ଚାନ୍ଦବାଲି ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା: ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି, ବାସଭବନ ଘେରଉ କଲା ବିଜୁ ଯୁବ ଓ ଛାତ୍ର ଜନତା ଦଳ

ଭୁବନେଶ୍ୱର: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏନ୍‌ଏସି ଅନ୍ତର୍ଗତ  ବାଲିଗାଁରେ ତୃତୀୟ ଶ୍ରେଣୀରେ ପଢୁଥିବା ଜଣେ ୧୦ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣାକୁ ନେଇ ରାଜ୍ୟ ବିଜେପି ସରକାରଙ୍କୁ ତୀବ୍ର ସମାଲୋଚନା କରିଛି ବିଜୁ ଯୁବ ଓ ଛାତ୍ର ଜନତା ଦଳ। ନାବାଳିକାମାନଙ୍କୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ଅସମର୍ଥ ଥିବାବେଳେ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବାକୁ ଦାବି କରି ଯୁବ ଓ ଛାତ୍ର ବିଜେଡିର ବହୁସଂଖ୍ୟକ କର୍ମକର୍ତ୍ତା ବୁଧବାର ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରଉ ଉଦ୍ୟମ କରିଥିଲେ। ଧଉଳି ଗଣଦୁଷ୍କର୍ମ ଓ ସହୀଦ ନଗର ନାବାଳିକା ଦୁଷ୍କର୍ମ ଘଟଣା ଏଯାବତ୍‌ ରାଜ୍ୟବାସୀଙ୍କ ମନରୁ ଲିଭିନାହିଁ।  ଏପରି ସମୟରେ ଚାନ୍ଦବାଲିର ଲୋମହର୍ଷଣକ ଘଟଣା ଓଡ଼ିଶାକୁ ସାରା ଦେଶରେ ନିନ୍ଦିତ କରିଛି ବୋଲି ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି।

ବିଜେପି ସରକାର ଶାସନକୁ ଆସିବା ପରେ ରାଜ୍ୟରେ ମହିଳା ଓ ନାବାଳିକାମାନଙ୍କ ସୁରକ୍ଷା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି। ଗୋପାଳପୁର, ବାଲିହରଚଣ୍ଡୀ, ଧଉଳି, ଶହୀଦ ନଗର, ମାଲକାନଗିରି ଗଣଦୁଷ୍କର୍ମର ଲମ୍ୱା ତାଲିକା ଦେଖେଇ ବିଜୁ ଯୁବ ଜନତା ଦଳର ସଭାପତି ଚିନ୍ମୟ ସାହୁ ଓ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁଙ୍କ ନେତୃତ୍ୱରେ ଦଳର ହଜାର ହଜାର ଯୁବ ଓ ଛାତ୍ର ଆଜି ପ୍ରଦର୍ଶନ କରିଥିଲେ।  

ଦଳ ପକ୍ଷରୁ କୁହାଯାଇଛି ଯେ ରାଜ୍ୟରେ ଦୁଷ୍କର୍ମ, ଗଣଦୁଷ୍କର୍ମ ପରି ଘଟଣାମାନ ଦିନକୁ ଦିନ ବୃଦ୍ଧି ପାଇବା ସହିତ ମହିଳା ଓ ନାବାଳିକାମାନଙ୍କ ସୁରକ୍ଷା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇଛି। ଗତ ୧୮ ମାସର ବିଜେପି ଶାସନରେ ରାଜ୍ୟରେ ମହିଳା ଓ ନାବାଳିକାଙ୍କ ବିରୋଧରେ ଅପରାଧ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇଛି। ରାଜ୍ୟରେ ଆଇନଶୃଖଳା ସ୍ଥିତି ଏପରି ଦୟନୀୟ ସ୍ଥିତିରେ ପହଞ୍ଚିଛି ଯେ, ଅପରାଧୀମାନେ ଭୟମୁକ୍ତ ହୋଇ ଅପରାଧ ଘଟାଉଛନ୍ତି। ଦୁଃଖ ଓ ପରିତାପର ବିଷୟ ଯେ ରାଜ୍ୟରେ ମହିଳା ସୁରକ୍ଷା ସ୍ଥିତି ସଙ୍ଗୀନ ହୋଇଥିଲେ ମଧ୍ୟ ଏହାକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର କୌଣସି ତତ୍ପରତା ଦେଖାଉ ନାହାନ୍ତି। ଗୃହ ବିଭାଗ ଖୋଦ ମୁଖ୍ୟମନ୍ତ୍ରୀଙ୍କ ପାଖରେ ରହିଥିଲା ବେଳେ ସ୍ଥିତିରେ ସୁଧାର ଆସିବା ପରିବର୍ତ୍ତେ ଅଧିକ ବିଗିଡ଼ି ଯାଉଛି। ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁଁ ବାରମ୍ୱାର ଏଭଳି ଘଟଣା ଘଟୁଛି। ଯଦି ରାଜ୍ୟର ବିଜେପି ସରକାର ମହିଳାମାନଙ୍କୁ ସୁରକ୍ଷା ଦେବାରେ ଅସମର୍ଥ, ତା’ହେଲେ ସରକାର ଗାଦି ଛାଡ଼ିଦିଅନ୍ତୁ ବୋଲି ସେମାନେ ଦାବି କରିଛନ୍ତି। 

ଏହି ବିକ୍ଷୋଭରେ ବିଜୁ ଯୁବ ଓ ଛାତ୍ର ଜନତା ଦଳର ଧୃତି ମାର୍ଥା, ଜ୍ୟୋତ୍ସ୍ନାମୟୀ ପରିଡ଼ା, ସୋଫିଆ ଆଲାମ, ତାରିଣୀ ପ୍ରସାଦ ନାୟକ, ଶୁଭ୍ରଜିତ୍‌ ପାଢ଼ୀ, ନୀଳମାଧବ ମହାନ୍ତି, ସୁଜିତ ପାଲଟାସିଂହ, ଅସ୍ମିତ ଦାସ, ସ୍ନେହାଶିଷ, ତବରେଜ ଖାନ, ଫାତିମା ଖାତୁନ, ଲଗ୍ନାଦୀପ ମିଶ୍ର, ଦୀପକ ଜେନା, ସତ୍ୟଜିତ୍‌ ପଟ୍ଟନାୟକ, ଦୀପକ ସାହୁ, ସୌମ୍ୟ ରଞ୍ଜନ ତି୍‌ରପାଠୀ, ଜଗମୋହନ ବଲିଆରସିଂହ, ସୁଦୀପ୍ତ କୁମାର ସାମଲ, ଶେଖ ଅମୀର ଅହମ୍ମଦ, ସୌମ୍ୟ ଶଙ୍କର ରାୟ, ଦୀପକ ମହାପାତ୍ର, ମନୋଜ ମହାନ୍ତି, ସଞ୍ଜୀତ ମହାନ୍ତି, ମନୋଜ ସେନାପତି, ଅମରଜିତ୍‌ ସେନାପତି, ଅରୁପ ଶ୍ରୀଚନ୍ଦନ, ପ୍ରଶାନ୍ତ ସ୍ୱାଇଁ, ସ୍ମୃତି ରଞ୍ଜନ ପଟ୍ଟନାୟକ, ପ୍ରଫୁଲ୍ଲ ନାୟକ, ସ୍ୱାଗତିକା ମହାନ୍ତି, ଦୀପକ ବେହେରା, ଜ୍ୟୋତି ପ୍ରକାଶ ସାମଲ, ମନୋରଞ୍ଜନ ସ୍ୱାଇଁ, ବିକ୍ରମ ପଟ୍ଟନାୟକ, ଇଲା ସାସମଲ, ରାଜେଶ ରୋଶନ, ଶ୍ରୀଚନ୍ଦନ ପାତ୍ର, ମନୋଜ ମାରାଣ୍ଡି, ଦିବ୍ୟସିଂହ ସେଠୀ, ଶେଖ ନିୱାଜ, ସମିମ ଅଖତର, ସାଗର ବଳବନ୍ତରାୟ, ସାଇରାମ ସେଠୀ, ଶୁଭମ ବେହେରା, ଅମିତ କୁମାର ଜେନା, ଅଶୋକ ନାୟକ ପ୍ରମୁଖ ସାମିଲ ହୋଇଥିଲେ।

About The Author: Madhusudan Das