ଭୁବନେଶ୍ୱର: ସ୍ୱାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଭିଭାଷଣରେ କରାଯାଇଥିବା ଦାବିକୁ ‘ଫମ୍ପା ମାଠିଆର ଶବ୍ଦ ବେଶୀ ସଦୃଶ୍ୟ’ ବୋଲ ଅଭିହିତ କରି କଟାକ୍ଷ କରିଛି ବିଜେଡି। ମିଥ୍ୟା ଅଭିଯୋଗ ଓ ମିଥ୍ୟା ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ବିଜେପି ଏବେ ପୁଣି ମିଥ୍ୟାର ସାହାରା ନେଇ ରାଜ୍ୟବାସୀଙ୍କୁ ଭ୍ରମିତ କରିବାକୁ ଅପପ୍ରୟାସ କରୁଛି ବୋଲି ବିଜେଡି କହିଛି।
ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ ଲେନିନ ମହାନ୍ତି କହିଛନ୍ତି ଯେ ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷାରେ ୬ ଥର ପ୍ରୟାସ ସୀମା ହଟାଇବା କେବଳ ଏକ ଦେଖାଣିଆ ପଦକ୍ଷେପ । ୨୦୨୬ ଆରମ୍ଭ ସୁଦ୍ଧା ୪୧ଟି ବିଭାଗରେ ପ୍ରାୟ ୯୪,୪୮୫ଟି ସରକାରୀ ପଦବୀ ଖାଲି ପଡ଼ିଛି। ସ୍ୱଚ୍ଛ, ଓ ସମୟବଦ୍ଧ ନିଯୁକ୍ତି ବ୍ୟବସ୍ଥା ନ କରି କେବଳ ପ୍ରୟାସ ସୀମା ହଟାଇ ଦେଲେ ସମସ୍ୟାର ସମାଧାନ ହେବ ନାହିଁ । ସେହିପରି ୨୦୨୪ ଜୁନ୍ ପରଠାରୁ ୪୫,୦୦୦ ସରକାରୀ ଚାକିରି ଦିଆଯାଇଥିବା ବିଜେପି ସରକାରର ଦାବି ବିଭ୍ରାନ୍ତିକର । ଏହି ନିଯୁକ୍ତିଗୁଡ଼ିକର ଏକ ବଡ଼ ଅଂଶର ବିଜ୍ଞପ୍ତି ୨୦୨୦ରୁ ୨୦୨୩ ମଧ୍ୟରେ ପୂର୍ବତନ ବିଜେଡି ସରକାର ସମୟରେ ପ୍ରକାଶ ପାଇଥିଲା । ଯେଉଁ ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥାକୁ ବିଜେପି ବିରୋଧୀ ଦଳରେ ଥିବା ସମୟରେ ସମାଲୋଚନା କରୁଥିଲା, ସେହି ବ୍ୟବସ୍ଥା ଉପରେ ବର୍ତ୍ତମାନର ସରକାର ମଧ୍ୟ ବାରମ୍ୱାର ନିର୍ଭର କରୁଛି । ଅଧ୍ୟାପକ ନିଯୁକ୍ତି ନ ଦେଇ, ଘର ଓ ଜମି ବ୍ୟବସ୍ଥା ନ କରି ୧୮ଟି ନୂଆ ସରକାରୀ କଲେଜ୍ ଓ ୪ଟି ବିଶ୍ୱବିଦ୍ୟାଳୟ ସ୍ଥାପନର କୌଣସି ଅର୍ଥ ନାହିଁ । ୨୨୦୦ ଗୋଦାବରୀଶ ମିଶ୍ର ମଡେଲ୍ ସ୍କୁଲ୍ ଘୋଷଣା କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କେବଳ କିଛି ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ରାଜ୍ୟର ଆଦର୍ଶ ବିଦ୍ୟାଳୟଗୁଡ଼ିକରେ ପ୍ରାୟ ୩୫ ପ୍ରତିଶତ ଶିକ୍ଷକ ପଦବୀ ଖାଲି ପଡ଼ିଛି। କୃଷକମାନେ ପଞ୍ଜୀକରଣ ସମୟରେ ବ୍ୟାପକ ଦ୍ୱନ୍ଦ୍ୱ ଓ ହଇରାଣ ହେବା ପରେ ଆଗ୍ରିଷ୍ଟାକ୍ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ଏକ ପ୍ରକାର ଡ୍ୟାମେଜ୍ କଣ୍ଟ୍ରୋଲ୍।
ସେହିପରି ଆଗାମୀ ଦୁଇରୁ ତିନି ବର୍ଷରେ ୩ ଲକ୍ଷ ନିଯୁକ୍ତି ସୁଯୋଗ ଏବଂ ଆଗାମୀ ଦିନରେ ମୋଟ ୨୦ ଲକ୍ଷ ସୁଯୋଗ ସୃଷ୍ଟି କରିବାର ଦାବି କେବଳ କାଗଜରେ ସୀମିତ । ୨୧ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଓଡ଼ିଶାକୁ ପ୍ରବାସୀ ଶ୍ରମିକଙ୍କ ପ୍ରତ୍ୟାବର୍ତ୍ତନର ଦାବି ହୋଇଥିଲେ ମଧ୍ୟ ପ୍ରକୃତରେ ଭୂମିସ୍ତରରେ କେତେ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି ଏବଂ କେତେ ନୂଆ ଚାକିରି ସୃଷ୍ଟି ହୋଇଛି, ତାହାର କୌଣସି ସ୍ପଷ୍ଟ ଚିତ୍ର ନାହିଁ । ମହାନଦୀ ଜଳ ବିବାଦର ମୁକାବିଲାରେ ମଧ୍ୟ ସରକାରଙ୍କ ଭୂମିକା ଦୁର୍ବଳ ରହିଛି। ବିଜେପି ସରକାରଙ୍କ କାର୍ଯ୍ୟ କେବଳ ଭାଷଣ ଓ ପ୍ରଚାରରେ ସୀମିତ । ତେଣୁ ମୁଖ୍ୟମନ୍ତ୍ରୀ କେବଳ ଅତିରଞ୍ଜିତ କଥା କହି, ଜନସାଧାରଣଙ୍କୁ ଭ୍ରମିତ କରିବା ବନ୍ଦ କରନ୍ତୁ ବୋଲି ସେ କହିଛନ୍ତି।