ଜାଲ ସାର୍ଟିଫିକେଟ ମାମଲାରେ ସତ ପଦାକୁ ଆସିଲେ ବିଜେପି ନେତା ମୁହଁ ଦେଖାଇ ପାରିବେନି : ଗୌତମବୁଦ୍ଧ ଦାସ

ଭୁବନେଶ୍ୱର : ସବୁ ସ୍ପର୍ଷକାତର ଏବଂ ସମ୍ବେଦନଶୀଳ ଘଟଣାରେ ରାଜ୍ୟ ସରକାର ବିଧିବଦ୍ଧ ତଦନ୍ତ କରୁଛନ୍ତି, ଅଭିଯୁକ୍ତଙ୍କୁ ଗିରଫ କରାଯାଉଛି । କିନ୍ତୁ ଏସବୁ ଘଟଣାରେ ରାଜନୀତି କରିବାରୁ ବାଦ୍‌ ପଡୁ ନାହାନ୍ତି ବିଜେପି ନେତାମାନେ । ଶସ୍ତା ଚଳଚ୍ଚିତ୍ର ଦେଖି ମନଗଢ଼ା କାହାଣି କହୁଛନ୍ତି । ଭିତ୍ତିହୀନ ଅଭିଯୋଗ ଆଣି ସରକାରଙ୍କୁ ବଦନାମ କରିବା ପାଇଁ ଅପଚେଷ୍ଟା କରୁଛନ୍ତି । ତେଣୁ ମନଇଛା ଗପ କହିବାରୁ ବିଜେପି ନେତା ବିରତ ରହିବା ସହିତ ଧର୍ଯ୍ୟର ସହ […]

ଭୁବନେଶ୍ୱର : ସବୁ ସ୍ପର୍ଷକାତର ଏବଂ ସମ୍ବେଦନଶୀଳ ଘଟଣାରେ ରାଜ୍ୟ ସରକାର ବିଧିବଦ୍ଧ ତଦନ୍ତ କରୁଛନ୍ତି, ଅଭିଯୁକ୍ତଙ୍କୁ ଗିରଫ କରାଯାଉଛି । କିନ୍ତୁ ଏସବୁ ଘଟଣାରେ ରାଜନୀତି କରିବାରୁ ବାଦ୍‌ ପଡୁ ନାହାନ୍ତି ବିଜେପି ନେତାମାନେ । ଶସ୍ତା ଚଳଚ୍ଚିତ୍ର ଦେଖି ମନଗଢ଼ା କାହାଣି କହୁଛନ୍ତି । ଭିତ୍ତିହୀନ ଅଭିଯୋଗ ଆଣି ସରକାରଙ୍କୁ ବଦନାମ କରିବା ପାଇଁ ଅପଚେଷ୍ଟା କରୁଛନ୍ତି । ତେଣୁ ମନଇଛା ଗପ କହିବାରୁ ବିଜେପି ନେତା ବିରତ ରହିବା ସହିତ ଧର୍ଯ୍ୟର ସହ ଅପେକ୍ଷା କରନ୍ତୁ । ସତ ସାମ୍ନାକୁ ଆସିଲେ ସେହି ବିଜେପି ନେତାମାନେ ମୁହଁ ଲୁଚାଇବା ଆରମ୍ଭ କରିବେ । ଜାଲ ପ୍ରମାଣପତ୍ର ପ୍ରସଙ୍ଗରେ ଆଜି ବିଜେପି ନେତାଙ୍କୁ ଜବାବ୍‌ ଦେଇ ବିଜେଡି ମୁଖପାତ୍ର ଗୌତମବୁଦ୍ଧ ଦାସ ଏହା କହିଛନ୍ତି ।

ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ଦାସ କହିଛନ୍ତି, ଜାଲ ପ୍ରମାଣପତ୍ର ମାମଲାରେ ଜଣକ ପରେ ଜଣେ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରୁଛି । ତଦନ୍ତ ଜାରି ରହିଛି ଆଉ କାର୍ଯ୍ୟାନୁଷ୍ଠାନ ହେଉଛି । କିନ୍ତୁ ଏହି ପ୍ରସଙ୍ଗକୁ ନେଇ ଓଡ଼ିଶା ବିଜେପି ନେତାମାନେ ହୀନ ରାଜନୈତିକ ବୟାନବାଜିରୁ ନିଜକୁ ଦୂରେଇ ରଖିପାରୁ ନାହାନ୍ତି । ଶ୍ରୀ ଦାସ କହିଛନ୍ତି ଗୋଲକ ମହାପାତ୍ରଙ୍କ ଭଳି ବିଜେପି ନେତାମାନଙ୍କ ବୟାନରୁ ସ୍ପଷ୍ଟ ହୃଦବୋଧ ହେଉଛି ଯେ ସେମାନେ ବୋଧହୁଏ ଘରେ ବସି ଶସ୍ତା ହିନ୍ଦୀ ସିନେମା ଦେଖୁଛନ୍ତି । ଆଉ ସେହିସବୁ ସିନେମା ଦ୍ୱାରା ପ୍ରଭାବିତ ହୋଇ ମନଗଢ଼ା କାହାଣି ତିଆରି କରୁଛନ୍ତି ଏବଂ ପରେ ଗଣମାଧ୍ୟମ ଆଗରେ ତାହା ଗପୁଛନ୍ତି ।

ପୂର୍ବରୁ ମଧ୍ୟ ବିଜେପି ନେତାମାନେ ବିଭିନ୍ନ ସ୍ପର୍ଷକାତର ମାମଲାରେ ଏହି ପରି ଗପ ପ୍ରସ୍ତୁତ କରି ଶୁଣାଇଛନ୍ତି । ବିନା ତଥ୍ୟ ପ୍ରମାଣରେ ଅରୁଚିକର ମନ୍ତବ୍ୟ ଦେଇ ହୀନ ରାଜନୀତି କରିଛନ୍ତି । କିନ୍ତୁ ଓଡ଼ିଶାବାସୀ ନିର୍ବୋଧ ନୁହନ୍ତି । ସେମାନେ ବିଜେପି ନେତାଙ୍କର ହୀନ ରାଜନୈତିକ ଉଦେ୍ଧ୍ୟଶକୁ ଭଲ ଭାବେ ଜାଣିଛନ୍ତି । ସେଥିପାଇଁ ପ୍ରତ୍ୟେକ ନିର୍ବାଚନରେ ଲୋକେ ବିଜେପିକୁ ପ୍ରତ୍ୟାଖାନ କରି ଚାଲିଛନ୍ତି । ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ବିଜେପି ନେତାଙ୍କ କୌଶଳ ବିଫଳ ହୋଇଛି । ଗୋଲକ ବାବୁ ବୋଧହୁଏ ଜାଣି ନାହାନ୍ତି ଯେ ଓଡ଼ିଶା ପୁଲିସ ହିଁ ତଦନ୍ତ କରି ପ୍ରମାଣପତ୍ର ଜାଲିଆତି ମାମଲାର ପର୍ଦ୍ଧାଫାସ କରିଛନ୍ତି । ସିବିଆଇ କିମ୍ବା ଅନ୍ୟ କୌଣସି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଏହା କରି ନାହାନ୍ତି । ପୁଲିସ ଜଣକ ପରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରୁଛି । ଗୋଲକ ବାବୁ ଏତେ ବ୍ୟସ୍ତ ବିବ୍ରତ କାହିଁକି ହେଉଛନ୍ତି? ଧର୍ଯ୍ୟର ସମୟ ଅପେକ୍ଷା କରନ୍ତୁ । ପୁଲିସ ତଦନ୍ତରୁ କ’ଣ ସବୁ ବାହାରୁଛି ତାହା ଦେଖନ୍ତୁ । ସତ ପଦାକୁ ଆସିଲେ ଗୋଲକ ବାବୁଙ୍କ ଭଳି ବିଜେପି ନେତାମାନେ ଲୋକଙ୍କୁ ମୁହଁ ଦେଖାଇ ପାରିବେ ନାହିଁ ବୋଲି ଶ୍ରୀ ଦାସ କହିଛନ୍ତି ।

About The Author: The Sakala