ଭୁବନେଶ୍ୱର: ରାଜ୍ୟ ସରକାର ନୂତନ ୫ ଲକ୍ଷ ହିତାଧିକାରୀଙ୍କୁ ମଧୁବାବୁ ପେନସନ ଯୋଜନାରେ ସାମିଲ କରିବାର ଘୋଷଣା କରି ରାଜ୍ୟବାସୀଙ୍କୁ ଭୁଅାଁ ଭୁଲାଇବାକୁ ଚେଷ୍ଟା କରୁଛନ୍ତି । ସରକାରଙ୍କ ଘୋଷଣା ଓ ବାସ୍ତବତା ସମ୍ପୂର୍ଣ୍ଣ ଭିନ୍ନ । ବର୍ତ୍ତମାନ ଯେତିକି ହିତାଧିକାରୀ ଅଛନ୍ତି, ସେମାନଙ୍କୁ ସରକାର ଭତ୍ତା ଦେଇପାରୁ ନାହାନ୍ତି କହି କଡ଼ା ସମାଲୋଚନା କରିଛି ବିଜୁ ଜନତା ଦଳ ।
ଆଜି ଏକ ପ୍ରେସ ବିବୃତି ମାଧ୍ୟମରେ ଦଳର ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଥିଲେ ଯେ, ବିଜେପି ସରକାରରେ ପୁରୁଣା ହିତାଧିକାରୀମାନେ ଭତ୍ତା ପାଇବା ପାଇଁ ମାସ ମାସ ଧରି ଅପେକ୍ଷା କରୁଛନ୍ତି । ଭତ୍ତା ଉପରେ ନିର୍ଭରଶୀଳ କେତେକ ହିତାଧିକାରୀ ଭତ୍ତା ନ ପାଇବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଉଛନ୍ତି । ଏହା ବ୍ୟବସ୍ଥାଗତ ବିଫଳତା ନୁହେଁ, ବରଂ ସରକାରଙ୍କ ଉଦାସୀନତାର ପରିଚୟ । ଉଲ୍ଲେଖଯୋଗ୍ୟ ଯେ, ୨୦୨୬ ଏପ୍ରିଲରୁ ଜୁନ୍ ମଧ୍ୟରେ ରାଜ୍ୟରେ ପ୍ରାୟ ୧୮ରୁ ୨୦ ଲକ୍ଷ ହିତାଧିକାରୀ ୩ ମାସ ଧରି ଭତ୍ତା ପାଇନଥିଲେ । ସରକାର ଟେକ୍ନିକାଲ ସମସ୍ୟା କହି ନିଜ ଦାୟିତ୍ୱରୁ ଏଡ଼ାଇଯିବାକୁ ଚେଷ୍ଟା କରିଥିଲେ । ଗଞ୍ଜାମ ଜିଲ୍ଲାର ବେଗୁନିଆପଡ଼ା ବ୍ଲକର ଚଡ଼ିଆପଡ଼ା ଗ୍ରାମର ୬୭ ବର୍ଷୀୟା ବିଧବା ମହିଳା ବି. ସାବିତ୍ରୀ ଦୋରା ୩ ମାସ ଧରି ମାସିକ ୧,୦୦୦ ଟଙ୍କାର ବିଧବା ଭତ୍ତା ନ ପାଇ ଜୁନ୍ ୧୬, ୨୦୨୬ରେ ବିଷ ପିଇ ଆତ୍ମହତ୍ୟା କରିଥିଲେ । ସେ ଏହି ବିଧବା ଭତ୍ତା ଉପରେ ନିର୍ଭର କରି ଚଳୁଥିଲେ । ଏହି ଘଟଣା ପରେ ସରକାର କିଛି ମାତ୍ରାରେ ବକେୟା ଭତ୍ତା ଦେବାକୁ ବାଧ୍ୟ ହୋଇଥିଲେ ।
ଡ଼ ମହାନ୍ତି ଆହୁରି କହିଥିଲେ ଯେ, ଅକ୍ଟୋବର ୨୦୨୬ରେ ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକରେ ହିତାଧିକାରୀମାନେ ୪ରୁ ୫ ମାସ ଧରି ଭତ୍ତା ନ ପାଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଯାହା ସରକାରଙ୍କ ପାରିବା ପଣିଆକୁ ପଦାରେ ପକାଇଥିଲା । ସେହିପରି କେନ୍ଦୁଝର ଜିଲ୍ଲାର ତେଲକୋଇ ବ୍ଲକର ରାଇସୁଆନ ଗ୍ରାମର ୭୦ ବର୍ଷୀୟା ପଥୁରୀ ଦେହୁରୀ ଭତ୍ତା ପାଇଁ ୨ କିଲୋମିଟର ଘୁସୁରି ଘୁସୁରି ଯାଇଥିଲେ । ଏହି ସମସ୍ତ ଘଟଣା ଦର୍ଶାଉଛି ଯେ, ବୃଦ୍ଧବୃଦ୍ଧାଙ୍କ ପ୍ରତି ସରକାର ଉଦାସୀନତା ମନୋଭାବ ପୋଷଣ କରୁଛନ୍ତି । ଯେତେବେଳେ ପୁରୁଣା ହିତାଧିକାରୀମାନେ ନାନାଦି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ସେତେବେଳେ ସରକାର ନୂଆ ହିତାଧିକାରୀଙ୍କ ନାମ ଯୋଡ଼ି ରାଜନୈତିକ ଗୋଟିଚାଳନା କରୁଛନ୍ତି । ଭତ୍ତା ବଣ୍ଟନ ପ୍ରକ୍ରିୟାକୁ ସ୍ୱଚ୍ଛ ଓ ନିରପେକ୍ଷ କରାଯାଉ । ରାଜନୈତିକ ଉଦେ୍ଦଶ୍ୟରେ ନୂଆ ନାମ ଯୋଡ଼ିବା ବନ୍ଦ କରାଯାଉ । ଭତ୍ତା ପ୍ରଦାନରେ ବିଳମ୍ୱ ଯୋଗୁଁ ମୃତୁ୍ୟବରଣ କରିଥିବା ପରିବାର (ଯଥା ସାବିତ୍ରୀ ଦୋରାଙ୍କ ପରିବାର)କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯାଉ । ଆଗକୁ ଭତ୍ତା ପ୍ରଦାନରେ ସରକାର ଯଦି ବିଳମ୍ବ କରନ୍ତି, ତେବେ ଲୋକଙ୍କ ଅଧିକାର ପାଇଁ ବିଜେଡି ରାଜରାସ୍ତାରେ ଲଢ଼େଇ କରିବ ।