ବ୍ରହ୍ମପୁର: ରାଜନୈତିକ ମତଭେଦ ଓ ସମାଲୋଚନା ଗଣତନ୍ତ୍ରର ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିବା ବେଳେ ବ୍ୟକ୍ତିତ୍ୱକୁ ଅପମାନିତ କରିବା ଭଳି କାର୍ଯ୍ୟ କେତେଦୂର ଗ୍ରହଣୀୟ, ତାହାକୁ ନେଇ ଏବେ ହିଞ୍ଜିଳିରେ ଚର୍ଚ୍ଚା ଜୋର୍ ଧରିଛି। ଦୁଇ ଦଶନ୍ଧିରୁ ଉର୍ଦ୍ଧ୍ବ ସମୟ ଧରି ଗଞ୍ଜାମ ମାଟିରୁ ରାଜନୈତିକ ନେତୃତ୍ୱ ନେଇ ଓଡ଼ିଶାର ଶାସନ ଭାର ସମ୍ଭାଳିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନାମରେ ହିଞ୍ଜିଳିର ବିଭିନ୍ନ ସ୍ଥାନରେ “ମିସିଂ’ ପୋଷ୍ଟର ଲଗାଯିବା ଘଟଣାକୁ ନେଇ ଏଭଳି ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ପୋଷ୍ଟରକୁ ନେଇ ବିଜୁପ୍ରେମୀ ଓ ନବୀନଙ୍କ ସମର୍ଥକମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ଏହାକୁ ନିନ୍ଦା କରିଛନ୍ତି। ସେମାନଙ୍କ ମତରେ, ରାଜନୈତିକ ଭାବେ ନବୀନଙ୍କୁ ବିରୋଧ କରିବା, ତାଙ୍କ ନୀତି ଓ ନିଷ୍ପତ୍ତିକୁ ସମାଲୋଚନା କରିବା ବିରୋଧୀଙ୍କ ଅଧିକାର। କିନ୍ତୁ ଦୀର୍ଘବର୍ଷ ଧରି ରାଜ୍ୟର ନେତୃତ୍ୱ ନେଇଥିବା ଜଣେ ରାଜନୈତିକ ବ୍ୟକ୍ତିତ୍ୱଙ୍କୁ ଏଭଳି ଢଙ୍ଗରେ ଉପହାସ କରିବା ରାଜନୈତିକ ସଂସ୍କୃତିର କେଉଁ ପରିଚୟ ବୋଲି ସେମାନେ ପ୍ରଶ୍ନ ଉଠାଇଛନ୍ତି।
ଉଲ୍ଲେଖଯୋଗ୍ୟ, ହିଞ୍ଜିଳି କେବଳ ନବୀନ ପଟ୍ଟନାୟକଙ୍କ ରାଜନୈତିକ କର୍ମଭୂମି ନୁହେଁ; ବରଂ ଗଞ୍ଜାମ ଜିଲ୍ଲାରେ ତାଙ୍କ ଦୀର୍ଘ ରାଜନୈତିକ ଯାତ୍ରାର ଏକ ପ୍ରମୁଖ ଆଧାର ରହି ଆସିଛି। ଏହି ଅଞ୍ଚଳରୁ ନିର୍ବାଚିତ ହୋଇ ସେ ଦୀର୍ଘବର୍ଷ ଧରି ରାଜ୍ୟର ଶାସନ ଦାୟିତ୍ୱ ତୁଲାଇଥିଲେ। ତାଙ୍କ ଶାସନ କାଳରେ ଗଞ୍ଜାମ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ହୋଇଥିବା ବିକାଶମୂଳକ କାର୍ଯ୍ୟକୁ ତାଙ୍କ ସମର୍ଥକମାନେ ଉଲ୍ଲେଖ କରିଛନ୍ତି। ଏଭଳି ଜଣେ ନେତାଙ୍କୁ ନେଇ ମିସିଂ ପୋଷ୍ଟର ଲଗାଇବା ପଛରେ କେଉଁ ରାଜନୈତିକ ଉଦ୍ଦେଶ୍ୟ ରହିଛି ବୋଲି ପ୍ରଶ୍ନ ଉଠିଛି ।
ବିଜୁପ୍ରେମୀଙ୍କ କହିବା ଅନୁଯାୟୀ, ନିର୍ବାଚନୀ ପରାଜୟ କିମ୍ୱା ରାଜନୈତିକ ପରିବର୍ତ୍ତନ ପରେ ବିଜୁ ଜନତା ଦଳର ବିରୋଧୀ ସେମାନଙ୍କ କାମ ଭୁଲି ଯାଇଛନ୍ତି। ବନ୍ୟାରେ ଲୋକଙ୍କୁ ତୁରନ୍ତ ସହଯୋଗ ଓ ସହାନୂଭୂତି ଦେବାରେ ଶାସକ ଦଳ ଫେଲ୍ ମାରିଛି। ପ୍ରତି ସ୍ଥାନରେ ଶାସକ ଦଳର ମନ୍ତ୍ରୀ, ବିଧାୟକଙ୍କୁ ବିରୋଧ ହେଉଛି। ଏହାକୁ ଏଡ଼ାଇବା ପାଇଁ ବିଜେପିର ଏହା ଏକ ପ୍ରାୟୋଜିତ ନାଟକ ବୋଲି ବିଜୁ ଜନତା ଦଳର ନେତାମାନେ ଥାନାରେ ଅଭିଯୋଗ କିରଛନ୍ତି। ବିକାଶ, ବେକାରି, ଚାଷୀଙ୍କ ସମସ୍ୟା ଓ ଜନସ୍ୱାର୍ଥ ପ୍ରସଙ୍ଗରେ ଲଢେ଼ଇ କରିବା ପରିବର୍ତ୍ତେ ବ୍ୟକ୍ତିଗତ ଆକ୍ଷେପକୁ ଗୁରୁତ୍ୱ ଦେବା ଶାସକ ଦଳର ଦୁର୍ବଳ ରାଜନୈତିକ ରଣନୀତିକୁ ପ୍ରତିଫଳିତ କରୁଛି। ଏହାଦ୍ୱାରା ରାଜନୈତିକ ଲାଭ ଅପେକ୍ଷା ଶାସକ ଦଳ ବିରୋଧରେ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବ ବୋଲି ସେମାନେ ମତ ଦେଇଛନ୍ତି।