ଅପାରଗ ପୋଲିସର ବିନା ତଦନ୍ତରେ କାର୍ଯ୍ୟାନୁଷ୍ଠାନ ଯୋଗୁ ଥାନାକୁ ଯିବାକୁ ଡରିଲେଣି ଲୋକେ: ବିଜେଡି

ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ଆଇନଶୃଙ୍ଖଳା ବ୍ୟବସ୍ଥାର ଚରମ ଅଧୋଗତି ହେଉଛି। ବିନା ତଥ୍ୟ ପ୍ରମାଣରେ ବାରଙ୍ଗ ଅଞ୍ଚଳର ଜଣେ ନିରୀହ ଯୁବକଙ୍କୁ ପୁଲିସ୍‌ ଥାର୍ଡ ଡିଗ୍ରୀ ଦେଇଛି। ଫଳରେ ଉକ୍ତ ଯୁବକ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ପୁଲିସର ଏହି ଦାୟିତ୍ୱହୀନତାକୁ କଡ଼ା ଭାଷାରେ ନିନ୍ଦା କରିବା ସହ ସଂପୃକ୍ତ ଯୁବକଙ୍କୁ ନ୍ୟାୟ ଦିଆଯାଉ ବୋଲି ବିଜେଡି ଦାବି କରିଛି। ଗୁରୁବାର ଶଙ୍ଖ ଭବନଠାରେ ଅନୁଷ୍ଠିତ ସାମ୍ୱାଦିକ ସମ୍ମିଳନୀରେ ବିଜେଡି ରାଜ୍ୟସଭା ସାଂସଦ ସୁଲତା ଦେଓ ଓ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପସିତା ସାହୁ ପୁଲିସ ବ୍ୟବସ୍ଥାର ଅପରିଣାମଦର୍ଶୀ କାର୍ଯ୍ୟ ତଥା ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ନେଇ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି।

ସୁଲତା ଦେଓ କହିଛନ୍ତି ଯେ ରାଜ୍ୟରେ ଯେବେଠାରୁ ବିଜେପି ସରକାର ଆସିଲାଣି, ସେହିଦିନଠାରୁ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। କଟକ ଜିଲ୍ଲା ବାରଙ୍ଗ ବ୍ଲକ୍‌ ଅନ୍ତର୍ଗତ ଚଣ୍ଡିପ୍ରସାଦ ଗାଁର ରାକେଶ ବେହେରା ନାମକ ଜଣେ ଯୁବକ ନିଜ ସ୍ତ୍ରୀ ନିଖୋଜ ହୋଇଛନ୍ତି ବୋଲି ବାରଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହାର ଦୁଇ ଦିନ ପରେ କାଠଯୋଡ଼ି ପଠାରୁ  ଜଣେ ମହିଳାଙ୍କ ଗଳିତ ଶବ ମିଳିଥିଲା। ପୁଲିସ କିଛି ନବୁଝି ରାକେଶଙ୍କୁ ଡକାଇ ତାଙ୍କ ଉପରେ ପାଶବିକ ଅତ୍ୟାଚାର କରିଥିଲା। ଲଗାତାର ତିନି ଦିନ ଧରି ଥାର୍ଡ ଡିଗ୍ରୀ ଯୋଗୁଁ ରାକେଶଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ହୋଇଥିଲା। ଅନ୍ୟପଟେ ରାକେଶଙ୍କ ସ୍ତ୍ରୀ ଜୀବିତ ଥିବା ଜଣାପଡ଼ିଛି। ଗୋଟିଏପଟେ ନିଖୋଜ ମହିଳା ଜୀବିତ ଥିବା ଜଣାପଡ଼ିଥିବା ବେଳେ ଅନ୍ୟପଟେ ଅପରିଚିତ ମହିଳାଙ୍କ ଗଳିତ ଶବ ସଠିକ ଚିହ୍ନଟ ନକରି ବିନା କାରଣରେ ରାକେଶକୁ ଥାର୍ଡ ଡିଗ୍ରୀ ଦେଇ ପୁଲିସ ଲହୁଲୁହାଣ କରିଛି।

ବିଜେପି ଭାବୁଛି ଯେ ତଦନ୍ତକାରୀ ସଂସ୍ଥାଗୁଡ଼ିକ ତାଙ୍କ ଦଳୀୟ ସଂଗଠନର ଅଂଶବିଶେଷ। ତେଣୁ, ବିଜେପି ନେତାମାନେ ତଦନ୍ତକାରୀ ସଂସ୍ଥା ଉପରେ ସଦାବେଳେ ଚାପ ପ୍ରୟୋଗ କରୁଛନ୍ତି। ସେଥିପାଇଁ ସାଧାରଣ ଲୋକେ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି।

କେବଳ ରାକେଶ ବେହେରା କଥା ନୁହେଁ, ସାରା ରାଜ୍ୟରେ ଏଭଳି ଅସଂଖ୍ୟ ଅଘଟଣ ଘଟିଲାଣି। ଏଥିପାଇଁ ରାଜ୍ୟ ସରକାରଙ୍କ ଦିଶାହୀନ ଶାସନ ବ୍ୟବସ୍ଥା ଦାୟୀ। ଏଠାରେ ପ୍ରଶ୍ନ ଉଠୁଛି ମିଳିଥିବା ଗଳିତ ଶବ କାହାର, କେଉଁ ଆଧାରରେ ରାକେଶଙ୍କୁ ଥାର୍ଡ ଡିଗ୍ରୀ ଦିଆଗଲା। ଓଡ଼ିଶା ଏବେ ଅପରାଧୀମାନଙ୍କ ଚରାଭୂଇଁ ପାଲଟିଛି। ଯଦି ଏଥିରେ ସୁଧାର ନଆସେ ଆଗାମୀ ଦିନରେ ବିଜେଡି ରାଜ୍ୟ ସରକାରଙ୍କୁ ଉଚିତ ଜବାବ ଦେବ ବୋଲି ସେ କହିଥିଲେ। 

ଇପସିତା କହିଛନ୍ତି ଯେ ବାରଙ୍ଗ ଥାନାରେ ଅଭିଯୋଗ ପରେ ପୁଲିସ ସଠିକ ତଦନ୍ତ ନକରି କାହିଁକି ରାକେଶ ବେହେରାଙ୍କ ଉପରେ ଥାର୍ଡ ଡିଗ୍ରୀ କରିଥିଲା, ଗୃହବିଭାଗ ତାହାର ଉତ୍ତର ରଖୁ। ମୃତ ମହିଳାଙ୍କ ପରିଚୟ ମିଳି ନଥିବା ବେଳେ ନିଖୋଜ ଥିବା ମହିଳା ତଥା ରାକେଶଙ୍କ ପତ୍ନୀ ଜୀବିତ ଥିବା ଜଣାପଡ଼ିବା ପରେ ମଧ୍ୟ କାହିଁକି ପୁଲିସ ରାକେଶଙ୍କ ପ୍ରତି ଏଭଳି ଅମାନବୀୟ ବ୍ୟବହାର କରିଥିଲା, ସେନେଇ ପୁଲିସ ଡିଜି ଉତ୍ତର ଦେବାର ଆବଶ୍ୟକତା ରହିଛି। ପୁଲିସ ମଧ୍ୟ ରାକେଶର ପରିବାରକୁ ତାଙ୍କ ସହ ଦେଖା କରାଇ ଦେଉନାହିଁ। ଏଥିରୁ ସ୍ପଷ୍ଟ ଅନୁମାନ ହେଉଛି ପୁଲିସ ଜାଣିଶୁଣି ଘଟଣାକୁ ଚପାଇଦେବା ପାଇଁ ରାକେଶଙ୍କ ପରିବାର ଉପରେ ଚାପ ପକାଇବାକୁ ଚେଷ୍ଟା କରୁଛି। ଯଦି ଆଗାମୀ ଦିନରେ ରାକେଶ ବେହେରାଙ୍କ ସହ ତାଙ୍କ ପରିବାର ଲୋକଙ୍କ ଭେଟ କରାନଯାଏ, ତାହେଲେ ବିଜେଡିର ଏକ ପ୍ରତିନିଧିଦଳ ଖୁବଶୀଘ୍ର ଚିକିତ୍ସିତ ହେଉଥିବା ରାକେଶଙ୍କୁ ମେଡିକାଲରେ ଭେଟିବ। ରାକେଶଙ୍କ ସହ ଯଦି କିଛି ଅଘଟଣ ଘଟେ, ତାହାହେଲେ ପୁଲିସ କମିଶନର, ଡିଜି ଓ ମୁଖ୍ୟମନ୍ତ୍ରୀ ଉତ୍ତରଦାୟୀ ରହିବେ ବୋଲି ବିଜେଡି କହିଛି।

About The Author: Madhusudan Das