ଲୋକସଭାରେ କାଟ୍‌ ଖାଇଲା ସମ୍ବିଧାନ ସଂଶୋଧନ ବିଲ୍‌; ସତ୍ୟର ଜୟ ହୋଇଛି, ନ୍ୟାୟ ସ୍ଥାପିତ ହୋଇଛି କହିଲେ ମାନସ ମଙ୍ଗରାଜ

ଭୁବନେଶ୍ୱର: ଲୋକସଭାରେ ସମ୍ବିଧାନ ସଂଶୋଧନ ବିଲ୍‌ କାଟ୍‌ ଖାଇବା ପରେ ସତ୍ୟର ଜୟ ହୋଇଛି ବୋଲି କହିଛନ୍ତି ବିଜେଡି ସଂସଦୀୟ ଦଳ ନେତା ମାନସ ରଞ୍ଜନ ମଙ୍ଗରାଜ।  ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ସେ କହିଛନ୍ତି ଯେ ସଂସଦରେ ମହିଳା ସଂରକ୍ଷଣ ବିଲ୍‌ ନୁହେଁ; ବରଂ ବିବାଦିତ ଡିଲିମିଟେସନ ବିଲ୍‌ (୧୩୧ତମ ସମ୍ବିଧାନ ସଂଶୋଧନ) କାଟ୍‌ ଖାଇଛି। ଏହି ବିବାଦୀୟ ଡିଲିମିଟେସନ ବିଲ୍‌ରେ ଓଡ଼ିଶା ଭଳି ରାଜ୍ୟ ନିଜ ହକ୍‌ ଅଂଶ ପାଇବାରୁ ବଞ୍ଚିତ ହେବାର ଆଶଙ୍କା ଥିଲା। ଆମ ନେତା ନବୀନ ପଟ୍ଟନାୟକ ଏହି ବିଷୟରେ ଦୃଢ଼ ଏବଂ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ସେ କେବଳ ଏହା ବିରୋଧରେ ଦୃଢ଼ ଆପତ୍ତି ଉଠାଇ ନ ଥିଲେ;  ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ସମସ୍ତ ସାଂସଦଙ୍କୁ ଚିଠି ଲେଖି ଏକତ୍ରିତ ହୋଇ ଓଡ଼ିଶାର ହିତକୁ  ସୁରକ୍ଷିତ ରଖିବାକୁ ଅନୁରୋଧ କରିଥିଲେ। ମାତ୍ର ଦୁଃଖଦାୟକ କଥା ହେଉଛି ଯେ ଓଡ଼ିଶାର ୨୦ ଜଣ ବିଜେପି ସାଂସଦ ଏହି ସମୟରେ ସଠିକ୍‌ ଭୂମିକା ନିର୍ବାହ କଲେ ନାହିଁଁ। ସେମାନେ ରାଜ୍ୟର ଅଧିକାର ପାଇଁ ଠିଆ ହେବା ପରିବର୍ତ୍ତେ, ଦଳୀୟ ନିର୍ଦ୍ଦେଶକୁ ଅନୁସରଣ କରିଥିଲେ। ଏହାସତ୍ତ୍ବେ ସତ୍ୟର ଜୟ ହୋଇଛି ଏବଂ ନ୍ୟାୟ ସ୍ଥାପିତ ହୋଇଛି। ସଂସଦରେ ସୀମିତ ପ୍ରତିନିଧିତ୍ୱ ଥିଲେ ମଧ୍ୟ ଆମେ ଆମ ନେତାଙ୍କ ଅତୁଟ ପ୍ରତିବଦ୍ଧତା ପାଇଁ ଗର୍ବିତ। ନବୀନ ପଟ୍ଟନାୟକ ସର୍ବଦା ଓଡ଼ିଶା ଓ ଓଡ଼ିଆ ଲୋକମାନଙ୍କ ପାଇଁ ଲଢ଼ି ଆସୁଛନ୍ତି ବୋଲି ଶ୍ରୀ ମଙ୍ଗରାଜ କହିଛନ୍ତି। 

About The Author: Madhusudan Das