାପଡ଼ିଛି। ଏମାନଙ୍କ ମଧ୍ୟରେ ମହିଳା, ବୟସ୍କ ବ୍ୟକ୍ତି ଏବଂ ଛୋଟ ପିଲାମାନେ ମଧ୍ୟ ସାମିଲ ହୋଇଛନ୍ତି। ତେବେ ଦିନକୁ ଦିନ ଏହି ସମସ୍ୟା ବଢ଼଼ୁଥିଲେ ବି ପ୍ରଶାସନ ପକ୍ଷରୁ କୌଣସି ଦୃଢ଼ ପଦକ୍ଷେପ ନିଆଯାଉ ନ ଥିବା ବେଳେ ରାଜଧାନୀରେ ଖେଳି ଗଲେଣି ଅଣଓଡ଼ିଆ ଭିକ୍ଷୁକ।

About The Author: The Sakala