ବାଲେଶ୍ୱର: ଡ଼ବଲ ଇଞ୍ଜିନ୍ ସରକାର ଏବେ ରିଭର୍ସ ଗିୟରରେ ଚାଲିଛି। ରାଜ୍ୟ ବିଜେପି ସରକାର ଓଡ଼ିଶାକୁ ୨୦ ବର୍ଷ ପଛକୁ ନେଇ ଯାଇଛି। ଓଡ଼ିଶା ଶାସନ ଦିଲ୍ଲୀରୁ ଚାଲୁଛି ଓ ରାଜ୍ୟବାସୀ ପରିବର୍ତ୍ତନର ପ୍ରତିଫଳ ଭୋଗୁଛନ୍ତି। ଭୋଗରାଇ ବ୍ଳକ୍ରେ ବିଜୁ ଜନତା ଦଳର ଜିଲ୍ଲାସ୍ତରୀୟ ପଦଯାତ୍ରାରେ ସାମିଲ ହୋଇ ଏପରି ଶାଣିତ ଶବ୍ଦରେ ରାଜ୍ୟ ସରକାର ଓ ବିଜେପିକୁ ସମାଲୋଚନା କରିଛନ୍ତି ବିଜେଡି ନେତ୍ରୀ ସୁଜାତା ରାଉତ କାର୍ତ୍ତିକେୟନ। ଥାନାଛକ ହେଲିପ୍ୟାଡ଼ ପଡ଼ିଆରେ ବିଜେଡି ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଆୟୋଜିତ ସମାବେଶରେ ସୁଜାତା କହିଛନ୍ତି ଯେ ଓଡ଼ିଶାର ଖଣି, ମାଟି ଓ ପାଣି ଏବେ ସବୁ ଅସୁରକ୍ଷିତ। ରାଜ୍ୟରେ ମହିଳାମାନେ ସୁରକ୍ଷିତ ନୁହନ୍ତି। ଗୁଣ୍ଡାଗିରି ଓ ଦାଦାଗିରି ବମି ଚାଲିଛି। ଅସ୍ମିତାର ନାରା ଦେଇ କ୍ଷମତାକୁ ଆସିଥିବା ସରକାରଙ୍କ ଶାସନରେ ଓଡ଼ିଆ ଅସ୍ମିତା ସଙ୍କଟରେ ପଡ଼ିଛି। ୨୦୨୪ରେ ସରକାର ପରିବର୍ତ୍ତନର ୨୪ ମାସ ନ ପୂରୁଣୁ ରାଜ୍ୟର ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ନବୀନ ସରକାର ସମୟରେ ମିଶନ ଶକ୍ତି ମାଧ୍ୟମରେ ୭୦ ଲକ୍ଷ ମହିଳାଙ୍କୁ ସଶକ୍ତ କରାଯାଇଥିଲା। ମହିଳା ସ୍ୱୟଂସହାୟକ ଗୋଷ୍ଠୀମାନେ ଗାଁସ୍ତରରେ ବିପର୍ଯ୍ୟୟ ପରିଚାଳନାଠାରୁ ଆରମ୍ଭ କରି ଜୀବିକା ଓ ସାମାଜିକ କାର୍ଯ୍ୟରେ ସକ୍ରିୟ ଭୂମିକା ନେଉଥିଲେ। କିନ୍ତୁ ନୂଆ ସରକାର ଆସିବା ପରେ ମିଶନ ଶକ୍ତିର ମହିଳାମାନଙ୍କ ଅଧିକାର ଓ ଆର୍ଥିକ ସ୍ୱାଧୀନତା ସଙ୍କୁଚିତ କରାଯାଇଛି।
ବିଜୁ ସ୍ୱାସ୍ଥ୍ୟ କାର୍ଡ ବନ୍ଦ କରାଯିବାକୁ ନେଇ ସରକାରଙ୍କୁ କଟୁ ସମାଲୋଚନା କରିଛନ୍ତି ସୁଜାତା। ସେ କହିଛନ୍ତି ଯେ ଗରିବ ଲୋକଙ୍କ ପାଇଁ ଚିକିତ୍ସା ଖର୍ଚ୍ଚ ବଢ଼ିଥିବାବେଳେ ଅନେକ ପରିବାର ଚିକିତ୍ସା ପାଇଁ ଜମିବାଡ଼ି ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ତତ୍କାଳୀନ ନବୀନ ପଟ୍ଟନାୟକ ସରକାର ସମୟରେ ଲକ୍ଷ ଲକ୍ଷ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କୁ ପ୍ରତିମାସ ୧୫ ତାରିଖରେ ନିୟମିତ ଭାବେ ଭତ୍ତା ମିଳୁଥିଲା। ନୂଆ ସରକାର ଛଅ ମାସ ପର୍ଯ୍ୟନ୍ତ ଏହା ଦେଇ ପାରୁନାହାନ୍ତି। ନିର୍ବାଚନ ବେଳେ ଷାଠିଏ ବର୍ଷରୁ ଊର୍ଦ୍ଧ୍ବ ବୟସ୍କଙ୍କୁ ୩୦୦୦ ଟଙ୍କା ଭତ୍ତା ଦେବାକୁ ଦେଇଥିବା ପ୍ରତିଶ୍ରୁତି ସରକାର ପୂରଣ କରିବା ତ ଦୂରର କଥା ଏବେ ପୂର୍ବରୁ ଦିଆଯାଉଥିବା ୧୦୦୦ ଟଙ୍କାକୁ ଦୁଇଥରରେ ଦେବାକୁ ବ୍ୟବସ୍ଥା ହୋଇଛି। ହାତରେ ୮୦୦ ଟଙ୍କା, ବାକି ୨୦୦ ଟଙ୍କା ଖାତାକୁ ପଠାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହା କି ପ୍ରକାର ପରିବର୍ତ୍ତନ ବୋଲି ସେ ପ୍ରଶ୍ନ କରିକରିଛନ୍ତି।
ବାଲେଶ୍ୱର ମାଟି ଓଡ଼ିଆ ଜାତୀୟତା ଏବଂ ସାହିତ୍ୟର ନାଭିକେନ୍ଦ୍ର ବୋଲି ଉଲ୍ଲେଖ କରି ସୁଜାତା କହିଛନ୍ତି ଯେ ବ୍ୟାସକବି ଫକୀରମୋହନ ସେନାପତି, କବି ରାଧାନାଥ ରାୟଙ୍କଠାରୁ ଆରମ୍ଭ କରି ପଦ୍ମଶ୍ରୀ ମନୋଜ ଦାସଙ୍କ ପର୍ଯ୍ୟନ୍ତ ଅନେକ ମହାନ୍ ସାରସ୍ୱତ ସାଧକ ଏହି ମାଟିରୁ ଜନ୍ମ ନେଇ ଓଡ଼ିଆ ଭାଷା ଓ ସାହିତ୍ୟକୁ ବିଶ୍ୱଦରବାରରେ ପରିଚିତ କରାଇଛନ୍ତି। ମାତ୍ର ଏବେ ସରକାର ମାଟିର ଅସ୍ମିତାକୁ ରାଜନୈତିକ ସ୍ଲୋଗାନରେ ସୀମିତ ରଖିଛନ୍ତି। ରାଜ୍ୟର ଯୁବକ, ଛାତ୍ର ଓ ମହିଳାମାନେ ସବୁ ବୁଝିସାରିଲେଣି। ସେମାନେ ବିଜେଡି ସହ ଅଛନ୍ତି ଏବଂ ନବୀନ ପଟ୍ଟନାୟକଙ୍କ ନେତୃତ୍ୱକୁ ପୁଣି ଫେରାଇ ଆଣିବାକୁ ଆଗକୁ ଆସିବେ। ନବୀନ ପଟ୍ଟନାୟକ କ୍ଷମତା ନୁହେଁ, ସେବାର ରାଜନୀତିରେ ବିଶ୍ୱାସ କରନ୍ତି। ୨୦୨୭ ପଞ୍ଚାୟତ ଓ ୨୦୨୯ ବିଧାନସଭା ନିର୍ବାଚନରେ ଜନତା ଏହାର ଜବାବ ଦେବେ ବୋଲି ସେ ଆହ୍ୱାନ ଦେଇଛନ୍ତି।
ସମାବେଶରେ ଭୋଗରାଇ ବିଧାୟକ ଗୌତମ ବୁଦ୍ଧ ଦାସ ମଧ୍ୟ ବିଜେପି ସରକାରକୁ କଟୁ ସମାଲୋଚନା କରିଛନ୍ତି। ଓଡ଼ିଶା ଏବେ ନିଜସ୍ୱ ନିଷ୍ପତ୍ତି ନେବାର କ୍ଷମତା ହରାଇ କେନ୍ଦ୍ର ନିୟନ୍ତ୍ରିତ ଅଞ୍ଚଳ ପାଲଟିବାକୁ ଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି। ରାଜ୍ୟର ଖଣି, ପାଣି ଓ ମାଟିର ସ୍ୱାର୍ଥକୁ ସୁରକ୍ଷା ଦେବାରେ ସରକାର ବିଫଳ ହୋଇଥିବା ସେ କହିଛନ୍ତି। ସେହିପରି ଦଳର ବରିଷ୍ଠ ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର ମଧ୍ୟ ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ନିଶାଣ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ର, ସୋର ବିଧାୟକ ମାଧବ ଧଡ଼ା, ବାଲେଶ୍ୱରର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ, ରାଜ୍ୟ ବିଜୁ ଯୁବ ଜନତା ଦଳ ସଭାପତି ଚିନ୍ମୟ କୁମାର ସାହୁ, ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁଙ୍କ ସମେତ ବହୁ ନେତା ଯୋଗ ଦେଇଥିଲେ। ଭୋଗରାଇ ବ୍ଲକ୍ର ୫୦ଟି ପଞ୍ଚାୟତ ସମେତ ଜଳେଶ୍ୱର, ବସ୍ତା, ବାଲିଆପାଳ ଓ ଅନ୍ୟ ବ୍ଲକ୍ରୁ ପ୍ରାୟ ୨୦ ହଜାର କର୍ମୀ ଏଥିରେ ସାମିଲ ହୋଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ସୁକାନ୍ତ ନାୟକ, ପୂର୍ବତନ ବିଧାୟକ ସ୍ୱରୂପ ଦାସ, ପୂର୍ବତନ ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ବିଦୁସ୍ମିତା ମହାଳିକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ନାରାୟଣ ଚନ୍ଦ୍ର ପ୍ରଧାନ, ଗିରିଶ ଚନ୍ଦ୍ର ଦାଶ, ଶୁଭଲକ୍ଷ୍ମୀ ମାଝୀ, ଶୁଭେନ୍ଦୁ ମଙ୍ଗରାଜ, ତାପସ ପାଣିଗ୍ରାହୀ, ହରେକୃଷ୍ଣ ପ୍ରଧାନ, ବ୍ଲକ ବିଜେଡ଼ି ସଭାପତି ଗଣପତି ଗିରି, ବ୍ଲକ ଉପାଧ୍ୟକ୍ଷା ମିନାରାଣୀ ସାସମଲ,ନିବେଦିତା ମହାନ୍ତି, କବିତା ମହାନ୍ତି, ପ୍ରତିମା ଚାନ୍ଦ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ। ଭୋଗରାଇ ବ୍ଲକ ବିଜେଡି ସାଧାରଣ ସମ୍ପାଦକ ହେମନ୍ତ କୁମାର ବେହେରା ଅତିଥି ମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିବା ବେଳେ ଭୋଗରାଇ ବ୍ଲକ ଅଧ୍ୟକ୍ଷ ପ୍ରବୀର କୁମାର ଗିରି ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିଲେ। ବିଜେଡି କାର୍ଯ୍ୟକାରୀ ସଭାପତି ପ୍ରଦୀପ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।