୧୦ ବର୍ଷ ହେଲା ନିର୍ମାଣ ହୋଇପାରିଲା ନାହିଁ ଟର୍ମିନାଲ-୩, ପୁରୁଣା ପ୍ରକଳ୍ପ ପୁଣିଥରେ ସମୀକ୍ଷା କରି ଚାଲିଗଲେ ନୂଆ ମନ୍ତ୍ରୀ

ଭୁବନେଶ୍ୱର : ଛାମୁ ଯାହା ଦେଲେ ହରଷେ, ପାଉ ପାଉ ଗଲା ବରଷେ। ଏହି ଉକ୍ତିଟି ଓଡିଶାର ଏକମାତ୍ର ଅନ୍ତର୍ଜାତୀୟ ବିଜୁ ପଟ୍ଟନାୟକ ବିମାନବନ୍ଦର କ୍ଷେତ୍ରରେ ସମ୍ପୂର୍ଣ୍ଣ ପ୍ରଯୁଜ୍ୟ ବୋଲି କୁହାଯାଇପାରେ। ଭୁବନେଶ୍ୱର ବିମାନବନ୍ଦରରେ ଭିତ୍ତିଭୂମିର ବିକାଶ ଘୋଷଣା କରି ଚାରି ଜଣ ମନ୍ତ୍ରୀ ବଦଳି ଗଲେଣି, ଏନ୍‌ଡିଏ ସରକାର ୧୦ ବର୍ଷ ପୂରଣ କରି ସାରିଲାଣି, ୫ ଜଣ ନିର୍ଦ୍ଦେଶକ ବଦଳି ଗଲେଣି; କିନ୍ତୁ ଟର୍ମିନାଲ-୩ ନିର୍ମାର ପାଇଁ ୧୦ ବର୍ଷ ତଳେ ହୋଇଥିବା ଘୋଷଣା […]

ଭୁବନେଶ୍ୱର : ଛାମୁ ଯାହା ଦେଲେ ହରଷେ, ପାଉ ପାଉ ଗଲା ବରଷେ। ଏହି ଉକ୍ତିଟି ଓଡିଶାର ଏକମାତ୍ର ଅନ୍ତର୍ଜାତୀୟ ବିଜୁ ପଟ୍ଟନାୟକ ବିମାନବନ୍ଦର କ୍ଷେତ୍ରରେ ସମ୍ପୂର୍ଣ୍ଣ ପ୍ରଯୁଜ୍ୟ ବୋଲି କୁହାଯାଇପାରେ। ଭୁବନେଶ୍ୱର ବିମାନବନ୍ଦରରେ ଭିତ୍ତିଭୂମିର ବିକାଶ ଘୋଷଣା କରି ଚାରି ଜଣ ମନ୍ତ୍ରୀ ବଦଳି ଗଲେଣି, ଏନ୍‌ଡିଏ ସରକାର ୧୦ ବର୍ଷ ପୂରଣ କରି ସାରିଲାଣି, ୫ ଜଣ ନିର୍ଦ୍ଦେଶକ ବଦଳି ଗଲେଣି; କିନ୍ତୁ ଟର୍ମିନାଲ-୩ ନିର୍ମାର ପାଇଁ ୧୦ ବର୍ଷ ତଳେ ହୋଇଥିବା ଘୋଷଣା କେବଳ ଘୋଷଣାରେ ହିଁ ରହି ଯାଇଛି। ଇଟା ଖଣ୍ଡେ ବି ପଡ଼ି ପାରିଲା ନାହିଁ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ନାଇଡୁ ଗତକାଲି ପ୍ରଥମ ଥର ଭୁବନେଶ୍ୱର ଆସି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ସ୍ଥାନୀୟ ଅଧିକାରୀଙ୍କ ସହ ବୈଠକରେ ଯୋଗ ଦେଇଥିଲେ। ସେଠାରୁ ବାହାରିବା ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ନାଇଡୁ କହିଥିଲେ, ଏଠାରେ ଥିବା ଟର୍ମିନାଲ-୧ କୋଠା ବାର୍ଷିକ ୪୦ ଲକ୍ଷ ଯାତ୍ରୀଙ୍କ ବ୍ୟବହାର ପାଇଁ ଉପଯୁକ୍ତ। କିନ୍ତୁ ଏବେ ଯାତ୍ରୀ ସଂଖ୍ୟା ୫୦ ଲକ୍ଷରୁ ଅଧିକ ରହୁଛି। ତେଣୁ ଟର୍ମିନାଲ-୧ର ସମ୍ପ୍ରସାରଣ କରାଯାଇ ଏହା ଯାତ୍ରୀ ଧାରଣ କ୍ଷମତା ବୃଦ୍ଧି କରାଯିବ। ସେହିପରି ବର୍ଦ୍ଧିତ ଯାତ୍ରୀ ସଂଖ୍ୟାକୁ ଦୃଷ୍ଟିରେ ରଖି ଆଗାମୀ ୨ ବର୍ଷ ଭିତରେ ବାର୍ଷିକ ଆଉ ୮୦ ଲକ୍ଷ ଯାତ୍ରୀ କ୍ଷମତାର ଟର୍ମିନାଲ-୩ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ଏଥିସହ ରନ୍‌ୱେରେ କ୍ୟାଟେଗୋରୀ-୨ ଲାଇଟ୍‌ ବ୍ୟବସ୍ଥା ହେବ। ସେ ଆହୁରି କହିଥିଲେ ଯେ ଭୁବନେଶ୍ୱର ବିମାନବନ୍ଦର ନିକଟରେ ବହୁ ଖାଲି ସ୍ଥାନ ରହିଛି। ସେଠାରେ ବାଣିଜ୍ୟିକ ଓ ଯାତ୍ରୀ ସୁବିଧା ଥିବା ପ୍ରକଳ୍ପ କାର୍ଯ୍ୟକାରୀ କରିବା ସମ୍ପର୍କରେ ଆଜି ସ୍ଥାନୀୟ ଅଧିକାରୀଙ୍କ ସହ ଆଲୋଚନା କରିଛୁ। ଆଗାମୀ ୧୦ ବର୍ଷକୁ ଦୃଷ୍ଟିରେ ରଖି ଶୀଘ୍ର କାମ ଆରମ୍ଭ ହେବ ବୋଲି ମନ୍ତ୍ରୀ କହିଥିଲେ।

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ତୃତୀୟ ଟର୍ମିନାଲ କଥା ୧୦ ବର୍ଷ ତଳୁ କୁହାଯାଉଛି। ୨୦୧୯ରେ ୯୧୩ କୋଟି ଟଙ୍କାରେ ଏଥିପାଇଁ ବେସ୍‌ ଲାଇନ୍‌ ଷ୍ଟଡି ମଧ୍ୟ କରାଗଲା। ଏହା ଭିତରେ ୫ ଜଣ ନିର୍ଦ୍ଦେଶକ ବଦଳି ଗଲେଣି। କିନ୍ତୁ ଟର୍ମିନାଲ ପାଇଁ ନକ୍ସାରେ ଗାର ଖଣ୍ଡେ ଟଣାଯାଇ ପାରି ନାହିଁ। ସେହିପରି ବିମାନବନ୍ଦର ପରିସରରେ ଥିବା ଖାଲି ସ୍ଥାନରେ ଅଡିଟୋରିୟମ୍‌, କାଫେ, ସପିଂ ମଲ୍‌, ସମ୍ମିଳନୀ କକ୍ଷ ଆଦି ଥିବା ଏୟାରପୋର୍ଟ ବିଜନେସ୍‌ ଡିଷ୍ଟ୍ରିକ୍ଟ ନିର୍ମାଣ ପାଇଁ ମଧ୍ୟ ୨୦୧୬ରେ ଘୋଷଣା ହୋଇଥିଲା। ପିପିପି ମୋଡ୍‌ରେ ୨୫୦ କୋଟି ଟଙ୍କା ବ୍ୟୟରେ ଦୁଇ ବର୍ଷରେ କାମ ଶେଷ ହେବ କୁହାଯାଇଥିଲା। କ୍ୟାଟ୍‌-୨ ଲାଇଟିଂ କଥା ବି ଦୁଇ ବର୍ଷ ହେଲା କୁହାଯାଉଛି। ଜଣକ ପରେ ଜଣେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ, ଭାରତୀୟ ବିମାନପତ୍ତନ ପ୍ରାଧିକରଣ (ଏଏଆଇ) ଅଧ୍ୟକ୍ଷମାନେ ଆସୁଛନ୍ତ. ଆଉ ସମାନ ପ୍ରକଳ୍ପ ସମୀକ୍ଷା କରି ଚାଲି ଯାଉଛନ୍ତି; ପରିସ୍ଥିତି ବଦଳୁ ନାହିଁ। ଲିଙ୍କ୍‌ ବିଲ୍ଡିଂ, ନୂଆ ଏଟିସି ଟାୱାର ନିର୍ମାଣ ଶେଷ ହେବାକୁ ଚାରି ବର୍ଷ ବିଳମ୍ବ ହୋଇଛି, କିନ୍ତୁ ମନ୍ତ୍ରୀଙ୍କ ଠାରୁ ନେଇ ବଡ଼ ଅଧିକାରୀ କେବଳ ପ୍ରକଳ୍ପ ସମୀକ୍ଷା ଓ ଘୋଷଣାରେ ବ୍ୟସ୍ତ। ବୈଠକ ପରେ ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ କହିଛନ୍ତି, ଟର୍ମିନାଲ-୩ ପାଇଁ ଡ୍ରଇଂ ଚୂଡ଼ାନ୍ତ ହେବା ସହିତ ପରିବେଶ ମଞ୍ଜୁରୀ ମିଳିଛି। ଟେଣ୍ଡର କାର୍ଯ୍ୟ ଶୀଘ୍ର ଆରମ୍ଭ ହେବ।

୨୦୧୩ ଅକ୍ଟୋବର ମାସରେ ଭୁବନେଶ୍ୱର ବିମାନବନ୍ଦରକୁ କେନ୍ଦ୍ର ସରକାର ଅନ୍ତର୍ଜାତୀୟ ବିମାନବନ୍ଦରର ମାନ୍ୟତା ପ୍ରଦାନ କରିଥିଲେ। ଏଠାରୁ ଏବେ ପ୍ରାୟ ୨୨ଟି ସହରକୁ ଏବଂ ୪ଟି ଦେଶକୁ ଦୈନିକ ବିମାନ ଉଡ଼ାଣ ହେଉଛି। ସେହିପରି ରାଜ୍ୟ ଭିତରେ ଏଠାରୁ ଉତ୍‌କେଲା, ଝାରସୁଗୁଡ଼ା, ଜୟପୁର, ରାଉରକେଲାକୁ ବିମାନ ଚଳାଚଳ ହେଉଛି। ଦୈନିକ ୪୮ଟି ବିମାନରେ ପ୍ରାୟ ୧୩/୧୪ ହଜାର ଯାତ୍ରୀ ଯିବା ଆସିବା କରୁଛନ୍ତି। ଶିକ୍ଷା, ସ୍ୱାସ୍ଥ୍ୟ, ପର୍ଯ୍ୟଟନ, ବ୍ୟବସାୟ, ଶିଳ୍ପାୟନ, ଆଇଟି ଆଦି କ୍ଷେତ୍ରରେ ବିକାଶ ହେତୁ ଓଡିଶାକୁ ଯାତ୍ରୀଙ୍କ ଆଗମନ ବୃଦ୍ଧି ପାଇଛି। ଏହି ବିମାନବନ୍ଦରର ସମ୍ପ୍ରସାରଣ ଏକାନ୍ତ ଅପରିହାର୍ଯ୍ୟ ହୋଇପଡିଛି।

About The Author: The Sakala