ଭୁବନେଶ୍ବର : ସମ୍ପୂର୍ଣ୍ଣ ସହରର ଡ୍ରେନେଜ ବ୍ୟବସ୍ଥା ହଜାରେ କୋଟିର ଯୋଜନା କରାଯାଇଛି । ହାତରେ ଟଙ୍କା ନ ଥିବାରୁ ଡ୍ରେନ୍ ବିକାଶ ହୋଇପାରୁ ନାହିଁ ବୋଲି ବିଏମ୍ସି କହୁଛି । ଯେବେ ଟଙ୍କା ମିଳିବ ବିଏମ୍ସି କାମ ଆରମ୍ଭ କରିଦେବ ବୋଲି କହୁଥିବା ବେଳେ ବିଭାଗର ଅର୍ଥ ଖର୍ଚ୍ଚ ଅଧିକାରୀମାନେ କରିବା ଦକ୍ଷତା ପଦାରେ ପଡ଼ିଛି । କାରଣ ଅତୀତରେ ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ ଅର୍ଥରାଶି ମିଳିଛି ତାହାକୁ ବିଭାଗ ଖର୍ଚ୍ଚ କରିପାରି ନ ଥିବା ବେଳେ କେବଳ ଦୋଷ ଖସାଇବା ପାଇଁ ବିଏମ୍ସି ଟଙ୍କା ନ ଥିବା କହୁଥିବା ଅଭିଯୋଗ ହୋଇଛି। ସହରରେ ଆଭ୍ୟନ୍ତରୀଣ ଡ୍ରେନ୍ର ବିକାଶ ସହିତ ମୁକଳା ଡ୍ରେନ୍ ଉପରେ ସ୍ଲାବ୍ ପକାଇବାକୁ ଗତ ଦୁଇ ତଳୁ ରାଜ୍ୟ ସରକାର ବିଏମ୍ସିକୁ ୧୧୦ କୋଟି ପ୍ରଦାନ କରିଛନ୍ତି। କିନ୍ତୁ ମୋଟା ଅଙ୍କର ଟଙ୍କା ପଡି ରହିଥିଲେ ମଧ୍ୟ ବିଭାଗ ଏହାକୁ ଖର୍ଚ୍ଚ କରିପାରିନାହିଁ।
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ବିଏମ୍ସିକୁ ରାଜ୍ୟ ସରକାର ପ୍ରଦାନ କରିଥିବା ୧୧୦ କୋଟି ଟଙ୍କା ମଧ୍ୟରୁ ସୁଦ୍ଧା ୪୦ ପ୍ରତିଶତ ଅର୍ଥାତ ପାଖାପାଖି ୪୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ବାକି ୫୫ କୋଟିରୁ ଉର୍ଦ୍ଧ୍ବ ଟଙ୍କା ପଡ଼ି ରହିଛି । ମୌସୁମୀରେ ୱାର୍ଡଗୁଡ଼ିକରେ ଉପୁଜୁଥିବା ଜଳବନ୍ଦି ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ୨୦୧୯-୨୦ରେ ବିଏମ୍ସିକୁ ୧୧୦ କୋଟି ଟଙ୍କା ପ୍ରଦାନ କରିଥିଲେ । ଏହି ଟଙ୍କାରେ ୨୬୪ଟି ଆଭ୍ୟନ୍ତରୀଣ ଟ୍ରେନ୍ଗୁଡ଼ିକର ମରାମତି ସହିତ ଆବଶ୍ୟକସ୍ଥଳେ ନୂଆ ଡ୍ରେନ ନିର୍ମାଣ ପାଇଁ କୁହାଯାଇଥିଲା । କିନ୍ତୁ ଏ ୨୬୪ଟି ଡ୍ରେନ ମଧ୍ୟରୁ ପାଖାପାଖି ୧୭୦ଟି ଡ୍ରେନ୍ର କାର୍ଯ୍ୟ ପାଇଁ ବିଏମସି ପଦକ୍ଷେପ ନେଇଛି। ଏଥି ମଧ୍ୟରୁ କିଛି ଡ୍ରେନ୍ର କାର୍ଯ୍ୟ ସମାପ୍ତ ହୋଇଥିବା ବେଳେ କିଛି ଡ୍ରେନ୍ର କାର୍ଯ୍ୟ ପାଇଁ ଟେଣ୍ତର କରାଯାଇଛି।
ସେହିପରି ଏହି ଅର୍ଥରାଶିରୁ ମୁକୁଳା ଟ୍ରେନ୍ଗୁଡ଼ିକରେ ସ୍ମାବ ପକାଇବା ପାଇଁ ୫ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ମାତ୍ର ଏହି ୫ କୋଟିରୁ ପ୍ରତି ୱାର୍ଡ ପିଛା ୫ ଲକ୍ଷ ଲେଖାଏଁ ଖର୍ଚ୍ଚ କରିବାକୁ ଯୋଜନା କରିଥିଲା। ୬୭ ଟି ୱାର୍ଡରେ ୫ ଲକ୍ଷ ଲେଖାଏ ଅର୍ଥ ଦିଆଯାଇଥିବା ବେଳେ ଏହି ଅର୍ଥରୁ ପ୍ରାୟ ଦେଢ଼ କୋଟିରୁ ଉର୍ଦ୍ଧ୍ବ ଟଙ୍କା ପଡି ରହିଥିବା ଜଣାପଡ଼ିଛି। ଏହା ବାଦ ବର୍ଷାଜଳ ସଂରକ୍ଷଣ ପାଇଁ ୧ କୋଟି ଟଙ୍କା ପ୍ରଦାନ କରାଯାଇଛି। ଯାହାକି ଠିକ୍ ଭାବେ ବିନିଯୋଗ ହୋଇ ପାରି ନ ଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ ଟେଣ୍ଡର ଆହ୍ୱାନରେ ବିଶେଷ ବିଳମ୍ବ ପାଇଁ ନିର୍ମାଣ କାର୍ଯ୍ୟ ହୋଇପାରୁ ନାହିଁ। ଏହା ସହିତ କିଛି ସ୍ଥାନରେ ଜବରଦଖଲ ଓ ଘରୋଇ ଜମି ମଧ୍ୟ ଆହ୍ବାନ ହେଉଛି। ଏହି ସବୁ ସମସ୍ୟାକୁ ନେଇ ଡ୍ରେନ ନିର୍ମାଣ କରିବା ବିଳମ୍ବ ହେଉଛି। ସେହିପରି ବର୍ତ୍ତମାନ ପ୍ରାକୃତିକ ନାଳଗୁଡ଼ିକ ଅଧିକାଂଶ ସ୍ଥାନରେ ଘରୋଇ ଜମିରେ ଥିବା ଜଣାପଡ଼ିଛି । ଏଥିପାଇଁ ପ୍ରାୟ ୬୫ ଏକର ଜମି ଅଧିଗ୍ରହଣ କରି ପାକୃତିକ ନାଳରୁ ସୁଗମ କରିବାକୁ ଯୋଜନା କରାଯାଇଛି।
ଏହି ପ୍ରକୃତିକ ନାଳ ପାଇଁ ଜମି ଅଧିଗ୍ରହଣ ସହିତ ଅନ୍ୟାନ୍ୟ ବିକାଶ ପାଇଁ ପ୍ରାୟ ୭୫୩ କୋଟି ଟଙ୍କା ଖର୍ଚ୍ଚର ଆବଶ୍ୟକତା ହେଉଛି। କିନ୍ତୁ ବିଭାଗକୁ ଏହି ଟଙ୍କା ମିଳୁ ନ ଥିବାରୁ କାର୍ଯ୍ୟ ଆଗେଇ ପାରୁ ନ ଥିବା ବିଭାଗ କହୁଛି। ଅନ୍ୟପଟେ ଜେଏନଏନୟୁଆରଏମ୍ ପ୍ରକଳ୍ପରେ ରାଜଧାନୀର ୧୩ଟି ପ୍ରାକୃତିକ ନାଳର ବିକାଶ ପାଇଁ ଅର୍ଥ ମଞ୍ଜୁର ହୋଇଥିଲା। ୨୦୧୫ ସୁଦ୍ଧା ଏହି ପ୍ରକଳ୍ପରେ ଆସିଥିବା ଟଙ୍କାରେ ୧୨ କିମି ପର୍ଯ୍ୟନ୍ତ ପ୍ରାକୃତିକ ନାଳର ବିକାଶ ହୋଇଥିଲା। କିନ୍ତୁ ୧୫ ମସିହା ପରେ ପ୍ରକଳ୍ପ ବନ୍ଦ ହୋଇଯିବାରୁ ଅର୍ଥ ଆସିବା ବନ୍ଦ ହୋଇଯାଇଛି । ଯାହାହାର ମୁଖ୍ୟ ଡ୍ରେନ୍ ପାଇଁ ବିଏମସି ପକ୍ଷରୁ ରହିଥିବା ଜମି ଅଧିଗ୍ରହଣ ଯୋଜନା ଅଧା ବାଟରେ ଅଟକିଯାଇଛି। ଏ ସମ୍ପର୍କରେ ସଂସଦୀୟ ଷ୍ଟାଣ୍ତିଂ କମିଟି ନିକଟରେ ବିଏମସି ଅର୍ଥ ଦାବି କରିଥିଲେ ମଧ୍ୟ ଏହା ବର୍ତ୍ତମାନ ପର୍ଯ୍ୟନ୍ତ ନିଷ୍ଫଳ ହୋଇଛି।