ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ବରିଷ୍ଠ ଉପସଭାପତି ଶ୍ରୀ ପ୍ରତାପ ଜେନାଙ୍କ ଅନୁପସ୍ଥିତିରେ ତାଙ୍କ ବାସଭବନରେ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତି୍ରପାଠୀଙ୍କ ନାଁ ନେଇ କିଛି ମଦ୍ୟପ ଓ ପ୍ରଥଭ୍ରଷ୍ଟ ଯୁବକ ଆତଙ୍କରାଜ ଖେଳାଇଥିଲେ । ଯାହାଦ୍ୱାରା ତାଙ୍କ ପରିବାରର ଅନ୍ୟ ସଦସ୍ୟମାନେ ଭୟଭୀତ ହୋଇଯାଇଥିଲେ । ଉତ୍ତ୍ୟକ୍ତ ଯୁବକମାନେ ବାସଭବନରେ ଥିବା ସୁରକ୍ଷାକର୍ମୀଙ୍କୁ ବନ୍ଧୁକ ମୁନରେ ଧମକାଇ ଗାଳିଗୁଲଜ କରିଥିଲେ । ଏହି ଘଟଣାକୁ ତୀବ୍ର ନିନ୍ଦା କରିବା ସହ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଥିବା କହିଛି ବିଜୁ ଜନତା ଦଳ ।
ଶଙ୍ଖ ଭବନରେ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜୁ ଯୁବ ଜନତା ଦଳର ସଭାପତି ଶ୍ରୀ ଚିନ୍ମୟ ସାହୁ କହିଥିଲେ, ନିକଟରେ ରାଜ୍ୟସଭା ନିର୍ବାଚନରେ ଦଳକୁ ବେଇମାନୀ କରିଥିବା ବାଙ୍କୀର ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଜଣେ ଭୀରୁ, କାପୁରୁଷ ଭଳି ଆଚରଣ ପ୍ରଦର୍ଶନ କରୁଛନ୍ତି । ଦଳ ସହିତ କରିଥିବା ବେଇମାନୀ କାର୍ଯ୍ୟକୁ ଲୋକଙ୍କ ମନରୁ ହଟାଇବା ପାଇଁ କିଛି ମଦ୍ୟପ ଯୁବକଙ୍କୁ ପ୍ରବର୍ତ୍ତାଇ ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନାଙ୍କ ବାସଭବନରେ ଗତକାଲି ରାତିରେ ଯେଉଁ ଉନ୍ମକ୍ତକାଣ୍ଡ ଘଟାଇଥିଲେ, ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ । ତାଙ୍କ ବାପା ପ୍ରଭାତ ତି୍ରପାଠୀ ଯେଉଁଭଳି ଭାବେ ୧୯୯୬ ମସିହାରେ ବିଜୁ ବାବୁଙ୍କ ସହିତ ବେଇମାନୀ କରି ରାଜ୍ୟସଭା ନିର୍ବାଚନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପତ୍ନୀ ଜୟନ୍ତୀ ପଟ୍ଟନାୟକଙ୍କୁ ଭୋଟ ଦେଇଥିଲେ, ଆଜି ଦେବୀ ରଞ୍ଜନ ତ୍ରିପାଠୀ ଅନୁରୂପ ଭାବେ ତାଙ୍କ ଦେହରେ ବେଇମାନୀର ରକ୍ତ ପ୍ରଭାବିତ ହେଉଛି ବୋଲି ପ୍ରମାଣିତ କରିଛନ୍ତି । ରାଜ୍ୟରେ ଆଇନଶୃଙ୍ଖଳା ବଜାୟ ରଖିବା ପୋଲିସର ଦାୟିତ୍ୱ । ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଠାରୁ ଅଳ୍ପ ଦୂରରେ ଅବସ୍ଥିତ ପ୍ରତାପ ଜେନାଙ୍କ ବାସଭବନରେ ଯେଉଁଭଳି ଭାବେ ଅଭାବନୀୟ କାଣ୍ଡ ଘଟିଲା, ଏଥିରୁ ସ୍ପଷ୍ଟ ଯେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ଯଦି ଅଭିଯୁକ୍ତ ମାନଙ୍କୁ ପୋଲିସ୍ ତୁରନ୍ତ ଗିରଫ କରି ଦଣ୍ଡ ବିଧାନ ନକରେ, ତେବେ ଆଗାମୀ ଦିନରେ ପୋଲିସକୁ ବିଜୁ ଯୁବ ଜନତା ଦଳ ଉପଯୁକ୍ତ ଜବାବ ଦେବ ।
ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁ କହିଛନ୍ତି ଯେ, ଘୋଡ଼ା ବେପାରରେ ସାମିଲ ହୋଇ ଦେବୀ ରଞ୍ଜନ ତି୍ରପାଠୀ ଯେଉଁ ଟଙ୍କା ପାଇଥିଲେ, ସେଥିରୁ କିଛି ମାତ୍ରାରେ ଅସାମାଜିକ ଯୁବକ ମାନଙ୍କୁ ଦେଇ ପ୍ରତାପ ଜେନାଙ୍କ ବାସଭବନରେ ଏଭଳି କାଣ୍ଡ ଭିଆଇଛନ୍ତି । ଦେବୀ ରଞ୍ଜନ ତ୍ରିପାଠୀ ଭାବୁଛନ୍ତି, ଓଡିଶାର ଯୁବ ଛାତ୍ର ନେତାମାନେ ତାଙ୍କୁ ବ୍ୟକ୍ତିଗତ ଭାବେ ଭଲ ପାଉଥିଲେ । କିନ୍ତୁ ରାଜ୍ୟସଭା ନିର୍ବାଚନରେ ସେ ଯେଉଁଭଳି ଭାବେ ଦଳ ସହିତ ବିଶ୍ୱାସଘାତକତା କଲେ, ସେହିଦିନ ଠାରୁ ରାଜ୍ୟର ଯୁବ ଛାତ୍ର ନେତାମାନେ ସାମାଜିକ ଗଣମାଧ୍ୟମରେ ତାଙ୍କୁ ଛିଛାକର କରୁଛନ୍ତି । ଆଜି ବି ନବୀନ ବାବୁଙ୍କ ପ୍ରତି ଯୁବ ଛାତ୍ର ସମାଜର ସମର୍ଥନ ଅତୁଟ ରହିଛି । ସର୍ବଦା ବିଜୁ ଲିଗାସୀ କଥା କହୁଥିବା ଦେବୀ ରଞ୍ଜନ ତି୍ରପାଠୀଙ୍କ ଏଭଳି ଆଚରଣ ପାଇଁ ଆଗାମୀ ଦିନରେ ବାଙ୍କୀବାସୀ ତାଙ୍କୁ ଉଚିତ୍ ଜବାବ ଦେବେ ବୋଲି ଇପ୍ସୀତା ସାହୁ କହିଥିଲେ ।