ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ଓଡ଼ିଶା ମୋ ପରିବାର-ଜୀବନ ବିନ୍ଦୁ ଆନୁକୂଲ୍ୟରେ ଆୟୋଜିତ ରକ୍ତଦାନ ଅଭିଯାନକୁ ଆଶାତୀତ ସଫଳତା ମିଳିଛି। ଗତ ମାସରେ ରେକର୍ଡ ପରିମାଣ ୧୮, ୨ ୨୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇ ଏହି ଅଭିଯାନରେ ମାଇଲଖୁଣ୍ଟ ସ୍ଥାପନ କରିଛି।
ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ପୂର୍ବରୁ ଏତେ ସଂଖ୍ୟକ ରକ୍ତ ସଂଗୃହୀତ ହୋଇ ନ ଥିଲା। ଟିମ୍ ସଦସ୍ୟଙ୍କ ଅକ୍ଲାନ୍ତ ପରିଶ୍ରମ ତଥା ସ୍ୱେଚ୍ଛାକୃତ ରକ୍ତଦାନ ପାଇଁ ଲୋକଙ୍କ ମନରେ ପ୍ରବଳ ଉତ୍ସାହ ଯୋଗୁଁ ଏହି ସଫଳତା ସମ୍ଭବ ହୋଇଛି। ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଜରିଆରେ ବର୍ଷକୁ ସାରା ରାଜ୍ୟରୁ ଏକ ଲକ୍ଷ ୟୁନିଟ୍ ରକ୍ତ ସଂଗ୍ରହ କରିବାକୁ ଓଡ଼ିଶା-ମୋ ପରିବାର ପ୍ରୟାସ କରୁଛି। ଏଥିପାଇଁ ଆୟୋଜିତ ଶିବିର ଗୁଡ଼ିକରେ ସ୍ୱେଚ୍ଛାକୃତ ରକ୍ତଦାନ ପାଇଁ ଲୋକଙ୍କ ଆଗ୍ରହ ବଢ଼ିବାରେ ଲାଗିଛି। ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜୟନ୍ତୀ ଅବସରରେ ଗୋଟିଏ ଦିନରେ ୩ ୨୧୪ ୟୁନିଟ୍ ରକ୍ତ ସଂଗୃହୀତ ହେବା ତାହାର ଜ୍ୱଳନ୍ତ ପ୍ରମାଣ।
ସେହିଭଳି ମାର୍ଚ୍ଚ ୮ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆୟୋଜିତ ରକ୍ତଦାନ ଶିବିରଗୁଡ଼ିକରୁ ମୋଟ ୧୭୧୪ ୟୁନିଟ୍ ମଧ୍ୟରୁ ୪୩୨ ୟୁନିଟ୍ ମହିଳାମାନଙ୍କ ଠାରୁ ସଂଗୃହିତ ହୋଇଥିଲା। ରକ୍ତଦାନଠାରୁ ମହତ୍ କାର୍ଯ୍ୟ ଆଉ କିଛି ନାହିଁ। ବିଶେଷକରି ଥାଲାସେମିଆ, ସିକିଲସେଲ୍ଫ ଅନେମିଆ, ହେମୋଫିଲିଆ ଆଦି ରୋଗରେ ପୀଡ଼ିତ ରୋଗୀ ନିୟମିତ ବ୍ୟବଧାନରେ ରକ୍ତ ଆବଶ୍ୟକ କରୁଥିବାରୁ ଏହାର ଆବଶ୍ୟକତା ଯଥେଷ୍ଟ ଅଧିକ। ମାର୍ଚ୍ଚ ମାସ ରକ୍ତଦାନ ରେକର୍ଡରେ ଉତ୍ସାହିତ ‘ଓଡ଼ିଶା-ମୋ ପରିବାର’ ଟିମ୍ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଜରିଆରେ ଅଭିଯାନକୁ ଆହୁରି ବ୍ୟାପକ କରିବାକୁ ଆଗ୍ରହୀ ହୋଇଛନ୍ତି। ଏହି ସଫଳତା ପାଇଁ ସମସ୍ତ ରକ୍ତଦାତା, ଜନସାଧାରଣ ପ୍ରତିନିଧ, ଜୀବନ ବିନ୍ଦୁ ଜିଲ୍ଲା ସଂଯୋଜକ, ସମସ୍ତ ଶିବିର ଆୟୋଜକ, ବ୍ଲଡ୍ ବ୍ୟାଙ୍କ ଅଫିସର, ଲ୍ୟାବ୍ ଟେକ୍ନିିସିଆନ ତଥା ସ୍ୱେଚ୍ଛାସେବୀମାନଙ୍କୁ ସେମାନଙ୍କର ଅବଦାନ ପାଇଁ ଓଡ଼ିଶା ମୋ ପରିବାର ପକ୍ଷରୁ ଧନ୍ୟବାଦ ଦିଆଯାଇଛି।