ଆନ୍ଧ୍ର-ଓଡ଼ିଶା ସୀମାନ୍ତବର୍ତ୍ତୀ ଅଞ୍ଚଳର ଲୋକଙ୍କ ପାଖରେ ଦୁଇ ରାଜ୍ୟର ଦୁଇଟି ଭୋଟର କାଡର଼୍ ଆସିଲା କେମିତି: ବିଜେଡି

ଭୁବନେଶ୍ୱର: ଭୋଟର ତାଲିକାକୁ ସ୍ୱଚ୍ଛ କରିବାକୁ ଏସ୍‌ଆଇଆର୍‌ ପ୍ରକ୍ରିୟା କରାଯାଉଥିବା ନିର୍ବାଚନ କମିଶନ କହୁଛନ୍ତି । ଏପରିକି ବିଭିନ୍ନ କାରଣ ଦର୍ଶାଇ ସାରା ଦେଶରୁ ୧୩ କୋଟିରୁ ଊର୍ଦ୍ଧ୍ବ ଭୋଟରଙ୍କୁ ମତଦାତା ସୂଚୀରୁ ବାଦ ଦିଆଯାଇଛି। ମାତ୍ର ଆନ୍ଧ୍ର-ଓଡ଼ିଶା ସୀମାନ୍ତବର୍ତ୍ତୀ ଅଞ୍ଚଳର ଲୋକଙ୍କ ପାଖରେ ଦୁଇ ରାଜ୍ୟର ଦୁଇଟି ଭୋଟର କାଡର଼୍ କେମିତି ଆସିଲା ଓ ଦୁଇ ରାଜ୍ୟର ଭୋଟର ସୂଚୀରେ ସେମାନଙ୍କ ନାମ କିପରି ରହିଲା, ତାହାକୁ ନେଇ ଆରମ୍ଭ ହୋଇଛି ବିତର୍କ। ବ୍ୟବସ୍ଥା ଅନୁସାରେ ଜଣେ ଲୋକ ପାଖରେ ଗୋଟିଏ ଭୋଟର କାଡର଼୍ ରହିବ ଓ ଏହି କାରଣରୁ ଅନ୍ୟସ୍ଥାନରେ ମତଦାତା ସୂଚୀରୁ ସେମାନଙ୍କ ନାମ ବାଦ ଦିଆଯିବ। ଓଡ଼ିଶା ପରି ଦେଶର ଅନ୍ୟ ରାଜ୍ୟରେ ମଧ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ ଦ୍ୱୈତ ଭୋଟର ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇଛି । ମାତ୍ର ଓଡ଼ିଶା ଓ ଆନ୍ଧ୍ର ସୀମାନ୍ତବର୍ତ୍ତୀ ଅଞ୍ଚଳର ଲୋକମାନଙ୍କ ପାଇଁ କାହିଁକି ନିର୍ବାଚନ କମିଶନ ଦୋହରା ନୀତି ଅବଲମ୍ବନ କରୁଛନ୍ତି, ତାହାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି ।   

ଏହି ପ୍ରସଙ୍ଗରେ ନିର୍ବାଚନ କମିଶନଙ୍କ ଭୂମିକା ଓ ଏସ୍‌ଆଇଆର୍‌ ପ୍ରକ୍ରିୟାକୁ ନେଇ ସନ୍ଦେହ ପ୍ରକାଶ କରି ବିଜେଡି । ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବରିଷ୍ଠ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଓ ସାଧାରଣ ସମ୍ପାଦକ ବିଜୟ ନାୟକ ଡବଲ ଇଞ୍ଜିନ ସରକାରଙ୍କ ଉପରେ ବର୍ଷିଛନ୍ତି।   

ଶ୍ରୀ ମିଶ୍ର କହିଛନ୍ତି ଯେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏସଆଇଆର  ପ୍ରକ୍ରିୟା ଆରମ୍ଭ ହୋଇଛି। ଜାନୁଆରୀ ମାସ ସୁଦ୍ଧା ଚୂଡ଼ାନ୍ତ ସଂଶୋଧନ ଭୋଟର ତାଲିକା ପ୍ରକାଶ ପାଇବ। ତାହାକୁ ନିର୍ଭୁଲ ଭାବେ କରିବା ପାଇଁ ବିଜେଡି ପକ୍ଷରୁ ବାରମ୍ୱାର ଦାବି ଉପସ୍ଥାପନ କରାଯାଉଛି। ଗତ ୨୦୨୫ ମସିହାରେ ଦିଲ୍ଲୀରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ମଧ୍ୟ ବିଜେଡିର ଏକ ପ୍ରତିନିଧି ଦଳ ଭେଟି ଆଲୋଚନା କରିଥିଲେ। ବୈଧ ଭୋଟର୍‌ ମାନେ ଯେପରି ତାଲିକାରୁ ବାଦ୍‌ ପଡ଼ିବେ ନାହିଁ, ତାହାକୁ ବିଜେଡି ସର୍ବଦା ଗୁରୁତ୍ୱ ଦେଇ କାର୍ଯ୍ୟ କରି ଆସୁଛି। 

ଏସଆଇଆର ପ୍ରକିୟାରେ ଯେଉଁଠି ବି ତ୍ରୁଟି ରହିଥିଲା। ତାହାର ସୁଧାର ପାଇଁ ବିଜେଡି ପକ୍ଷରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବାରମ୍ୱାର ଭେଟି ଆଲୋଚନା କରି ଦାବିପତ୍ର ପ୍ରଦାନ କରିଛନ୍ତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସହ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏସଆଇଆର ପ୍ରକିୟାରୁ ବାଦ ପଡିଥିବା ଯୋଗ୍ୟ ଭୋଟରଙ୍କୁ ପୁନଃ ତାଲିକା ଭୁକ୍ତ କରିବା ପାଇଁ ବିଜେଡି ପକ୍ଷରୁ ଦାବି ଉପସ୍ଥାପନ ହୋଇଛି। ମାତ୍ର ଓଡ଼ିଶା-ଆନ୍ଧ୍ର ସୀମାନ୍ତବାସୀଙ୍କ ପାଖରେ ଦୁଇଟି ରାଜ୍ୟର ଭୋଟର୍‌ କାର୍ଡ କୁଆଡ଼ୁ ଆସିଲା ଓ ତାହାକୁ କିଏ ପ୍ରଦାନ କଲା ବୋଲି ପ୍ରଶ୍ନ ଉଠାଇଛି ବିଜେଡି ।  କୋରାପୁଟ ଜିଲ୍ଲାର କୋଟିଆ ଏବଂ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକର ଜୁମାଡଙ୍ଗ ଗ୍ରାମବାସୀଙ୍କ ପାଖରେ ଏସଆଇଆର ପ୍ରକିୟା ପରେ ବି ଜଣକ ପାଖରେ ଦୁଇଟି ରାଜ୍ୟର ଭୋଟର୍‌ କାର୍ଡ ରହିଛି। ଏହା କେମିତି ସମ୍ଭବ ହେଲା ଓ ନିର୍ବାଚନ କମିଶନ କାହିଁଁକି ଆନ୍ଧ୍ରରେ ଏପରି ଅନିୟମିତତା ପ୍ରତି ଆଖି ବୁଜିଦେଲେ ତାହାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି ।

ଶ୍ରୀ ନାୟକ କହିଛନ୍ତି ଯେ ଏସଆଇଆର ଜରିଆରେ ପ୍ରଥମେ ରାଜ୍ୟରୁ ୯ଲକ୍ଷ ୮୦ହଜାର ଭୋଟ ବାଦ୍‌ ପଡିଥିଲେ । ଏହାପରେ ୨୦ଲକ୍ଷ ୧୩ ହଜାର ଭୋଟ ଏବଂ ସମ୍ପୂର୍ଣ୍ଣ ପ୍ରକ୍ରିୟା ଶେଷ ବେଳକୁ ୪୪ ଲକ୍ଷଭୋଟର୍‌ ତାଲିକାରୁ ବାଦ୍‌ ପଡିଥିଲେ।  ଗତ ୨୧ ସେପ୍ଟେମ୍ୱରରେ ପ୍ରକାଶିତ ଚୂଡ଼ାନ୍ତ ତାଲିକାରେ ୩କୋଟି ୧୬ଲକ୍ଷ ଭୋଟର୍‌ ଥିଲେ। ତେବେ ଗତ ୮ ନଭେମ୍ୱରରେ ସମସ୍ତ ରାଜନୈତିକ ଦଳମାନଙ୍କ ସହ ନିର୍ବାଚନ ଅଧିକାରୀଙ୍କ ବୈଠକ ଅନୁଷ୍ଠିତ ହେଲା । ୩ଲକ୍ଷ ଭୋଟର ବୃଦ୍ଧି ପାଇଥିବା ଜଣାପଡ଼ିଛି। ପ୍ରକ୍ରିୟାକୁ ଜଟିଳ କରାଯାଇଥିଲା ବୋଲି ଯୋଗ୍ୟ ଭୋଟର ମାନେ ତାଲିକାରୁ ବାଦ୍‌ ପଡିଥିବା ପ୍ରମାଣିତ ହୋଇଛି । ଯୋଗ୍ୟ ଭୋଟରଙ୍କୁ ତାଲିକାରେ ପୁନଃ ସାମିଲ କରିବା ପାଇଁ ବିଜେଡି ପକ୍ଷରୁ ଦାବି ଉପସ୍ଥାପନ କରାଯାଇଛି। ବୁଥ ଅନୁଯାୟୀ ବାଦ୍‌ ପଡିଥିବା ଭୋଟରଙ୍କ ନାମ ଏବଂ କେଉଁ କାରଣରୁ ବାଦ୍‌ ପଡିଛନ୍ତି, ତାହାର ତଥ୍ୟ ଦଳୀୟ ବିଏଲଏ ମାନଙ୍କୁ ନିର୍ବାଚନ ଅଧିକାରୀ ପ୍ରଦାନ କରନ୍ତୁ । ତାହାର ଯାଞ୍ଚ କରି ଯୋଗ୍ୟ ଭୋଟରଙ୍କୁ ପ୍ରକାଶିତ ହେବାକୁ ଥିବା ଚୂଡ଼ାନ୍ତ ଭୋଟର ତାଲିକାରେ ଯୋଡ଼ାଯାଉ ବୋଲି ବିଜେଡି ଦାବି କରିଛି।

About The Author: Madhusudan Das