ଭୁବନେଶ୍ୱର: ରାଜ୍ୟରେ କୃଷକମାନଙ୍କ ସମସ୍ୟା ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ବିଜୁ ଜନତା ଦଳ ସରକାରଙ୍କ ଉପରେ ବର୍ଷିଛି। ଚାଷୀ ପ୍ରଥମେ ସାର ମୁଠାଏ ପାଇବା ପାଇଁ ଦହଗଞ୍ଜ ହୋଇଥିବା ବେଳେ ଏବେ ଧାନ ବିକ୍ରି କରିପାରୁନାହାନ୍ତି। ସେହିପରି ରାଜ୍ୟରେ ଶାସନ କ୍ଷମତା ହାତକୁ ନେବା ପରଠାରୁ ଆଇନଶୃଙ୍ଖଳା ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ ହୋଇପଡ଼ିଛି। ତେଣୁ ଏହାର ପ୍ରତିବାଦରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତା ଫେବୃଆରୀ୨ରୁ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ପ୍ରତିଟି ଜିଲ୍ଲାରେ ବିକ୍ଷୋଭ ପ୍ରଦର୍ଶନ କରାଯିବ। ଏହାପରେ ୨୪ ତାରିଖ ଦିନ ରାଜଧାନୀ ଭୁବନେଶ୍ୱରଠାରେ ଏକ ବିଶାଳ ପ୍ରତିବାଦ ସଭା ଆୟୋଜନ ହେବ ବୋଲି ବିଜେଡି ପକ୍ଷରୁ ସୂଚନା ଦିଆଯାଇଛି।
ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ବିଜେଡି କୃଷକ ସେଲ୍ର ଆବାହକ ତଥା ବିଧାନସଭାରେ ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ଦଳର ଉପସଭାପତି ସଞ୍ଜୟ କୁମାର ଦାସବର୍ମା, ବିଧାୟକ ଡ. ଅରୁଣ କୁମାର ସାହୁ ରାଜ୍ୟ ବିଜେପି ସରକାରଙ୍କ ବିଫଳତାକୁ ବଖାଣିବା ସହିତ ପ୍ରତିଶ୍ରୁତି ପ୍ରତାରଣାରେ ପରିଣତ ହୋଇଛି ବୋଲି କହିଥିଲେ। ଦେବୀ ପ୍ରସାଦ ମିଶ୍ର କହିଥିଲେ ଯେ ବିଜେପିର ପ୍ରତିଶ୍ରୁତିର ଖିଲାପ ପରେ, ବିଭିନ୍ନ ସ୍ତରରେ ଜନସାଧାରଣଙ୍କ କ୍ଷୋଭ ଦେଖିବାକୁ ମିଳୁଛି। ପ୍ରଥମେ ଚାଷୀମାନଙ୍କୁ ସାର ମୁଠାଏ ଦେବା ପାଇଁ ସରକାର ହନ୍ତସନ୍ତ କଲେ। ଏବେ ଧାନ ଉତ୍ପାଦନ ପରେ ସରକାର ଧାନ କିଣା ପ୍ରକ୍ରିୟା ସଠିକ୍ ଭାବେ ହୋଇପାରୁନାହିଁ, ଯେଉଁଥିପାଇଁ ରାଜ୍ୟର କୃଷକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅପରପକ୍ଷରେ ବିଜେପି ରାଜ୍ୟର ଶାସନ ଭାର ହାତକୁ ନେବା ପରେ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାରେ ଲାଗିଛି। ମୋତେ ଯେତେ ମାଠିବୁ ମାଠ; ମୁଁ ସେଇ ଦରପୋଡ଼ା କାଠ, ସଦୃଶ୍ୟ ଯେତେ କୁହାଗଲେ ମଧ୍ୟ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ସୁଧୁରିବାର ନାଁ ନେଉନାହିଁ।
ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ଚଳିତ ବର୍ଷ ରାଜ୍ୟରେ ପ୍ରଥମ ଥର ପାଇଁ ଧାନ ସଂଗ୍ରହ ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ବିପର୍ଯ୍ୟସ୍ତ ହୋଇ ପଡିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ରାଜ୍ୟରେ ଚଳିତ ବର୍ଷ ୧୯ ଲକ୍ଷ ୬୬ ହଜାର ୧୮୧ ଜଣ ଚାଷୀ ପଞ୍ଜିକୃତ ହୋଇଥିବା ବେଳେ ଏବେସୁଧା ମାତ୍ର ୨୯ ପ୍ରତିଶତ ଚାଷୀଙ୍କଠାରୁ ନିର୍ଦ୍ଧାରିତ ୭୩ ଲକ୍ଷ ମେଟ୍ରିକ ଟନ୍ରୁ ମାତ୍ର ୨୫ଲକ୍ଷ ମେଟ୍ରିକ ଟନ୍ ଅର୍ଥାତ୍ ୩୪ ପ୍ରତିଶତ ଧାନ କିଣା ଯାଇପାରିଛି। ଏହା ସରକାରଙ୍କ ଚରମ ବିଫଳତାର ନିଦର୍ଶନ। ରାଜ୍ୟର ଜଳସେଚିତ ଅଞ୍ଚଳଗୁଡିକରେ ଏବେ ଡାଳୁଅ ଧାନ ଚାଷ ଆରମ୍ଭ ହୋଇ ଗଲାଣି; ସରକାରଙ୍କର କିନ୍ତୁ ଖରିଫ ଧାନ କିଣା ଶେଷ ହେଲା ନାହିଁ। ଏବେ ସରକାର ଏହି ଧାନ କିଣା ମାର୍ଚ୍ଚ ଯାଏ ଚାଲିବ ବୋଲି କହୁଛନ୍ତି। ଖରିଫ ଧାନ କିଣା ଅଧିକ ବିଳମ୍ୱିତ ହେଲେ ଡାଳୁଅ ଧାନ ଚାଷ ପାଇଁ ଚାଷୀମାନେ ଅର୍ଥ ଯୋଗାଡ଼ କରିବାକୁ ଅସମର୍ଥ ହେବେ। ଓଡ଼ିଶା ଧାନ ସଂଗ୍ରହରେ କିପରି ଭାବେ ବିଫଳ ହୋଇଛି ତାହା ପଡୋଶୀ ଛତିଶଗଡ଼ ରାଜ୍ୟର ଧାନ ସଂଗ୍ରହ ତଥ୍ୟ ଦେଖିଲେ ସ୍ପଷ୍ଟ ହେଉଛି। ଛତିଶଗଡ଼ ଓଡ଼ିଶା ତୁଳନାରେ ଛୋଟ ରାଜ୍ୟ ହୋଇଥିବା ବେଳେ ଓଡ଼ିଶା ଠାରୁ କମ ଧାନ ଉତ୍ପାଦନ କରୁଛି। ମାତ୍ର ଏବେ ସୁଦ୍ଧା ଛତିଶଗଡ଼ ୧ ଲକ୍ଷ ୨୬ ହଜାର ମେଟ୍ରିକ ଟନ ଧାନ ସଂଗ୍ରହ କରି ସାରିଛି। ତେଣୁ ଓଡ଼ିଶା ସରକାରଙ୍କ ଧାନ କିଣା ପ୍ରକ୍ରିୟା ସମ୍ପୂର୍ଣ୍ଣ ବିଫଳ ହୋଇଛି। ଧାନ କିଣା ବିଫଳ ହେବା କାରଣରୁ ରାଜ୍ୟର ଅର୍ଥନୀତି ଉପରେ କୁପ୍ରଭାବ ପଡିବ ବୋଲି ଶ୍ରୀ ଆଚାର୍ଯ୍ୟ କହିଥିଲେ।
ସଞ୍ଜୟ କୁମାର ଦାସବର୍ମା କହିଥିଲେ ଯେ ବିଜେପି ବିନା କଟନୀ ଛଟନୀରେ ଧାନ କିଣା ହେବ ବୋଲି ପ୍ରତିଶ୍ରୁତି ଦେଇଥିଲା ହେଲେ ବ୍ୟାପକ କଟ୍ନୀଛଟ୍ନୀ ହେଉଛି। ଗତବର୍ଷ କିଣା ଯାଇଥିବା ଖରିଫ ଚାଉଳର ୯ ପ୍ରତିଶତ ଏପର୍ଯ୍ୟନ୍ତ ମିଲର୍ମାନଙ୍କଠାରୁ ଉଠା ଯାଇନାହିଁ। ସେହିପରି ଗତ ବର୍ଷର ରବି ଧାନର ଚାଉଳ ରାଜ୍ୟର ୨୨ଟି ଜିଲ୍ଲାରେ ସମଗ୍ର ପରିମାଣ ମିଲର୍ଙ୍କଠାରୁ ଉଠାଯାଇ ନାହିଁ। ଏହା ହେଉଛି ରାଜ୍ୟରେ ଧାନ ସଂଗ୍ରହର ସ୍ଥିତି। ମଣ୍ଡି ଖୋଲିବାରେ ଅହେତୁକ ବିଳମ୍ୱ ହେବାରୁ କ୍ଷୁଦ୍ର ଚାଷୀମାନେ ଅଭାବୀ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ବୋଲି ସେ କ୍ଷୋଭ ପ୍ରକାଶ କରିଥିଲେ।
ଡ. ଅରୁଣ କୁମାର ସାହୁ କହିଥିଲେ ଯେ ରାଜ୍ୟର ଆଇନଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡିଛି। ସରକାରୀ ତଥ୍ୟ ଅନୁଯାୟୀ ୪୦ ହଜାରରୁ ଉଦ୍ଧ୍ୱର୍ ମହିଳା ବିଭିନ୍ନ ପ୍ରକାରର ନିର୍ଯାତନାର ଶିକାର ହୋଇଛନ୍ତି। ରାଜ୍ୟରେ ସାମ୍ପ୍ରଦାୟିକ ଉତ୍ତେଜନା ଓ ଦଙ୍ଗା ଇତ୍ୟାଦି ଘଟଣା ଅହେତୁକ ଭାବେ ବୃଦ୍ଧି ପାଇଛି। ରାଜ୍ୟର ପୁଲିସ ଷ୍ଟେସନଗୁଡିକ ଏବେ ବିଜେପି ନେତା କର୍ମୀଙ୍କ କବ୍ଜାରେ ଥିବାରୁ ସାଧାରଣ ଲୋକଟି ଥାନାକୁ ଯିବା ପାଇଁ ଭୟ କରୁଛି। ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପାଇଁ ଆଉ କେହି ନୁହେଁ; କେବଳ ରାଜ୍ୟ ବିଜେପି ସରକାର ଦାୟୀ ବୋଲି ସେ କହିଥିଲେ। ସାମ୍ୱାଦିକ ସମ୍ମିଳନୀରେ ବିରୋଧୀ ଦଳ ନେତାଙ୍କ ରାଜନୈତିକ ସଚିବ ତଥା ଦଳର ପିଏସି ସଦସ୍ୟ ସଂତୃପ୍ତ ମିଶ୍ର ଓ ପୂର୍ବତନ ମନ୍ତ୍ରୀ ତଥା ଦଳର ପିଏସି ସଦସ୍ୟା ଟୁକୁନି ସାହୁ ଉପସ୍ଥିତ ଥିଲେ।