ସିଇସିଙ୍କ ବିରୋଧରେ ନୂଆଦିଲ୍ଲୀରେ ବିରୋଧୀଙ୍କ ପଦଯାତ୍ରାରେ ସାମିଲ ହେବ ବିଜେଡି

ଭୁବନେଶ୍ୱର: ଏସ୍‌ଆଇଆର ପ୍ରସଙ୍ଗରେ ସିଇସି ଜ୍ଞାନେଶ କୁମାରଙ୍କ ମନମୁଖୀ କାର୍ଯ୍ୟ, ସାରା ଦେଶରୁ ୧୩ କୋଟି ଭୋଟରଙ୍କ ନାମ କଟା ପ୍ରସଙ୍ଗକୁ ନେଇ ବିରୋଧୀଦଳଗୁଡ଼ିକ ପକ୍ଷରୁ ଆଜି ବିରୋଧ ପଦଯାତ୍ରାରେ ସାମିଲ ହେବ ବିଜେଡି। ବିଜେଡି ସୁପ୍ରିମୋ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଦଳର ସାଂସଦମାନେ ଏହି ପଦଯାତ୍ରାରେ ଯୋଗ ଦେବେ। ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳ ନେତା ମାନସ ମଙ୍ଗରାଜ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଏସ୍‌ଆଇଆର୍ ପ୍ରସଙ୍ଗରେ ସିଇସିଙ୍କ ବିବାଦୀୟ ଭୂମିକାକୁ ନେଇ ବିଜେଡି ସୁପ୍ରିମୋ ତଥା ବିରୋଧୀଦଳ ନେତା ପୂର୍ବରୁ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରିଛନ୍ତି। ଏସ୍‌ଆଇଆର ନାମରେ ଓଡ଼ିଶାରେ ୨୦ ଲକ୍ଷରୁ ଅଧିକ ଭୋଟରଙ୍କ ସମେତ ସାରା ଦେଶରେ ୧୩ କୋଟିରୁ ଅଧିକ ମତଦାତାଙ୍କୁ ବାଦ୍ ଦିଆଯିବା ସନ୍ଦେହ ସୃଷ୍ଟି କରିଥିବାବେଳେ ଧାମନଗରରେ ଘଟିଥିବା ଘଟଣା ଏହାକୁ ଦୃଢ଼ୀଭୂତ କରିଛି। ବିଏଲ୍‌ଓଙ୍କ ଅଜ୍ଞାତସାରରେ ଗୋଟିଏ ଅଞ୍ଚଳରୁ ସଂଖ୍ୟାଲଘୁ ସମ୍ପ୍ରଦାୟର ୨୨୭ ଭୋଟରଙ୍କ ନାମ କାଟିଦିଆଯିବା ଏସ୍‌ଆଇଆର୍‌ ଜାଲିଆତିକୁ ସ୍ପଷ୍ଟ କରିଦେଇଛି। କେବଳ ଧାମନଗର ବିଧାନସଭା କ୍ଷେତ୍ରରୁ ହଜାର ହଜାର ଭୋଟରଙ୍କୁ ମତଦାତା ସୂଚୀରୁ ବାଦ୍ ଦିଆଯାଇଛି। ଏହି ସମୟରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସ୍ୱେଚ୍ଛାକୃତ ଅବସର ଆବେଦନ  ଅନେକ ଦିଗକୁ ଇଙ୍ଗିତ କରିଛି।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏସ୍‌ଆଇଆର୍‌ରେ ଫର୍ମ-୬ ପରିବର୍ତ୍ତନ ନେଇ ନିର୍ବାଚନ କମିସନଙ୍କ ସଫେଇକୁ ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ ଭାବରେ ଖଣ୍ଡନ କରି ଏପରି ଅନୁମତି ଦିଆଯାଇ ନ ଥିବା କହିବା ପରେ ସିଇସି ଜ୍ଞାନେଶ କୁମାର ଭୋଟର ତାଲିକା ଜାଲିଆତିରେ ପ୍ରତ୍ୟକ୍ଷ ସମ୍ପୃକ୍ତ ଥିବା ସ୍ପଷ୍ଟ ହୋଇଛି। ବିଜେଡି କୌଣସି ରାଜନୈତିକ ମେଣ୍ଟର ସହଯୋଗୀ ନୁହେଁ ଏବଂ ଉଭୟ ଇଣ୍ଡିଆ ମେଣ୍ଟ ଓ ଏନ୍‌ଡିଏଠାରୁ ସମଦୂରତ୍ୱ ବଜାୟ ରଖି ଆସିଛି।  ତେବେ ଏକ ଦାୟିତ୍ୱସମ୍ପନ୍ନ ରାଜନୈତିକ ଦଳ ଭାବେ ବିଜେଡି ଆଜିର ପଦଯାତ୍ରାରେ ସାମିଲ ହେବ ବୋଲି ଶ୍ରୀ ମଙ୍ଗରାଜ କହିଛନ୍ତି।

About The Author: Madhusudan Das