ପରୀକ୍ଷା ଅବ୍ୟବସ୍ଥାକୁ ନେଇ ନବୀନଙ୍କ କ୍ଷୋଭ: ଭରସା ଭାଙ୍ଗିଛି ଶିକ୍ଷା ବ୍ୟବସ୍ଥା, ଛାତ୍ରଙ୍କ ସହ ଆଲୋଚନା କରନ୍ତୁ ସରକାର

ଭୁବନେଶ୍ୱର: ଦେଶର କୋଟି କୋଟି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଜଡିତ ଶିକ୍ଷା ବ୍ୟବସ୍ଥା ଆଜି ଏକ ଗଭୀର ବିଶ୍ୱାସ ସଙ୍କଟର ସମ୍ମୁଖୀନ ହୋଇଛି। ପ୍ରତିଯୋଗିତାମୂଳକ ପରୀକ୍ଷାରେ ଅନିୟମିତତା, ପ୍ରଶ୍ନପତ୍ର ଲିକ୍‌, ମୂଲ୍ୟାୟନରେ ତ୍ରୁଟି ଓ ପରୀକ୍ଷା ପରିଚାଳନାରେ ବାରମ୍ବାର ଦେଖାଦେଉଥିବା ବିଫଳତା କେବଳ ଗୋଟିଏ ପରୀକ୍ଷାକୁ ନୁହେଁ, ସମଗ୍ର ଶିକ୍ଷା ବ୍ୟବସ୍ଥାର ବିଶ୍ୱସନୀୟତା ପ୍ରଶ୍ନର କାଠଗଡ଼ାରେ ଠିଆ ହୋଇଛି। ଏଭଳି ପରିସ୍ଥିତିରେ ଦେଶର ଯୁବପିଢ଼ିଙ୍କ ଆସ୍ଥାକୁ ପୁନଃ ସ୍ଥାପନ କରିବା ପାଇଁ ସଂସଦରେ ଏହି ପ୍ରସଙ୍ଗକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ବ୍ୟାପକ ଆଲୋଚନା ସହ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରୁଥିବା ଛାତ୍ରଛାତ୍ରୀଙ୍କ ସହ ସରକାର ତୁରନ୍ତ ବାର୍ତ୍ତାଳାପ କରନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ବିଜେଡି ସୁପ୍ରିମୋ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ । ଏପରି କରିପାରିଲେ ସେମାନଙ୍କ ମନରେ ଆମର ଶିକ୍ଷା ବ୍ୟବସ୍ଥା, ଗଣତନ୍ତ୍ର ପ୍ରତି ସେମାନଙ୍କର ବିଶ୍ୱାସକୁ ପୁନଃସ୍ଥାପିତ କରିପାରିବ ବୋଲି ନବୀନ କହିଛନ୍ତି।

ସାମାଜିକ ଗଣମାଧ୍ୟମ ଏକ୍ସରେ ନବୀନ କହିଛନ୍ତି ଯେ ଆମ ଦେଶର ଲକ୍ଷ ଲକ୍ଷ ପିଲାଙ୍କ ପାଇଁ ଶିକ୍ଷା ହିଁ ଏକ ଉଜ୍ଜ୍ୱଳ ଭବିଷ୍ୟତର ଏକମାତ୍ର ମାଧ୍ୟମ। ପ୍ରତ୍ୟେକ ବିକଶିତ ରାଷ୍ଟ୍ର ଏକ ସୁଦୃଢ଼ ଶିକ୍ଷା ବ୍ୟବସ୍ଥା, ଏକ ସ୍ୱଚ୍ଛ ଓ ବିଶ୍ୱାସଯୋଗ୍ୟ ପରୀକ୍ଷା ପ୍ରକ୍ରିୟା ଉପରେ ଆଧାରିତ। ନିଜର ଶିକ୍ଷା ବ୍ୟବସ୍ଥାର ଶକ୍ତି ଯୋଗୁଁ ଭାରତ ମଧ୍ୟ ଉଲ୍ଲେଖନୀୟ ପ୍ରଗତି ହାସଲ କରିଛି। ଏହା ପିଢ଼ି ପିଢ଼ି ଧରି ପ୍ରତିଭାବାନ ଡାକ୍ତର, ବୈଜ୍ଞାନିକ, ଇଞ୍ଜିନିୟର, ଶିକ୍ଷକ ଏବଂ ଉଦ୍ଭାବକମାନଙ୍କୁ ଗଢ଼ିଛି, ଯେଉଁମାନେ ଆଧୁନିକ ଭାରତ ଗଠନରେ ଏକ ଅମୂଲ୍ୟ ଅବଦାନ ରଖିଛନ୍ତି; କିନ୍ତୁ ଆଜି ଏହି ବ୍ୟବସ୍ଥା ଉପରେ ବିଶ୍ୱାସ ଭାଙ୍ଗିଯାଇଛି। ଏହା କେବଳ ଗୋଟିଏ ପରୀକ୍ଷାର ବିଫଳତା ନୁହେଁ; ଏହା ସମଗ୍ର ଶିକ୍ଷା ବ୍ୟବସ୍ଥାର ମୂଳଦୁଆକୁ ଆଘାତ ଦେଇଛି। ଏହା ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ଏହି ବାର୍ତ୍ତା ଦେଉଛି ଯେ କଠିନ ପରିଶ୍ରମର ଆଉ କୌଣସି ମୂଲ୍ୟ ନାହିଁ; ଅନ୍ୟପକ୍ଷରେ  ଦାରିଦ୍ର୍ୟରୁ ମୁକ୍ତି ପାଇବାର ସେମାନଙ୍କର ଏକମାତ୍ର ସୋପାନକୁ ମଧ୍ୟ ଛଡ଼ାଇ ନେଉଛି। ଯେଉଁ ଦେଶ ନିଜର ପରୀକ୍ଷା ବ୍ୟବସ୍ଥାର ସ୍ୱଚ୍ଛତା ତଥା ନିରପେକ୍ଷତା ସହ ସାଲିସ କରେ,  ସେ ନିଜର ଭବିଷ୍ୟତ ସହ ମଧ୍ୟ ସାଲିସ କରିଥାଏ ବୋଲି ନବୀନ କ୍ଷୋଭ ପ୍ରକାଶ କରିଛନ୍ତି। ସାରା ଦେଶର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କୁ ପ୍ରଭାବିତ କରୁଥିବା ଏହି ଗମ୍ଭୀର ସମସ୍ୟାକୁ ସଂସଦରେ ସର୍ବୋଚ୍ଚ ପ୍ରାଥମିକତା ସହ ଉପସ୍ଥାପନ କରାଯିବା ଉଚିତ୍‌। ଆମ ଗଣତନ୍ତ୍ରର ମନ୍ଦିରରେ ଏହା ଉପରେ ଏକ ବିସ୍ତୃତ ଆଲୋଚନା ହେବା ଆବଶ୍ୟକ। ଯାହା ଦ୍ୱାରା ପ୍ରଶ୍ନପତ୍ର ଲିକ୍‌, ତ୍ରୁଟିପୂର୍ଣ୍ଣ ମୂଲ୍ୟାଙ୍କନ ଏବଂ ବ୍ୟାବସ୍ଥାଗତ ବିଫଳତାର ଯେପରି ପୁନରାବୃତ୍ତି ନ ହୁଏ, ତାହା ନିଶ୍ଚିତ କରିବା ପାଇଁ ବଳିଷ୍ଠ ସଂସ୍କାର ଅଣାଯାଇପାରିବ। ଏହି ବିଶ୍ୱାସଭଙ୍ଗ ପାଇଁ ଉତ୍ତରଦାୟିତ୍ୱ ମଧ୍ୟ ନିର୍ଦ୍ଧାରଣ କରାଯିବା ଜରୁରୀ ବୋଲି ନବୀନ ମତବ୍ୟକ୍ତ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ରାଜନୀତିକୁ ପଛରେ ପକାଇ, ମୁଁ ସରକାରଙ୍କୁ ଅନୁରୋଧ କରୁଛି ଯେ ଗତ କିଛିଦିନ ଧରି ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଥିବା ଛାତ୍ରଛାତ୍ରୀଙ୍କ ସହ ଏକ ଅର୍ଥପୂର୍ଣ୍ଣ ଆଲୋଚନା ଆରମ୍ଭ କରନ୍ତୁ। ସେମାନଙ୍କୁ ନିଜର ମତାମତ ପ୍ରକାଶ କରିବା ପାଇଁ ଏକ ମଞ୍ଚ ପ୍ରଦାନ କରାଯିବା ଉଚିତ। ଏକ ସଜୀବ ଗଣତନ୍ତ୍ର ନିରବତା ନୁହେଁ, ବରଂ ସଂଳାପ ମାଧ୍ୟମରେ ଆଗକୁ ବଢେ଼ । ଯେତେବେଳେ ଏହି ସଂଳାପ ଦେଶର ଯୁବପିଢ଼ିଙ୍କ ସହ ଜଡ଼ିତ ଥାଏ, ସେତେବେଳେ ଏହାର ଗୁରୁତ୍ୱ ଆହୁରି ବଢ଼ିଯାଏ। ଭାରତର ଶିଶୁ ଓ ଯୁବପିଢ଼ି ଆଜି ଆମଠାରୁ ନେତୃତ୍ୱର ଆଶା ରଖିଛନ୍ତି। ଆମେ ସେମାନଙ୍କୁ ନିରାଶ କରିପାରିବା ନାହିଁ। 

ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଥିବା ଯୁବପିଢ଼ିଙ୍କ ସହ ସରଳ, ଆନ୍ତରିକ ଏବଂ ଖୋଲା ମନରେ ଆଲୋଚନା କଲେ ହିଁଁ ଆମ ଗଣତନ୍ତ୍ର, ଶିକ୍ଷା ବ୍ୟବସ୍ଥା ଏବଂ ସେମାନଙ୍କ ଭବିଷ୍ୟତ ଗଢ଼ିବାର ଦାୟିତ୍ୱ ନେଇଥିବା ନେତୃତ୍ୱ ପ୍ରତି ସେମାନଙ୍କର ବିଶ୍ୱାସକୁ ପୁନଃସ୍ଥାପିତ କରିବ। ବିଜୁ ଜନତା ଦଳ ଦେଶର ଯୁବପିଢ଼ି ଓ ଛାତ୍ରଛାତ୍ରୀଙ୍କ ସହ ସର୍ବଦା ଦୃଢ଼ତାର ସହ ଛିଡ଼ା ହୋଇ ରହିଛି ବୋଲି ନବୀନ ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି।

About The Author: Madhusudan Das