ଭୁବନେଶ୍ୱର : ପାରମ୍ପାରିକ ବିଦ୍ୟୁତ୍ ଶକ୍ତି ପରିବର୍ତ୍ତେ ଅକ୍ଷୟ ଶକ୍ତି ଅବା ନବୀକରଣଯୋଗ୍ୟ ଶକ୍ତି ଉପଯୋଗ କ୍ଷେତ୍ରରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ନୂଆ କୀର୍ତ୍ତିମାନ ସ୍ଥାପନ କରିଛି। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଏବେ ଶତ ପ୍ରତିଶତ ସବୁଜ ଶକ୍ତି ବ୍ୟବହାର ଆରମ୍ଭ କରିଛି। ନିକଟରେ ୧୮.୭୫ କୋଟି ଟଙ୍କା ବ୍ୟୟରେ ବିମାନବନ୍ଦରର ପରିସରରେ ଥିବା ୧୩.୨୮ ଏକର ଜମି ଉପରେ ୪ ମେଗାୱାଟ୍ର ସୌର ପ୍ରକଳ୍ପ ସ୍ଥାପନ କରାଯାଇଛି। ବିମାନବନ୍ଦରରେ ଦୈନନ୍ଦିନ ଶକ୍ତି ଆବଶ୍ୟକତାରୁ ୬୦ ପ୍ରତିଶତ ସୌର ଶକ୍ତିରୁ ମିଳୁଥିବା ବେଳେ ଅବଶିଷ୍ଟ ୪୦ ପ୍ରତିଶତ ଶକ୍ତି ଜଳ ବିଦ୍ୟୁତ୍ ଉତ୍ସରୁ ମିଳୁଛି। ଏହା ପୂର୍ବରୁ ବିମାନବନ୍ଦରରେ କମ୍ କ୍ଷମତା ସମ୍ପନ୍ନ ସୌର ପ୍ରକଳ୍ପ କାର୍ଯ୍ୟକ୍ଷମ କରାଯାଇଥିଲା।
୨୦୨୨ ଡିସେମ୍ବର ମାସରୁ ୨୦୨୩ ଏପ୍ରିଲ ମାସ ମଧ୍ୟରେ ସୌର ପ୍ରକଳ୍ପରୁ ସମୁଦାୟ ୯୩୫୯୬୩ କିଲୋୱାଟ୍ ଶକ୍ତି ହସ୍ତଗତ ହୋଇଥିଲା। ସେହିପରି ଗ୍ରୀଡ୍ରୁ ୨୭୧୯୦୪୬ (୩୫%) କିଲୋୱାଟ ବିଦ୍ୟୁତ୍ କ୍ରୟ କରାଯାଇଥିଲା। ତେବେ ଚଳିତ ମାସ ସୁଦ୍ଧା ବିମାନବନ୍ଦରର ନିଜ ବ୍ୟବହାର ପାଇଁ ଶତ ପ୍ରତିଶତ ବିଦ୍ୟୁତ ଚାହିଦା ଅକ୍ଷୟ ଶକ୍ତିରୁ ପୂରଣ କରିପାରିଛି। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ସର୍ବ ପ୍ରଥମେ ୨୦୧୩ ମସିହାରେ ସୌର ପ୍ରକଳ୍ପ ସ୍ଥାପନ କାର୍ଯ୍ୟ ଆରମ୍ଭ ହୋଇଥିଲା। ୨୦୧୩ ଅଗଷ୍ଟ ମାସ ସୁଦ୍ଧା ଛାତ ଉପରେ ବସିଥିବା ସୌର ପ୍ରକଳ୍ପରୁ ୧୦୦ କିଲୋୱାଟ୍ ଶକ୍ତି ଉତ୍ପାଦନ ଆରମ୍ଭ ହୋଇଥିଲା। ପର୍ଯ୍ୟାୟକ୍ରମେ ଶକ୍ତି ଉତ୍ପାଦନ ପରିମାଣ ୪.୧ ମେଗାୱାଟ୍ରେ ପହଞ୍ଚିପାରିଛି। ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ପାଇଁ ନିଆଯାଇ ଥିବା ପଦକ୍ଷେପ ପାଇଁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ୨୦୨୦ ଜାନୁଆରୀ ୭ ତାରିଖରେ ଲେବୁଲ୍-୨ କାର୍ବନ ନିର୍ଗମନ ହ୍ରାସ ପ୍ରମାଣପତ୍ର ମିଳିଛି। ଏବେ ଲେବୁଲ୍-୩ ପ୍ରମାଣପତ୍ର ହାସଲ ପାଇଁ ଯୋଗ୍ୟତା ଅର୍ଜନ କରିଛି।
ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ କହିଛନ୍ତି, କାର୍ବନ ନିର୍ଗମନ ହ୍ରାସ କରିବା ସମଗ୍ର ବିଶ୍ୱ ପାଇଁ ଅପରିହାର୍ଯ୍ୟ ହୋଇଛି। ପରିବେଶ ସୁରକ୍ଷା ଏବଂ ପାରମ୍ପାରିକ ବିଦ୍ୟୁତ ଶକ୍ତିର ଉପଯୋଗ ହ୍ରାସ କରିବା ଉଦ୍ଦେଶ୍ୟରେ ଆମେ ଏହି ବିମାନବନ୍ଦରରେ ସୌର ପ୍ରକଳ୍ପ ସ୍ଥାପନ ଆରମ୍ଭ କରିଥିଲୁ। ‘ଶୂନ୍ୟ କାର୍ବନ ନିର୍ଗମନ’ ଲକ୍ଷ୍ୟ ପୂରଣ କରିବା ପରିପ୍ରେକ୍ଷୀରେ ଆଜି ଆମେ ଶତପ୍ରତିଶତ ସବୁଜ ଶକ୍ତି ବ୍ୟବହାର କରିବାରେ ସଫଳତା ପାଇଛୁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
ସୂଚନାଯୋଗ୍ୟ ଯେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଦୁଇଟି ଟର୍ମିନାଲ ଥିବା ବେଳେ ଆଉ ଏକ ଟର୍ମିନାଲର ନିର୍ମାଣ ଚାଲିଛି। ସେହିପରି ସର୍ବ ବୃହତ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ଟାୱାର କାର୍ଯ୍ୟକ୍ଷମ ହେବାକୁ ଯାଉଛି। ସେହିପରି ବିମାନବନ୍ଦରରେ ନିୟମିତ ଭାବେ କାର୍ଯ୍ୟକଳାପ ବୃଦ୍ଧି ସହିତ ବିଦ୍ୟୁତ ଶକ୍ତିର ଚାହିଦା ବୃଦ୍ଧି ପାଉଛି। ଦୈନନ୍ଦିନ କାର୍ଯ୍ୟ ପରିଚାଳନାରେ ବ୍ୟାପକ ବିଦ୍ୟୁତ ଶକ୍ତି ବ୍ୟବହାର ହେଉଛି। ଅପରପକ୍ଷେ ବିମାନବନ୍ଦରକୁ ନିରବିଚ୍ଛିନ୍ନ ଶକ୍ତି ଯୋଗାଣର ଆବଶ୍ୟକତା ରହିଛି। ଏପରିସ୍ଥଳେ ବିମାନବନ୍ଦର ଶତପ୍ରତିଶତ ଅକ୍ଷୟ ଶକ୍ତିର ଉପଯୋଗ ଆରମ୍ଭ କରିବା ପରିବେଶ ସୁରକ୍ଷା ଦିଗରେ ବଡ଼ ପଦକ୍ଷେପ ବୋଲି କୁହାଯାଉଛି।