ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ ମାମଲାରେ ୫ ବିଧାୟକଙ୍କୁ ନୋଟିସ୍‌: ହାଇକୋର୍ଟଙ୍କ ହସ୍ତକ୍ଷେପକୁ ବିଜେଡିର ସ୍ୱାଗତ

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ ମାମଲାରେ ବିଧାୟକଙ୍କ ସଭ୍ୟପଦ ରଦ୍ଦ ଦାବି କରି ବିଜଡେି ପକ୍ଷରୁ ହାଇକୋର୍ଟରେ ମାମଲା ଦାୟର ହୋଇଥିଲା। ଏହି ମାମଲାରେ ହାଇକୋର୍ଟ ୫ ବିଧାୟକଙ୍କୁ ନୋଟିସ୍‌ ଜାରି କରି ସେମାନଙ୍କ ସଭ୍ୟ ପଦ କାହିଁକି ରଦ୍ଦ ନ ହେବ, ସେନେଇ ନିଜ ପକ୍ଷ ରଖିବାକୁ କହିଛନ୍ତି। ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶକୁ ସ୍ୱାଗତ କରିଛି ବିଜେଡି।

ଶଙ୍ଖ ଭବନ ଠାରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ବିଜୁ ଜନତା ଦଳର ବରିଷ୍ଠ ଉପସଭାପତି ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ହାଇକୋର୍ଟଙ୍କ ହସ୍ତକ୍ଷେପକୁ ସ୍ୱାଗତ କରିଛନ୍ତି। ସେ କହିଛନ୍ତି ଯେ କ୍ରସ ଭୋଟିଂ ଅଭିଯୋଗରେ ବିଜେଡି ପୂର୍ବରୁ ଓଡ଼ିଶା ବିଧାନସଭାର ବାଚସ୍ପତିଙ୍କ ନିକଟରେ ବିଜେଡିର ୮ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ନିୟମ ଅନୁଯାୟୀ ଆବେଦନ କରିଥିଲା । କିନ୍ତୁ ପ୍ରକ୍ରିୟାଗତ ତ୍ରୁଟି ଦର୍ଶାଇ ବାଚସ୍ପତି ଏହାକୁ ଗ୍ରହଣ ନ କରି ଖାମଖିଆଲ ଭାବରେ ରାଜନୈତିକ ଉଦ୍ଦେଶ୍ୟ ରଖି ଖାରଜ କରିଥିଲେ । ଏହାକୁ ନେଇ ବିଜେଡି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ଗତ ୧ ମାସ ତଳେ ହାଇକୋର୍ଟ ଏହାକୁ ଗ୍ରହଣ କରି ବାଚସ୍ପତିଙ୍କୁ ନୋଟିସ୍‌ ଜାରି କରିଥିଲା ବେଳେ ବାଚସ୍ପତି ଜବାବ ଦାଖଲ ପାଇଁ ସମୟ ନେଇଛନ୍ତି। ଆଜି ପ୍ରଥମ ପର୍ଯ୍ୟାୟରେ ହାଇକୋର୍ଟ ୫ ବିଧାୟକଙ୍କ ସଭ୍ୟ ପଦ କାହିଁକି ରଦ୍ଦ ନ ହେବ, ସେନେଇ ନୋଟିସ୍‌ ଜାରି କରି ନିଜ ପକ୍ଷ ରଖିବାକୁ କହିଛନ୍ତି। 

ଏହି ପରିପ୍ରେକ୍ଷୀରେ ଆଡଭୋକେଟ୍‌ ଜେନେରାଲ ଆଜି ଗଣମାଧ୍ୟମକୁ ଦେଇଥିବା ତାଙ୍କ ମନ୍ତବ୍ୟ ଅତ୍ୟନ୍ତ ହାସ୍ୟାସ୍ପଦ। ଯେଉଁ ବିଧାୟକମାନେ ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିଥିଲେ, ତାଙ୍କ ସଭ୍ୟ ପଦ ରଦ୍ଦ ଉପରେ ମତାମତ ନ ରଖି ବିଜେଡି ବାଚସ୍ପତିଙ୍କ ପାଖରେ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ନେଇ କରିଥିବା ଆବେଦନ ଉପରେ ଆଡଭୋକେଟ୍‌ ଜେନେରାଲ ମନ୍ତବ୍ୟ ରଖିବା ନିନ୍ଦନୀୟ। ଶ୍ରୀମତୀ ମଲ୍ଲିକ ଆହୁରି କହିଥିଲେ ଯେ ନ୍ୟାୟିକ ପ୍ରକ୍ରିୟା ଉପରେ ଆସ୍ଥା ପ୍ରକଟ କରିବା ସହ ଏହି ମାମଲା ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଶେଷ ହେବ ବୋଲି ଦଳ ଆଶା ରଖିଛି । ସାମ୍ୱିଧାନିକ ଓ ଆଇନଗତ ପ୍ରସଙ୍ଗଗୁଡ଼ିକୁ ଉପଯୁକ୍ତ ମର୍ଯ୍ୟାଦା ରକ୍ଷା କରି ଏବଂ ପ୍ରତିଷ୍ଠିତ ଆଇନଗତ ନୀତି ଅନୁଯାୟୀ ଉପସ୍ଥାପନ କରାଯିବ ବୋଲି ସେ କହିଛନ୍ତି।

About The Author: Madhusudan Das