ଭୁବନେଶ୍ୱର: ବାତ୍ୟା ଅର୍ଣ୍ଣବ ଓ ପରବର୍ତ୍ତୀ ବନ୍ୟା କାରଣରୁ ଗଞ୍ଜାମ ଉଜୁଡ଼ି ଯାଇଛି। ସରକାରଙ୍କ ତ୍ରୁଟିପୂର୍ଣ୍ଣ ବନ୍ୟା ପରିଚାଳନା, ଖାମଖିଆଲି ମନୋଭାବ କାରଣରୁ ଆଜି ଗଞ୍ଜାମ ଶ୍ରୀହୀନ ହୋଇ ପଡ଼ିଛି। ବିପର୍ଯ୍ୟୟ ପରିଚାଳନାରେ ସରକାରଙ୍କ ବିଫଳତାକୁ ଜିଲ୍ଲାବାସୀ ତୀବ୍ର ସମାଲୋଚନା କରୁଥିବା ସମୟରେ ପ୍ରଶ୍ନର କାଠଗଡ଼ାରେ ସରକାରଙ୍କୁ ଠିଆ କରିଛନ୍ତି ବିଜେଡି ନେତ୍ରୀ ସୁଜାତା ରାଉତ କାର୍ତ୍ତିକେୟନ। ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ସରକାର ଶୃଙ୍ଖଳିତ ଭାବରେ ଲୋକଙ୍କ ପାଇଁ କାର୍ଯ୍ୟ କରୁଥିଲା; ମାତ୍ର ଆଜିର ବିଜେପି ସରକାରରେ ସେ ଶୃଙ୍ଖଳା ନାହିଁ। ମାତ୍ର ଗୋଟିଏ ମିନିଟର ଭୁଲ୍ ନିଷ୍ପତ୍ତି ପାଇଁ ଗଞ୍ଜାମର ଭିତ୍ତିଭୂମି ନଷ୍ଟ ହୋଇଗଲା।୨୪ ବର୍ଷରେ ନବୀନ ପଟ୍ଟନାୟକ ଗଢ଼ିଥିବା ଏକ ସଫଳ ଓ ସମ୍ୱେଦନଶୀଳ ବିପର୍ଯ୍ୟୟ ପରିଚାଳନା ପ୍ରଣାଳୀ ୨୪ ମାସରେ କିପରି ଭୁଷୁଡ଼ି ଗଲା, କିଏ ଗଞ୍ଜାମକୁ ୨୦ ବର୍ଷ ପଛକୁ ନେଇଗଲା; ବିଜେପି ସରକାର ତାହାର ଜବାବ ଦେବେ କି ବୋଲି ପ୍ରଶ୍ନ କରିଛନ୍ତି।
ଉକ୍ତ ଭିଡିଓ ବାର୍ତ୍ତାରେ ସୁଜାତା କହିଛନ୍ତି ଯେ ଅର୍ଣ୍ଣବ ବାତ୍ୟାକୁ ନେଇ ଆକଳନରେ ଭୁଲ ଥିଲା ବୋଲି ବିଜେପି ସରକାର ସ୍ୱୀକାର କରିଛନ୍ତି। ସେମାନେ ମାଲକାନଗିରି ଓ ମହାନଦୀ ପାଇଁ ପ୍ରସ୍ତୁତ ଥିଲେ, ଗଞ୍ଜାମ ପାଇଁ ପ୍ରସ୍ତୁତ ନ ଥିବା କହିଛନ୍ତି। ସରକାରଙ୍କର ଏହି ଭୁଲ ଆକଳନର ପରିଣାମ ଆଜି ଗଞ୍ଜାମବାସୀ ଭୋଗୁଛନ୍ତି। ବନ୍ୟା ଏବଂ ବାତ୍ୟା ପରିଚାଳନା ବ୍ୟବସ୍ଥାରେ ପ୍ରଥମଟି ହେଉଛି ତଳିଆ ଅଞ୍ଚଳର ଲୋକମାନଙ୍କୁ ଆଗୁଆ ସୁରକ୍ଷିତ ସ୍ଥାନରେ ପହଞ୍ଚାଇବା। ଦ୍ୱିତୀୟଟି ହେଉଛି ଆବଶ୍ୟକ ସାମଗ୍ରୀ ଚୁଡ଼ା, ଚାଉଳ, କେରୋସିନ, ପଲ୍ଲା ଇତ୍ୟାଦିକୁ ଉପଯୁକ୍ତ ସ୍ଥାନରେ ଆଗୁଆ ରଖିବା। ଏ ଦୁଇଟି କାମ ଗଞ୍ଜାମରେ ବିଜେପି ସରକାର କରିଥିଲେ କି? ନବୀନ ପଟ୍ଟନାୟକଙ୍କ ସରକାରରେ ଏ କାର୍ଯ୍ୟ ଠିକ୍ ସମୟରେ ଏବଂ ଠିକ୍ ଲୋକଙ୍କ ପାଇଁ କରାଯାଉଥିଲା। ସମ୍ପୂର୍ଣ୍ଣ ପ୍ରଶାସନିକ, ରାଜନୈତିକ ଓ ସାମାଜିକ କଳ ନବୀନ ବାବୁଙ୍କ ନେତୃତ୍ୱରେ ଶୃଙ୍ଖଳିତ ଭାବରେ ଲୋକଙ୍କ ପାଇଁ କାର୍ଯ୍ୟ କରୁଥିଲା। ଆଜି ବିଜେପି ସରକାରରେ ସେହି ଶୃଙ୍ଖଳିତ କାର୍ଯ୍ୟ କାହିଁକି ଦେଖାଯାଉ ନାହିଁ ? ବ୍ରିଜ, କେନାଲ, ନଦୀବନ୍ଧ ଭଳି ଭିତ୍ତିଭୂମି ନିର୍ମାଣ କରିବା ପାଇଁ ବର୍ଷ ବର୍ଷ ଲାଗି ଯାଏ। ମାତ୍ର ଗୋଟିଏ ମିନିଟର ଭୁଲ ନିର୍ଣ୍ଣୟରେ ଗଞ୍ଜାମର ଏହି ଭିତ୍ତିଭୂମି ନଷ୍ଟ ହୋଇଗଲା। ଗୋଟେ ଘର ବନାଇବା ମଣିଷର ଜୀବନବ୍ୟାପୀ ସଞ୍ଚୟ ଓ ପରିଶ୍ରମର ଫଳ। ଆଜି ଗଞ୍ଜାମର ବନ୍ୟାରେ ଲୋକଙ୍କ ଘର, ଦୋକାନ, ଗୋଦାମ, ଚାଷ ଜମି ନଷ୍ଟ ହୋଇଗଲା। କିଏ ଆଜି ଗଞ୍ଜାମକୁ କୋଡ଼ିଏ ବର୍ଷ ପଛକୁ ନେଇଗଲା? ରେଡ଼ ଆଲର୍ଟ ଚେତାବନୀ ଦେଖି ସମସ୍ତ ଜଳଭଣ୍ଡାରରୁ ପର୍ଯ୍ୟାପ୍ତ ମାତ୍ରାରେ ଜଳ ନିଷ୍କାସନ କରିବା ଓ ତଳିଆ ଅଞ୍ଚଳ ଲୋକମାନଙ୍କୁ ଏହାର ସତର୍କ ସୂଚନା ଦେବା। ଏ ସବୁ କାମ ବିଜେପି ସରକାର ଗଞ୍ଜାମବାସୀଙ୍କ ପାଇଁ କାହିଁକି କରିନଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି।
ସେ ପୁଣି କହିଛନ୍ତି ଯେ କୋଭିଡ଼ ସମୟରେ ଗଞ୍ଜାମ ଜିଲ୍ଲା ସବୁଠୁ ବଡ଼ ଆହ୍ୱାନର ସମ୍ମୁଖୀନ ହୋଇଥିଲା। କିନ୍ତୁ ପଞ୍ଚାୟତିରାଜ ବ୍ୟବସ୍ଥା, ମିଶନ ଶକ୍ତି ମାମାନେ, ବ୍ଲକ ତହସିଲ ଅଧିକାରୀ, ଜିଲ୍ଲା ପ୍ରଶାସନ, ରାଜନୈତିକ ନେତୃବୃନ୍ଦ ସମସ୍ତେ ମିଶି ସେହି ଆହ୍ୱାନକୁ ଗଞ୍ଜାମରେ ସଫଳତା ସହ ମୁକାବିଲା କରିଥିଲେ। ନବୀନ ବାବୁ ସରପଞ୍ଚମାନଙ୍କୁ କ୍ଷମତା ଦେଇଥିଲେ, ମିଶନ ଶକ୍ତି ମାମାନଙ୍କୁ ଦାୟିତ୍ୱ ଦେଇଥିଲେ। ହେଲେ ଆଜି ବିଜେପି ସରକାରରେ ସରପଞ୍ଚମାନେ କ୍ଷମତାହୀନ। ମିଶନ ଶକ୍ତିକୁ ବନ୍ଦ କରିଦିଆଯାଉଛି। ବିପର୍ଯ୍ୟୟ ପରିଚାଳନା ଓ ପ୍ରସ୍ତୁତିରେ ଏହା ଏକ ବହୁତ ବଡ଼ ଭୁଲ। ଲୋକେ ରିଲିଫ ପାଇଁ ହେଲିକପ୍ଟରକୁ ଚାହୁଁଛନ୍ତି। ରନ୍ଧା ଖାଦ୍ୟ ପାଇଁ ଲମ୍ୱା ଲମ୍ୱା ଧାଡ଼ି ଲାଗିଛି। ମାମାନେ ରାସ୍ତାରେ ଆସି କାନ୍ଦୁଛନ୍ତି। ନଷ୍ଟ ଫସଲକୁ ଦେଖି ଗଞ୍ଜାମରେ ଚାଷୀ ମୁଣ୍ଡରେ ହାତ ଦେଇଛନ୍ତି। ଛୋଟ ଛୋଟ ପିଲାମାନେ ତାଙ୍କ ନଷ୍ଟ ବହିପତ୍ରକୁ ଦେଖି କାନ୍ଦୁଛନ୍ତି। ପରିବର୍ତ୍ତନ ଓ ଓଡ଼ିଆ ଅସ୍ମିତାର ନାରା ଦେଇ ସରକାରକୁ ଆସିଥିବା ବିଜେପି ଗଞ୍ଜାମର ଏହି ଦୁର୍ଦ୍ଦଶା ପାଇଁ ଦାୟିତ୍ୱ ନେବ କି ବୋଲି ସୁଜାତା ପ୍ରଶ୍ନ କରିଛନ୍ତି।