ଗଞ୍ଜାମରେ ଜଳପ୍ରଳୟ ପାଇଁ ସରକାର ଦାୟୀ: ବିଜେଡି

ଭୁବନେଶ୍ୱର: ରାଜ୍ୟ ସରକାର ଓ ଜଳ ସମ୍ପଦ ବିଭାଗର ପ୍ରସ୍ତୁତି ଅଭାବରୁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟା ଘେରରେ ଗଞ୍ଜାମ, କନ୍ଧମାଳ ଓ ଗଜପତି ଜିଲ୍ଲା ଥିବାବେଳେ ଲକ୍ଷାଧିକ ଲୋକ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି। ଆଜି ବି ଅନେକ କ୍ଷତିଗ୍ରସ୍ତଙ୍କ ନିକଟରେ ପ୍ରଶାସନ ପହଞ୍ଚିପାରି ନାହିଁ। ଏହି ପ୍ରସଙ୍ଗରେ ସରକାରଙ୍କୁ କଠୋର ସମାଲୋଚନା କରିଛି ବିଜେଡି। ସୋମବାର ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ଦଳର ଉପସଭାପତି ପ୍ରତାପ ଜେନା, ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ସାଧାରଣ ସମ୍ପାଦିକା ଟୁକୁନି ସାହୁ, ପୂର୍ବତନ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ସଭାପତି ବିକ୍ରମ ପଣ୍ଡା, ବରିଷ୍ଠ ସାଧାରଣ ସମ୍ପାଦକ ତଥା ଜାତୀୟ ମୁଖପାତ୍ର ଭୃଗୁ ବକ୍ସିପାତ୍ର, ସାଧାରଣ ସମ୍ପାଦିକା ରଞ୍ଜିତା ସାହୁ,  ବିଜୁ ଯୁବ ଜନତା ଦଳର ସଭାପତି ଚିନ୍ମୟ ସାହୁ, ବିପର୍ଯ୍ୟୟ ପରିଚାଳନାରେ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ପ୍ରବଳ ବର୍ଷିଛନ୍ତି। 

ପ୍ରତାପ ଜେନା କହିଥିଲେ ଯେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ମଡେଲ ସାରା ବିଶ୍ୱ ପ୍ରଶଂସା କରିଥିଲା। ମାତ୍ର ବିଜେପି ସରକାର ବିପର୍ଯ୍ୟୟ ପରିଚାଳନାରେ କରିବାରେ ସମ୍ପୂର୍ଣ୍ଣ ଫେଲ ମାରିଛନ୍ତି। ବନ୍ୟା ଯୋଗୁଁ ଗଞ୍ଜାମ, କନ୍ଧମାଳ ଓ ଗଜପତି ଜିଲ୍ଲାରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡିର ଏକ ପ୍ରତିନିଧି ଦଳ ଗଞ୍ଜାମରେ ସ୍ଥିତି ଅନୁଧ୍ୟାନ କରି  ନବୀନ ପଟ୍ଟନାୟକଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। ଲୋକଙ୍କ ସମସ୍ୟାକୁ ନେଇ ପ୍ରଶାସନ ସହ ବାରମ୍ୱାର ଆଲୋଚନା କରିବା ସହ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ତୁରନ୍ତ ସହାୟତା ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନଙ୍କୁ ସେ ଅନୁରୋଧ କରିଛନ୍ତି। ଅନେକ କ୍ଷତିଗ୍ରସ୍ତଙ୍କ ନିକଟରେ ପ୍ରଶାସନ ପହଞ୍ଚି ନାହିଁ। ବନ୍ୟା ପ୍ରଭାବିତ ଲୋକଙ୍କ ପାଖରେ ରନ୍ଧା ଖାଦ୍ୟ, ବିଶୁଦ୍ଧ ପାନୀୟ ଜଳ, ଅତ୍ୟାବଶ୍ୟକ ସାମଗ୍ରୀ ଓ ରିଲିଫ ପହଞ୍ଚାଇବାରେ ସରକାର ବିଫଳ ହୋଇଛନ୍ତି । ଟୁକୁନି ସାହୁ କହିଛନ୍ତି ଯେ ବର୍ତ୍ତମାନର ବିଜେପି ସରକାର ଓ ଜଳ ସମ୍ପଦ ବିଭାଗର ଅବହେଳା ପାଇଁ ଲୋକେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି । ସରକାର ଦୁର୍ବଳ ନଦୀବନ୍ଧ ଗୁଡ଼ିକର ମରାମତି ନ କରିବା ଏବଂ ଜଳଭଣ୍ଡାରରୁ ଜଳ ନିଷ୍କାସନ ପରିଚାଳନାରେ ତ୍ରୁଟି ପାଇଁ ଆଜି ଏହି ଜଳ ପ୍ରଳୟ ସୃଷ୍ଟି ହୋଇଛି। ସମ୍ଭାବ୍ୟ ବିପଦକୁ ଆକଳନ କରି ଆଗୁଆ ପଦକ୍ଷେପ ନେବାରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ସୂଚନା ନ ଦେଇ ଜଳଭଣ୍ଡାରର ଗେଟ୍‌ ଖୋଲା ଯିବାରୁ ଜଳର ତୀବ୍ରତା ବ୍ୟାପକ କ୍ଷତି ଘଟାଇ ଭୟାବହ ପରିସ୍ଥିତି ସୃଷ୍ଟି କରିଛି। ବିଜେଡି ସରକାର ‘ଜିରୋ କାଜୁଆଲିଟି’କୁ ଗୁରୁତ୍ୱ ଦେଇ କାର୍ଯ୍ୟ କରୁଥିଲା ବେଳେ ବିଜେପି ସରକାର ନିଜ ପ୍ରଚାର ଓ ପ୍ରଚାରରେ ବ୍ୟସ୍ତ ରହୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

ବିକ୍ରମ ପଣ୍ଡା କହିଛନ୍ତି ଯେ ସରକାରଙ୍କ ପ୍ରସ୍ତୁତି ଅଭାବରୁ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବନ୍ୟା ଆସିବା ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅମୂଲ୍ୟ ଜୀବନହାନି, ବ୍ୟକ୍ତିଗତ ସମ୍ପତ୍ତି ଓ ଧନଜୀବନର ବ୍ୟାପକ କ୍ଷତି, ଗୋଷ୍ଠୀଗତ ଓ ସାମୁଦାୟିକ ସମ୍ପତ୍ତିର କ୍ଷତି, ସରକାରୀ ସମ୍ପତ୍ତି, ରାସ୍ତାଘାଟ, ଭିତ୍ତିଭୂମି ଓ ଅନ୍ୟାନ୍ୟ ସାର୍ବଜନୀନ ସମ୍ପତ୍ତିର ବ୍ୟାପକ କ୍ଷତି ହୋଇଛି । ଉକ୍ତ କ୍ଷୟକ୍ଷତିର ଭରଣା କରିବା ଏବଂ ସ୍ୱାଭାବିକ ଜୀବନଯାତ୍ରାକୁ ଫେରାଇ ଆଣିବା ପାଇଁ ଦୀର୍ଘ ସମୟ ଲାଗିବ । ସଠିକ୍‌ ଢଙ୍ଗରେ ବନ୍ୟା ପରିଚାଳନ ନ କରି ଲୋକଙ୍କ ନିକଟରେ ମିଛ ବାହାସ୍ଫୋଟ ମାରୁଛନ୍ତି ସରକାର। ଭୃଗୁ ବକ୍ସିପାତ୍ର କହିଛନ୍ତି ଯେ ବାତ୍ୟା ପ୍ରଭାବରେ ଅତ୍ୟଧିକ ବର୍ଷା ହେବା ନେଇ ଆଗୁଆ ସୂଚନା ଥିବା ସତ୍ତେ୍ୱ ରାଜ୍ୟ ସରକାର କାହିଁକି ଆଗୁଆ ପଦକ୍ଷେପ ନେଲେ ନାହିଁ ? କ୍ଷତିଗ୍ରସ୍ତଙ୍କୁ ସହାୟତା ଯୋଗାଇବା ଦେବା ପରିବର୍ତ୍ତେ, ରାଜ୍ୟ ସରକାର ନିଜ ପ୍ରଚାର ଓ ପ୍ରସାରରେ ବ୍ୟସ୍ତ ରହିଲେ। ଲୋକଙ୍କ ସରକାର ବୋଲାଉଥିବା ବିଜେପି ସରକାରର, ଏ ଦୁର୍ଦ୍ଦିନରେ ଲୋକଙ୍କ ପାଇଁ କୌଣସି ଆନ୍ତରିକତା ନାହିଁ ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି ।

About The Author: Madhusudan Das