ଭୁବନେଶ୍ୱର: କର୍କଟ ନିରାକରଣ କ୍ଷେତ୍ରରେ ଓଡ଼ିଶାକୁ ମିଳିଛି ଆଉ ଏକ ବଡ଼ ସଫଳତା। ବିଶ୍ୱରେ ପ୍ରଥମ ଥର ପାଇଁ ଓଡ଼ିଶାର ବୈଜ୍ଞାନିକ କର୍କଟ ସୃଷ୍ଟିକାରୀ ନୂଆ ପ୍ରୋଟିନ୍ ‘ଜିପିଆର-୧୪୧’ ଚିହ୍ନଟ କରିଛନ୍ତି। ଏହି ପ୍ରୋଟିନ୍ ମୁଖ୍ୟତଃ ସ୍ତନ କର୍କଟ ରୋଗରେ ଦେଖାଯାଇ ଥାଏ। ତେବେ ପୂର୍ବରୁ କେବେ ଏହି ପ୍ରୋଟିନ୍କୁ ଚିହ୍ନଟ କରାଯାଇ ନଥିଲା। ଏବେ ଜିପିଆର-୧୪୧ କର୍କଟ ଭୂତାଣୁକୁ ସୁହାଉଥିବା ସମ୍ପର୍କରେ ସ୍ପଷ୍ଟ ହୋଇ ସାରିଥିବାରୁ ଏହାର ପ୍ରତିରୋଧ ପାଇଁ ଔଷଧ ପ୍ରସ୍ତୁତି ନିମନ୍ତେ ଗବେଷଣା ଆରମ୍ଭ ହୋଇଛି। ଆଇଏଲଏସ୍ ବେିଜ୍ଞାନିକଙ୍କର ନୂଆ ଉଦ୍ଭାବନ ସମ୍ପର୍କରେ ସୋସାଇଟି ଫର୍ ବାୟୋ କେମିକାଲ ରିସର୍ଚ୍ଚ ଦ୍ୱାରା ପରିଚାଳିତ ତଥା ସମ୍ମାନଜନକ ମୋଲିକ୍ୟୁଲାର ଅଙ୍କୋଲୋଜି ଜର୍ଣ୍ଣାଲରେ ପ୍ରକାଶ ପାଇଛି।
ଜୀବ ବିଜ୍ଞାନ ପ୍ରତିଷ୍ଠାନ (ଆଇଏଲଏସ୍), ଭୁବନେଶ୍ୱରର ବରିଷ୍ଠ ବୈଜ୍ଞାନିକ ସନ୍ଦୀପ ମିଶ୍ରଙ୍କ ତତ୍ୱାବଧାନରେ ମୋନାଲିସା ପରିଜା ଏହି ସଫଳତା ପାଇଛନ୍ତି। ଡଃ ମିଶ୍ର ଏହା ପୂର୍ବରୁ ମଧ୍ୟ ସ୍ତନ କର୍କଟ ପାଇଁ ଦାୟୀ ଥିବା ଏକ ନୂଆ ଜିନ୍କୁ ଚିହ୍ନଟ କରିଥିଲେ। ସମ୍ପ୍ରତି ଏହି ଜିନ୍ର ଉପଚାର ପାଇଁ ଡଃ ମିଶ୍ରଙ୍କ ଟିମ୍ ଆଇଏଲ୍ଏସ୍ରେ ଔଷଧ ପ୍ରସ୍ତୁତି ଉପରେ କାମ କରୁଛନ୍ତି। ଏଥିପାଇଁ ସରକାରୀ ଅନୁଦାନ ମିଳି ସାରିଛି। ତେବେ ସମ୍ପ୍ରତି ନୂଆ ପ୍ରୋଟିନ୍ ଚିହ୍ନଟ ହୋଇଥିବାରୁ ତାହା ଉପରେ ଔଷଧ ପ୍ରସ୍ତୁତି ପାଇଁ କାମ ଚାଲିଛି।
ଏ ସମ୍ପର୍କରେ ଡଃ ମିଶ୍ର କହିଛନ୍ତି, ପୂର୍ବରୁ ଅଙ୍କୋ ପ୍ରୋଟିନ୍ ଅବା କର୍କଟ ସୃଷ୍ଟିକାରୀ ଜିନ୍ ଚିହ୍ନଟ ହୋଇଥିଲା। ତେବେ ବିଶ୍ୱରେ ପ୍ରଥମ ଥର ପାଇର୍ ଆମେ ଜି-ପ୍ରୋଟିନ୍-କପୁଲଡ୍ ରିସେପ୍ଟୋର (ଜିପିଆର-୧୪୧) ଚିହ୍ନଟ ହୋଇଛି। ମାଇସ୍, ଚିପ୍ କ୍ୟାମ୍ ସମେତ ବିଭିନ୍ନ ମେଡଲ୍ରେ ପରୀକ୍ଷା କରିବା ପରେ ଏହା ମାନବ ପାଇଁ ଏକ କ୍ଷତିକାରକ ଜିନ୍ ବୋଲି ପ୍ରମାଣିତ ହୋଇସାରିଛି। ପୂର୍ବରୁ ସ୍ତନ କର୍କଟ ରୋଗୀଙ୍କ ଶରୀରରେ ଏହି ପ୍ରୋଟିନ ରହିଆସିଛି। କିନ୍ତୁ ଏହା ଏକ କ୍ଷତିକାରକ ପ୍ରୋଟିନ୍ ବୋଲି ପ୍ରମାଣିତ ହୋଇ ନ ଥିବାରୁ ଏହାର ଉପଚାର ପାଇଁ ଔଷଧ ପ୍ରସ୍ତୁତ କରାଯାଇ ନଥିଲା। ଫଳରେ ରୋଗୀ ଶରୀରରେ ଏହା ସକ୍ରିୟ ରହି ତାଙ୍କୁ ଦିନକୁ ଦିନ କର୍କଟ ଗ୍ରସ୍ତ କରି ଚାଲିଥାଏ। ଦୀର୍ଘ ଦିନର ଗବେଷଣା ପରେ ଜିପିଆର-୧୪୧ର ଭୟବହତା ସଷ୍ଟ କରାଯାଇଛି। ତେଣୁ ନିର୍ଦ୍ଦିଷ୍ଟ ଭାବେ ଏହି ପ୍ରୋଟିନ୍କୁ ପ୍ରତିରୋଧ କରିପାରୁ ଥିବା ଔଷଧ ପ୍ରସ୍ତୁତି ପାଇଁ ଆମେ ଉଦ୍ୟମ ଚଳାଇଛୁ ବୋଲି ଡଃ ମିଶ୍ର କହିଛନ୍ତି। ଗବେଷଣା ଟିମ୍ର ମୁଖ୍ୟ ମୋନାଲିସା ପରିଜା କହିଛନ୍ତି, ରୋଗର ନିଦାନ ପୂର୍ବରୁ ତାହାର କାରଣ ଜାଣିବା ଜରୁରୀ। ଏହି କ୍ରମରେ ସ୍ତନ କର୍କଟ ରୋଗୀଙ୍କ ଠାରେ ଦେଖା ଯାଉଥିବା ବିଭିନ୍ନ ପ୍ରକାର କ୍ଷତିକାରକ ପ୍ରୋଟିନ୍ ସମ୍ପର୍କରେ ଜାଣିବା ପାଇଁ ଆମେ ଗବେଷଣା ଚଳାଇଥିଲୁ ଏବଂ ଶେଷରେ ଆମକୁ ବଡ଼ ସଫଳତା ମିଳିଛି। ଯଦି ଏଥିପାଇଁ ଔଷଧ ପ୍ରସ୍ତୁତ ହେଉଛି ତା ହେଲେ ସ୍ତନ କର୍କଟ ରୋଗୀଙ୍କ ଚିକିତ୍ସା ବହୁତ ସରଳ ହୋଇପାରିବ। ଲୋକଙ୍କୁ ନୂଆ ଜୀବନ ମିଳିବ ବୋଲି ସେ କହିଛନ୍ତି।