ଭୁବନେଶ୍ୱର: ଲଗାଣ ବର୍ଷା ପରେ ରାଜ୍ୟରେ ବନ୍ୟା ସ୍ଥିତି ଦିନକୁ ଦିନ ଉକ୍ରଟ ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦିଲ୍ଲୀ ଯିବାକୁ ନେଇ ପ୍ରଶ୍ନ ଉଠାଇଛି ବିଜେଡି। ରାଜ୍ୟର ଅନେକ ଅଞ୍ଚଳ ଜଳମଗ୍ନ, ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ପ୍ରଭାବିତ ଲୋକ ମାନଙ୍କ ପାଖରେ ନିତ୍ୟ ଆବଶ୍ୟକୀୟ ଜିନିଷ ପହଞ୍ଚିପାରି ନାହିଁ; ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ରହିବା ବନ୍ୟା ପ୍ରପୀଡ଼ିତଙ୍କୁ ଆବଶ୍ୟକ ସହଯୋଗ ଯୋଗାଇଦେବା ପାଇଁ ଆନ୍ତରିକତା ନାହିଁ ବୋଲି ବିଜେଡି କହିଛି।
ଗୁରବାର ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ସାଧାରଣ ସମ୍ପାଦକ ପ୍ରୀତି ରଞ୍ଜନ ଘଡ଼ାଇ କହିଥିଲେ ଯେ ବନ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ କୌଣସି ପ୍ରସ୍ତୁତି ନ ଥିବା ପରି ସ୍ପଷ୍ଟ ଜଣାପଡୁଛି। ବନ୍ୟାରେ ପ୍ରଭାବିତ ଅଞ୍ଚଳରେ ଶୁଖିଲା ଖାଦ୍ୟ ପହଞ୍ଚାଇବା ସରକାରଙ୍କ ପ୍ରାଥମିକ ଦାୟିତ୍ୱ, ଯେଉଁଥିରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଏହାଛଡ଼ା କୌଣସି ଅଞ୍ଚଳରେ ରନ୍ଧା ଖାଦ୍ୟ ପ୍ରଦାନ କରାଯିବା ପାଇଁ କୌଣସି ବ୍ୟବସ୍ଥା ନାହିଁ । ରାଜ୍ୟରେ ଲଗାଣ ବର୍ଷାକୁ ନେଇ ଏଭଳି ସ୍ଥିତି ଉପୁଜିବା କିଛି ନୂଆ ନୁହେଁ; କିନ୍ତୁ ବନ୍ୟା ଆଶଙ୍କା ଉପୁଜିବା ପାଇଁ ପୂର୍ବ ସୂଚନା ଥିବା ସତ୍ତେ୍ୱ ସରକାରଙ୍କ କୌଣସି ପୂର୍ବ ପ୍ରସ୍ତୁତି ନଥିଲା। ବନ୍ୟା ବା କୌଣସି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ନବୀନ ସରକାରଙ୍କ ସମୟରେ ଏକ ସୁଦୃଢ଼ ବ୍ୟବସ୍ଥା ପ୍ରତିଷ୍ଠା ହୋଇଥିଲା। ଜିରୋ କାଜୁଆଲିଟି ନୀତି ଓ ବିପର୍ଯ୍ୟୟ ମୁକାବିଲା ପାଇଁ ଓଡିଶା ସମଗ୍ର ଦେଶ ତଥା ବିଶ୍ୱରେ ପ୍ରଶଂସିତ ହୋଇଥିଲା। ରାଜ୍ୟରେ ସମସ୍ତ ବ୍ୟବସ୍ଥା ମହଜୁଦ ଥିବା ସତ୍ତେ୍ୱ, ରାଜ୍ୟ ସରକାରଙ୍କର ଇଚ୍ଛାଶକ୍ତି ଅଭାବ ଯୋଗୁଁ ବନ୍ୟା ପରିସ୍ଥିତିର ସଫଳ ମୁକାବିଲା କରିବାରେ ବିଜେପି ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଶ୍ରୀ ଘଡ଼ାଇ ଆହୁରି କହିଥିଲେ ଯେ ବନ୍ୟାକୁ ନେଇ ରାଜ୍ୟ ଏକ ଘଡିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଥିଲା ବେଳେ ଦିଲ୍ଲୀରେ ବସି ମୁଖ୍ୟମନ୍ତ୍ରୀ ବନ୍ୟା ପରିସ୍ଥିତି ଉପରେ ନଜର ରଖିଛୁ ବୋଲି ବିବୃତ୍ତି ଦେଇଛନ୍ତି। ବନ୍ୟା ପରିସ୍ଥିତି ମୁକାବିଲା ନା ଦିଲ୍ଲୀ ଗସ୍ତ କେଉଁଟା ପ୍ରାଥମିକତା? ରାଜ୍ୟ ବିଜେପି ସରକାରଙ୍କ କାମ କେବଳ ବିବୃତିରେ ସୀମିତ। ବଡ଼ ବଡ଼ ବିବୃତ୍ତି ଆସୁଛି, କିନ୍ତୁ କାମ ଘର ଶୂନ। ବନ୍ୟାରେ ପ୍ରଭାବିତ ହୋଇ ହନ୍ତସନ୍ତ ହେଉଥିବା ଲକ୍ଷ ଲକ୍ଷ ଲୋକଙ୍କୁ ସହାୟତା ପ୍ରଦାନରେ ସରକାର ବିଫଳ ହୋଇଛନ୍ତି। ସରକାରଙ୍କ ଏହି ବିଫଳତା ପାଇଁ ରାଜ୍ୟବାସୀ କେବେ କ୍ଷମା ଦେବେ ନାହିଁ, ଉଚିତ ସମୟରେ ଉଚିତ ଜବାବ ଦେବେ ବୋଲି ସେ କହିଛନ୍ତି।