୨୦୨୪ ବିଧାନସଭା ନିର୍ବାଚନରେ ୧୨୫ ଆସନ ଦଖଲ ଲାଗି ବିଜେଡିର ଦୃଢ଼ୋକ୍ତି; ନବୀନଙ୍କ ନେତୃତ୍ୱରେ ବିପୁଳ ବିଜୟ ଆଶା

ଭୁବନେଶ୍ୱର: ନିରାସକ୍ତ ଭାବରେ ଦେଖିଲେ ପଦମ୍‍ପୁର ଉପନିର୍ବାଚନ ଅନ୍ୟ ସବୁ ଉପନିର୍ବାଚନ ପରି ସାଧାରଣ; କିନ୍ତୁ ଏହାର ପାର୍ଶ୍ବ ପ୍ରତିକ୍ରିୟା ବିଭିନ୍ନ ଦୃଷ୍ଟିରୁ ବହୁ ଗୁରୁତ୍ୱ ବହନ କରୁଛି। ୨୦୧୯ ବିଧାନସଭା ନିର୍ବାଚନ ପୂର୍ବରୁ ୨୦୧୮ ବିଜେପୁର ଉପନିର୍ବାଚନ ଯେଉଁ ବାର୍ତ୍ତା ଦେଇଥିଲା; ୨୦୨୪ ବିଧାନସଭା ନିର୍ବାଚନ ଅବ୍ୟବହିତ ପୂର୍ବରୁ ୨୦୨୨ର ପଦମ୍‍ପୁର ନିର୍ବାଚନ ଫଳ ଅନୁରୂପ ଆଭାସ ଦେଇଛି କି ? ରାଜନୀତିରେ ରୁଚି ରଖୁଥିବା ବ୍ୟକ୍ତିବିଶେଷ, ନିର୍ବାଚନ ସମୀକ୍ଷକ ଓ ରାଜନୈତିକ ବିଶେଷଜ୍ଞମାନଙ୍କ ପାଇଁ […]

ଭୁବନେଶ୍ୱର: ନିରାସକ୍ତ ଭାବରେ ଦେଖିଲେ ପଦମ୍‍ପୁର ଉପନିର୍ବାଚନ ଅନ୍ୟ ସବୁ ଉପନିର୍ବାଚନ ପରି ସାଧାରଣ; କିନ୍ତୁ ଏହାର ପାର୍ଶ୍ବ ପ୍ରତିକ୍ରିୟା ବିଭିନ୍ନ ଦୃଷ୍ଟିରୁ ବହୁ ଗୁରୁତ୍ୱ ବହନ କରୁଛି। ୨୦୧୯ ବିଧାନସଭା ନିର୍ବାଚନ ପୂର୍ବରୁ ୨୦୧୮ ବିଜେପୁର ଉପନିର୍ବାଚନ ଯେଉଁ ବାର୍ତ୍ତା ଦେଇଥିଲା; ୨୦୨୪ ବିଧାନସଭା ନିର୍ବାଚନ ଅବ୍ୟବହିତ ପୂର୍ବରୁ ୨୦୨୨ର ପଦମ୍‍ପୁର ନିର୍ବାଚନ ଫଳ ଅନୁରୂପ ଆଭାସ ଦେଇଛି କି ? ରାଜନୀତିରେ ରୁଚି ରଖୁଥିବା ବ୍ୟକ୍ତିବିଶେଷ, ନିର୍ବାଚନ ସମୀକ୍ଷକ ଓ ରାଜନୈତିକ ବିଶେଷଜ୍ଞମାନଙ୍କ ପାଇଁ ଏବେ ଏହା ବିଶ୍ଳେଷଣର ବିଷୟ ହୋଇଛି। ଏହି ପରିପ୍ରେକ୍ଷୀରେ ବିଜେଡି ନେତା ସୁଶାନ୍ତ ସିଂହ ଆଗାମୀ ନିର୍ବାଚନରେ ଦଳର ସଫଳତା ସଂକ୍ରାନ୍ତ ଯେଉଁ ‘୧୨୫’ ଟିପ୍ପଣୀ ଦେଇଛନ୍ତି ତାହା ବିରୋଧୀମାନଙ୍କ ରକ୍ତଚାପ ବଢ଼଼ାଇ ଦେଇଛି।

ପଦମ୍‍ପୁର ନିର୍ବାଚନ ଅନେକ ଦୃଷ୍ଟିରୁ ଗୁରୁତ୍ୱ ବହନ କରିଥିବା କେହି ଅସ୍ୱୀକାର କରିବେ ନାହିଁ। ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପଦମ୍‍ପୁରରେ ଲଢ଼ୁଥିବା ‘ସମ୍ମାନ’ ଲଢ଼େଇରେ କଂଗ୍ରେସ ପ୍ରଚଣ୍ଡ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ଏବଂ ବିଜେପିର ଅହଂକାରୀ ରଣନୀତି ଭୂତଳଶାୟୀ ହୋଇଛି। ଗତ ନିର୍ବାଚନରେ ବିଜେପିର ପରାଜୟ ବ୍ୟବଧାନ ଉପନିର୍ବାଚନରେ ୮ଗୁଣରୁ ଅଧିକକୁ ବୃଦ୍ଧି ପାଇଛି। ଏପରିକି ବିଜୟ ରଞ୍ଜନ ସିଂହ ବରିହା ବିଜେପିକୁ ମାତ୍ର ୫ ହଜାର ବ୍ୟବଧାନରେ ପରାଜିତ କରିଥିବାବେଳେ ତାଙ୍କ ଝିଅ ବର୍ଷା ସିଂହ ବରିହାଙ୍କ ବିଜୟ ବ୍ୟବଧାନ ୪୨ ହଜାର ଅତିକ୍ରମ କରିଛି। ଉପନିର୍ବାଚନର ପ୍ରଭାବ ପରବର୍ତ୍ତୀ ନିର୍ବାଚନକୁ ପ୍ରଭାବିତ କରେ କିମ୍ବା କରେ ନାହିଁ ତାହା ଭିନ୍ନ କଥା; ମାତ୍ର ପଦମ୍‍ପୁର ନିର୍ବାଚନ ଫଳାଫଳ ଯେ ରାଜ୍ୟରେ କ୍ଷମତା ସ୍ୱପ୍ନ ଦେଖୁଥିବା ବିଜେପିକୁ ଅତ୍ୟନ୍ତ ନିରାଶ କରିଛି ଏହା କହିବାରେ ଆଦୌ ଦ୍ୱିଧା ନାହିଁ।

ରାଜନୀତିର ପଶାପାଲିର ଗ୍ରାଣ୍ଡମାଷ୍ଟର ନବୀନଙ୍କ ନେତୃତ୍ୱରେ ପୁଣିଥରେ ଆଗାମୀ ନିର୍ବାଚନରେ ବିପୁଳ ବିଜୟ ଲାଭ କରିବ ବୋଲି ଆଶା ରଖିଛି ବିଜେଡି। ସେବା ଓ ସମର୍ପଣର ସୁବର୍ଣ୍ଣ ଜୟନ୍ତୀ ପାଳନ କରିଥିବା ନବୀନଙ୍କ ପାଇଁ ରାଜନୀତି ଏକ ଆଧ୍ୟାତ୍ମିକ ଯାତ୍ରା ଏବଂ କ୍ଷମତା ହେଉଛି ଜନସେବାର ମାଧ୍ୟମ। ଯେଉଁଥିପାଇଁ ତାଙ୍କ ସମକକ୍ଷ ନେତା ଓଡ଼ିଶାରେ ସୃଷ୍ଟି ହୋଇ ନାହାନ୍ତି। ରାଜ୍ୟବାସୀଙ୍କ ସେବା କରିବା ଲାଗି ନବୀନଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ ଗାଦିରେ ବସାଇବାକୁ ବିଜେଡିର କର୍ମୀ, ନେତା ଓ କର୍ମକର୍ତ୍ତାମାନେ କିପରି ଦୃଢ଼ ପ୍ରତିଜ୍ଞ ହୋଇଛନ୍ତି ତାହାର ଆଭାସ ପଦମ୍‍ପୁରରେ ଦେଖିବାକୁ ମିଳିଛି।

ଏହି ପରିପ୍ରେକ୍ଷୀରେ ବିଜେଡି ନେତା ସୁଶାନ୍ତ ସିଂହ ଆଗାମୀ ନିର୍ବାଚନରେ ବିଜେଡି ଅନ୍ୟୂନ ୧୨୫ ଆସନ ଦଖଲ କରିବ ବୋଲି ଦୃଢ଼ୋକ୍ତି ଅନେକ ଦୃଷ୍ଟିରୁ ଗୁରୁତ୍ୱବହନ କରୁଛି। ୨୦୦୦ ମସିହାରୁ ରାଜ୍ୟରେ ବିଜେଡିର ଜୟଯାତ୍ରା ଆରମ୍ଭ ହୋଇଥିଲା। ୨୦୦୦ ଓ ୨୦୦୪ରେ ମେଣ୍ଟ ସରକାରରେ ବିଜେଡି ଯେତିକି ପ୍ରତିଶତ ଭୋଟ ପାଇଥିଲା, ତାହା ୨୦୦୯, ୨୦୧୪ ଓ ୨୦୧୯ରେ ବହୁଗୁଣିତ ହୋଇ ସାରିଛି। ଦଳର ଭୋଟ ସଂଖ୍ୟା ଓ ଭୋଟ ହାରର ନିକଟବର୍ତ୍ତୀ ହେବା ପାଇଁ ପ୍ରତିପକ୍ଷ ଅସମର୍ଥ ହୋଇଛନ୍ତି। ବିଧାନସଭା ନିର୍ବାଚନରେ ଦଳର ଭୋଟ ସଂଖ୍ୟା ୧ କୋଟି ୫ ଲକ୍ଷ ଅତିକ୍ରମ କରିଥିଲା। ପଞ୍ଚାୟତ ନିର୍ବାଚନରେ ଏହା ୧.୨ କୋଟି ଅତିକ୍ରମ କରିଛି। ସଂଗଠନକୁ ଦୃଢ଼ୀକରଣ କରାଯାଇ ଏହାକୁ ୧.୫ କୋଟିରେ ପହଞ୍ଚାଇବା ପାଇଁ ଦଳ ପ୍ରସ୍ତୁତ କରିଥିବା ଲକ୍ଷ୍ୟଭେଦୀ ଯୋଜନା ସଫଳ ହେବା ଦିଶାରେ ଗତି କରୁଛି। ଚଳିତ ମାସରେ ୨୬ତମ ପ୍ରତିଷ୍ଠା ଦିବସ ପାଳନଠାରୁ ଆଗାମୀ ନିର୍ବାଚନ ପାଇଁ ଦଳ ବିଧିବଦ୍ଧ ପ୍ରସ୍ତୁତି ଆରମ୍ଭ କରିବ।

ନିର୍ବାଚନ ପରିଚାଳନାରେ ବିଜେଡି ରାଜ୍ୟର ଅନ୍ୟ ସମସ୍ତ ରାଜନୈତିକ ଦଳଠାରୁ ଯଥେଷ୍ଟ ଆଗରେ। ପ୍ରସ୍ତୁତି, ପରିଚାଳନା ଓ କାର୍ଯ୍ୟାନ୍ୱୟନ କ୍ଷେତ୍ରରେ ମଧ୍ୟ ଦଳର ନେତାମାନେ ପ୍ରବୀଣ। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନ ଓ ଏହାକୁ କାର୍ଯ୍ୟକ୍ଷେତ୍ରରେ ରୂପାନ୍ତରଣରେ ଦଳୀୟ ନେତାମାନେ ଯେଉଁପରି ନିଷ୍ଠା ଦେଖାଇଥାଆନ୍ତି, ତାହା ଅନ୍ୟଦଳ ନିକଟରେ ଦେଖାଯାଏ ନାହିଁ। ଯେଉଁଥିପାଇଁ ଗତ ୨୨ ବର୍ଷ ଧରି ପ୍ରତ୍ୟେକ ନିର୍ବାଚନରେ ଦଳର ଭୋଟ ହାର ବୃଦ୍ଧି ପାଇ ଚାଲିଛି। ପଦମ୍‍ପୁର ଉପନିର୍ବାଚନ ଏହାର ଶେଷତମ ଉଦାହରଣ। ଭୋଟ ସଂଖ୍ୟା, ଭୋଟ ହାର, ବିଜୟ ବ୍ୟବଧାନ ସବୁ କ୍ଷେତ୍ରରେ ବିଜେଡି ପଦମ୍‍ପୁରରେ ଯେଉଁ ଅନତିକ୍ରମଣୀୟ ରେଖା ଟାଣିଛି, ତାକୁ ଅତିକ୍ରମ କରିବାକୁ ବିରୋଧୀମାନେ ଯେ ସକ୍ଷମ ହେବେ, ସେ ନେଇ ସଂଶୟ ସୃଷ୍ଟି ହୋଇଛି। ଏହି ପରିପ୍ରେକ୍ଷୀରେ ସୁଶାନ୍ତ ସିଂହଙ୍କ ‘୧୨୫’ ଆଶା ଆଦୌ ଅମୂଳକ ନୁହେଁ ବୋଲି ରାଜନୈତିକ ସମୀକ୍ଷକମାନେ ମନେ କରୁଛନ୍ତି।

About The Author: The Sakala