ଭୁବନେଶ୍ୱର: ବିଜେଡିର ଜନସମ୍ପର୍କ ପଦଯାତ୍ରା ସମୟରେର୍ମ୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଓ ଦଳୀୟ ସମର୍ଥକଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ଏହି ଘଟଣାରେ ନିରପେକ୍ଷ ତଦନ୍ତ ଓ ଦୋଷୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ବିଜେଡି। ଏନେଇ ବିଜେଡିର ଏକ ପ୍ରତିନିଧି ମଣ୍ଡଳୀ ଗୁରୁବାର ରାଜ୍ୟ ପୁଲିସ ମହାନିର୍ଦ୍ଦଶକ ବିନୟତୋଷ ମିଶ୍ରଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ୪୮ ଘଣ୍ଟା ମଧ୍ୟରେ ସମସ୍ତ ଦୋଷୀଙ୍କୁ ଚିହ୍ନଟ କରି ଗିରଫ କରିବା ସହ ଘଟଣାର ତଦନ୍ତ ପାଇଁ ଜଣେ ବରିଷ୍ଠ ଅଧିକାରୀଙ୍କୁ ନିୟୋଜିତ କରିବାକୁ ଦଳ ଦାବି କରିଛି। ଏହାସହ ଶ୍ରୀ ବଳବନ୍ତରାୟ ଜୀବନ ପ୍ରତି ବିପଦ ଥିବା କାରଣରୁ ତାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ତୁରନ୍ତ ୪ ବ୍ୟକ୍ତିଗତ ସୁରକ୍ଷା କର୍ମୀ(ପିଏସଓ) ଯୋଗାଇ ଦେବାକୁ ପ୍ରତିନିଧି ମଣ୍ଡଳୀ ଦାବି ଜଣାଇଛନ୍ତି।
ଦାବିପତ୍ରରେ ଦର୍ଶାଯାଇଛି ଯେ ଗତ ୪ ତାରିଖରେ ଯାଜପୁର ଜିଲ୍ଲା ଜେନାପୁର ଥାନା ଅଧୀନ ମଧୁପୁରଗଡ଼ା ଗ୍ରାମ ପଞ୍ଚାୟତରେ ପ୍ରଣବ ବଳବନ୍ତରାୟ ଜନସମ୍ପର୍କ ପଦଯାତ୍ରାରେ ଯୋଗଦେଇଥିବାବେଳେ ପ୍ରାୟ ୪୦ରୁ ୫୦ ଜଣ ବ୍ୟକ୍ତି ସେଠାରେ ଏକାଠି ହୋଇ ଆକ୍ରମଣ କରିଥିଲେ। ଆକ୍ରମଣକାରୀଙ୍କ ମଧ୍ୟରୁ କେତେକଙ୍କ ହାତରେ ଖଣ୍ଡା, କୁରାଢ଼ି ଓ ଅନ୍ୟାନ୍ୟ ମାରଣାସ୍ତ୍ର ରହିଥିଲା। ଏଥିସହ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ସମେତ ଏକାଧିକ ଚାରିଚକିଆ ଓ ଦୁଇଚକିଆ ଯାନ ଭଙ୍ଗାରୁଜା କରାଯାଇଥିଲା। ଘଟଣାସ୍ଥଳ ନିକଟରେ ଜେନାପୁର ଥାନା ଆଇଆଇସିଙ୍କ ସମେତ ପୁଲିସ କର୍ମଚାରୀ ଉପସ୍ଥିତ ଥିଲେ ମଧ୍ୟ ପ୍ରଭାବୀ ପଦକ୍ଷେପ ଗ୍ରହଣ କରିନଥିଲେ। ଏହି ଅଭିଯୋଗର ନିରପେକ୍ଷ ତଦନ୍ତ କରି ସମ୍ପୃକ୍ତ ପୁଲିସ କର୍ମଚାରୀଙ୍କ ଭୂମିକା ଯାଞ୍ଚ କରିବାକୁ ଦଳ ଦାବି କରିଛି। ସେହିପରି ଘଟଣା ପରେ ଅଭିଯୁକ୍ତମାନେ ଜଗଦୀଶ ଜେନାମଣିଙ୍କ ଘରକୁ ଯାଇ ଧମକ ଦେଇଥିବା ଏବଂ ପରେ ସେଠାରେ ଆଉ ଏକ ଗଣ୍ଡଗୋଳ ଘଟିଥିବା ଅଭିଯୋଗ ମଧ୍ୟ ସ୍ମାରକପତ୍ରରେ ରହିଛି। ଏହି ଘଟଣାର ମଧ୍ୟ ସମ୍ପୂର୍ଣ୍ଣ ତଦନ୍ତ ସହ ସାକ୍ଷୀ ଓ ଅଭିଯୋଗକାରୀଙ୍କ ସୁରକ୍ଷା ଦାବି କରାଯାଇଛି।
ଅଭିଯୋଗ ଆଧାରରେ ନାମ ଉଲ୍ଲେଖ ଥିବା ବ୍ୟକ୍ତି ଓ ଅନ୍ୟ ଅଜଣା ବ୍ୟକ୍ତିଙ୍କ ଭୂମିକା ଭିଡିଓ ଫୁଟେଜ୍, ଫଟୋ, ଚିକିତ୍ସା ରିପୋର୍ଟ, ଯାନବାହନ କ୍ଷୟକ୍ଷତି ରିପୋର୍ଟ ଓ ଅନ୍ୟାନ୍ୟ ଆଇନସମ୍ମତ ପ୍ରମାଣ ଆଧାରରେ ଯାଞ୍ଚ କରିବାକୁ ବିଜେଡି ଦାବି କରିଛି। ଦାବିପତ୍ରରେ ପ୍ରତିନିଧି ମଣ୍ଡଳୀ ଉଲ୍ଲେଖ କରିଛି ଯେ ଜଗଦୀଶ ଜେନାମଣି, ସାକ୍ଷୀ ଓ ବିପଦରେ ଥିବା ଅନ୍ୟ ବ୍ୟକ୍ତିଙ୍କୁ ମଧ୍ୟ ଆବଶ୍ୟକ ସୁରକ୍ଷା ଯୋଗାଇ ଦିଆଯାଉ। ମୁଖ୍ୟ ଅଭିଯୁକ୍ତମାନଙ୍କୁ ଆଇନ ଅନୁଯାୟୀ ଓ ପର୍ଯ୍ୟାପ୍ତ ପ୍ରମାଣ ଆଧାରରେ ୪୮ ଘଣ୍ଟା ମଧ୍ୟରେ ଚିହ୍ନଟ କରି ଗିରଫ କରାଯାଉ। ଜେନାପୁର ଥାନା ଆଇଆଇସିଙ୍କ ବିରୋଧରେ କର୍ତ୍ତବ୍ୟରେ ଅବହେଳା କିମ୍ୱା ଅନ୍ୟ କୌଣସି ଅନିୟମିତତା ପ୍ରମାଣିତ ହେଲେ ତାଙ୍କ ବିରୋଧରେ ମଧ୍ୟ ଆଇନସମ୍ମତ କାର୍ଯ୍ୟ।।ନୁଷ୍ଠାନ ପାଇଁ ଦାବି କରାଯାଇଛି। ଘଟଣାଟି ରାଜନୈତିକ ଭାବେ ସମ୍ୱେଦନଶୀଳ ହୋଇଥିବାରୁ ତଦନ୍ତକୁ ଭୁବନେଶ୍ୱର ଡିଜି କାର୍ଯ୍ୟାଳୟର ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ଦିଆଯାଉ। ତଦନ୍ତ ନିରପେକ୍ଷ, ସ୍ୱଚ୍ଛ ଓ ସମୟବଦ୍ଧ ଭାବେ କରିବା ସହ ଦୋଷୀ ପ୍ରମାଣିତ ହେଉଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ନେବାକୁ ଦଳ ଦାବି କରିଛି। ଏଥିସହ ବିଜେଡି ସମର୍ଥକଙ୍କ ବିରୋଧରେ ରୁଜୁ ହୋଇଥିବା ମିଥ୍ୟା ମାମଲାଗୁଡ଼ିକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ମଧ୍ୟ ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି। ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟସଭା ସାଂସଦ ସୁଲତା ଦେଓ, ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ, ସଞ୍ଜୟ କୁମାର ଦାସବର୍ମା, ପ୍ରଣବ ବଳବନ୍ତରାୟ, ପ୍ରୀତିରଞ୍ଜନ ଘଡାଇ, ସୁଲୋଚନା ଦାସ, ଟୁକୁନି ସାହୁ, ଶର୍ମିଷ୍ଠା ସେଠୀ, ସୁଜାତା ସାହୁ, ବିଶ୍ୱରଞ୍ଜନ ମଲ୍ଲିକ, ଡ. ଲେଖାଶ୍ରୀ ସାମନ୍ତ ସିଂହାର, ଚିନ୍ମୟ ସାହୁ, ଇପ୍ସିତା ସାହୁ, ଡ. ପ୍ରିୟବ୍ରତ ମାଝୀ, କ୍ୟାପ୍ଟେନ ରାଜନାରାୟଣ ମହାପାତ୍ର ପ୍ରମୁଖ ସାମିଲ ଥିଲେ।