ଭୁବନେଶ୍ୱରରେ ବାୟୁ ପ୍ରଦୂଷଣ ଚିନ୍ତାଜନକ; ଏବେଠୁ ନ ଚେତିଲେ ଆଗକୁ ଆସିପାରେ ଉତ୍କଟ ସମସ୍ୟା

ଭୁବନେଶ୍ୱର: ଦିଲ୍ଲୀରେ ବାୟୁ ପ୍ରଦୂଷଣ ଏବେ ସାଂଘାତିକ ସ୍ଥିତିରେ ପହଞ୍ଚିଥିବା ବେଳେ ଆମରାଜ୍ୟର ରାଜଧାନୀ ଭୁବନେଶ୍ୱରକୁ ନେଇ ମଧ୍ୟ ଚିନ୍ତା ଘାରିଲାଣି। ଦିଲ୍ଲୀ ପରି ଭୁବନେଶ୍ୱରରେ ବାୟୁ ପ୍ରଦୂଷଣ ଏତେ ଖରାପ ସ୍ତରକୁ ଯାଇ ନ ଥିଲେ ହେଁ ଏବେଠାରୁ ସାବଧାନ ନ ହେଲେ ଆଗକୁ ଏହା ବଡ଼ ସମସ୍ୟା ଆଣିପାରେ। ବିଶେଷକରି ଆକ୍ୟୁୱେଦର ୱେବସାଇଟ୍‍ଠାରୁ ଆରମ୍ଭ କରି ସ୍ମାର୍ଟ ସିଟି ଲିମିଟେଡ ପକ୍ଷରୁ ରାଜଧାନୀରେ ବାୟୁର ମାନ(ଏୟାର କ୍ୱାଲିଟି ଇନଡେକ୍ସ)କୁ ନେଇ ଯେଉଁ ତଥ୍ୟ ପ୍ରକାଶ […]

ଭୁବନେଶ୍ୱର: ଦିଲ୍ଲୀରେ ବାୟୁ ପ୍ରଦୂଷଣ ଏବେ ସାଂଘାତିକ ସ୍ଥିତିରେ ପହଞ୍ଚିଥିବା ବେଳେ ଆମରାଜ୍ୟର ରାଜଧାନୀ ଭୁବନେଶ୍ୱରକୁ ନେଇ ମଧ୍ୟ ଚିନ୍ତା ଘାରିଲାଣି। ଦିଲ୍ଲୀ ପରି ଭୁବନେଶ୍ୱରରେ ବାୟୁ ପ୍ରଦୂଷଣ ଏତେ ଖରାପ ସ୍ତରକୁ ଯାଇ ନ ଥିଲେ ହେଁ ଏବେଠାରୁ ସାବଧାନ ନ ହେଲେ ଆଗକୁ ଏହା ବଡ଼ ସମସ୍ୟା ଆଣିପାରେ। ବିଶେଷକରି ଆକ୍ୟୁୱେଦର ୱେବସାଇଟ୍‍ଠାରୁ ଆରମ୍ଭ କରି ସ୍ମାର୍ଟ ସିଟି ଲିମିଟେଡ ପକ୍ଷରୁ ରାଜଧାନୀରେ ବାୟୁର ମାନ(ଏୟାର କ୍ୱାଲିଟି ଇନଡେକ୍ସ)କୁ ନେଇ ଯେଉଁ ତଥ୍ୟ ପ୍ରକାଶ ପାଉଛି, ତାହା ପରିବେଶ୍‍ବିତମାନଙ୍କୁ ଚିନ୍ତାଗ୍ରସ୍ତ କରିଛି। ଆକ୍ୟୁୱେଦର ୱେବସାଇଟ୍‍ ଭୁବନେଶ୍ୱର ସହରରେ ବାୟୁର ମାନ ଅସ୍ୱାସ୍ଥ୍ୟକର ବୋଲି ଜଣାପଡ଼ିଛି। ସେହିପରି ବାୟୁରେ ପିଏମ୍‍-୨.୫ ସହ ପିଏମ୍‍-୧୦ ଧୂଳିକଣିକାର ମାତ୍ରା ଆବଶ୍ୟକତାଠାରୁ ଅଧିକ ରହୁଥିବା ବେଳେ ସ୍ୱାସ୍ଥ୍ୟପକ୍ଷେ ଏହା କ୍ଷତିକାରକ ବୋଲି ଜଣାପଡ଼ିଛି।

ଆକ୍ୟୁୱେଦର ୱେବସାଇଟର ତଥ୍ୟ ଅନୁଯାୟୀ ଆଜି ଭୁବନେଶ୍ୱରରେ ଏକ୍ୟୁଆଇ ପ୍ରାୟ ୧୬୨ ରହିଛି। ସାଧାରଣତଃ ଏକ୍ୟୁଆଇର ସ୍ତର ୦ରୁ ୫୦୦ ଭିତରେ ୬ ଭାଗରେ ବିଭକ୍ତ କରାଯାଇଛି। ଏକ୍ୟୁଆଇର ପରିମାଣ ୦-୫୦ ମଧ୍ୟରେ ରହିଲେ ବାୟୁର ମାନ ସନ୍ତୋଷଜନକ ଏବଂ ଏହାଦ୍ୱାରା କିଛି କ୍ଷତି ହୋଇ ନ ଥାଏ। ଏହି ସ୍ତର ପାଇଁ ଏଥିପାଇଁ ସାଧାରଣତଃ ନୀଳ ଚିହ୍ନ ବ୍ୟବହାର କରାଯାଏ। ସେହିପରି ୫୧-୧୦୦ ଚଳନୀୟ ବା ମଡରେଟ୍‍ ଭାବେ ଦର୍ଶାଯାଇଥିବା ବେଳେ ଏଥିପାଇଁ କମଳା ରଙ୍ଗ ବ୍ୟବହାର କରାଯାଇଥାଏ। ସେହିରରି ସୂଚକାଙ୍କ ୧୦୧ରୁ ୧୫୦ ମଧ୍ୟରେ ରହିଲେ ଏହା କେତେକଙ୍କ ପାଇଁ ଅସ୍ୱାସ୍ଥ୍ୟକର ବୋଲି ବିବେଚିତ ହେଉଥିବା ବେଳେ ନାଲି ଚିହ୍ନରେ ଥିବା ୧୫୧ରୁ ୨୦୦ ସ୍ତର ଅସ୍ୱାସ୍ଥ୍ୟକର, ୨୦୧ରୁ ୩୦୦ ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ଏବଂ ୩୦୧ରୁ ଅଧିକ ମାତ୍ରାକୁ ମାରାତ୍ମକ ସ୍ତରରେ ରଖାଯାଇଥାଏ। ତେବେ ଆକ୍ୟୁୱେଦର ୱେବସାଇଟ୍‍ ଅନୁଯାୟୀ ବର୍ତ୍ତମାନ ଭୁବନେଶ୍ୱରରେ ଏକ୍ୟୁଆଇ ୧୬୨ ରହିଥିବା ବେଳେ ଏହା ଅସ୍ୱାସ୍ଥ୍ୟକର ଶ୍ରେଣୀଭୁକ୍ତ ରହିଛି। ସେହିପରି ସ୍ମାର୍ଟସିଟି ପକ୍ଷରୁ ଲଗାଯାଇଥିବା ବିଭିନ୍ନ ବୋର୍ଡରେ ଭୁବନେଶ୍ୱରରେ ଏକ୍ୟୁଆଇ ପରିମାଣ ପ୍ରାୟ ୩୦୦ରୁ ଊର୍ଦ୍ଧ୍ବ ଥିବା ଦର୍ଶାଯାଇଛି। ଯାହା ରାଜଧାନୀରେ ଗୁରତର ବାୟୁ ପ୍ରଦୂଷଣ ପ୍ରତି ସୂଚାଉଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ଭୁବନେଶ୍ୱରରେ ମଧ୍ୟ ପିଏମ୍‍-୨.୫ ଏବଂ ପିଏମ୍‍-୧୦ର ମାତ୍ରା ମଧ୍ୟ ଆବଶ୍ୟକତାଠାରୁ ଅଧିକ ରହୁଛି। ପିଏମ୍‍ର ଅର୍ଥ ପାର୍ଟିକୁଲେଟ ମେଟର ହୋଇଥିବା ବେଳେ ୨.୫ ଏବଂ ୧୦ ସୂଚକାଙ୍କ ବାୟୁମଣ୍ଡଳରେ କଣିକାର ଆକାରକୁ ଦର୍ଶାଇଥାଏ। ସାଧାରଣତଃ ପିଏମ୍‍-୨.୫ ବାୟୁମଣ୍ଡଳରେ ଅଧିକ ରହିବା ଅଧିକ କ୍ଷତିକାରକ ବୋଲି ପରିବେଶ୍‍ବିତମାନେ ଦର୍ଶାଇଥାନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମାନଦଣ୍ଡ ଅନୁଯାୟୀ ବାୟୁମଣ୍ଡଳରେ ପିଏମ୍‍-୨.୫ର ମାତ୍ରା ୧୫ ତଳେ ରହିବା ଆବଶ୍ୟକ। ୧୫ ତଳେ ରହିଲେ ଉକ୍ତ ବାୟୁକୁ ଶୁଦ୍ଧ ବାୟୁ ଭାବେ ବିବେଚନା କରାଯାଇଥାଏ। ତେବେ ଭୁବନେଶ୍ୱରରେ ଅଧିକାଂଶ ଅଞ୍ଚଳରେ ପିଏମ୍‍-୨.୫ର ମାତ୍ରା ଅଧିକ ରହୁଥିବା ହେତୁ ଏହା ବିଭିନ୍ନ ରୋଗର କାରଣ ସାଜୁଛି। ରାଜଧାନୀରେ ଦିନକୁ ଦିନ ଗାଡ଼ି, ମଟର ସଂଖ୍ୟା ବୃଦ୍ଧି ପାଇବା ସହ ଶିଳ୍ପାନୁଷ୍ଠାନ ସଂଖ୍ୟା ବଢ଼ୁଛି। ଯାହା ବାୟୁ ପ୍ରଦୂଷଣର ଏକ ପ୍ରମୁଖ କାରଣ ହୋଇଥିବା ବେଳେ ରାଜଧାନୀ ପାଇଁ ଏହା ରାଜଧାନୀକୁ ଉଦ୍‍ବେଗଜନକ ସ୍ଥିତି ଆଡ଼କୁ ନେଇଗଲାଣି। ଅତଏବ ଭୁବନେଶ୍ୱରରେ ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ସରକାର ତୁରନ୍ତ ଏବଂ ଠୋସ୍‍ ପଦକ୍ଷେପ ନେବା ଜରୁରୀ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି।

About The Author: The Sakala