ସ୍କୁଲ ପରିସରରେ ପଶିଲା ଭାଲୁ: ଆତଙ୍କିତ ଅବସ୍ଥାରେ ଗ୍ରାମବାସୀ ଓ ଅଭିଭାବକ

କୋରାପୁଟ: କୋରାପୁଟ ଜିଲ୍ଲା ଲାମତାପୁଟ ବ୍ଲକ ଅନ୍ତର୍ଗତ ଗୁଣେଇପଡ଼ା ଅଞ୍ଚଳରେ ଏକ ବିରାଟ ଭାଲୁ ବୁଲୁଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଏକ ସ୍କୁଲ ପରିସର ଏବଂ ନିକଟସ୍ଥ ଗାଁରେ ଭାଲୁଟି ପଶିଯିବା କାରଣରୁ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକମାନଙ୍କ ମଧ୍ୟରେ କୋକୂଆ ଭୟ ଖେଳିଯାଇଛି।

ସୂଚନା ଅନୁଯାୟୀ, ଗାଁର କିଛି ଲୋକ ସ୍କୁଲ ବାରଣ୍ଡାରେ ଭାଲୁଟିକୁ ଶୋଇଥିବାର ଦେଖିବାକୁ ପାଇଥିଲେ। ପ୍ରାୟ ଘଣ୍ଟାଏ କାଳ ଭାଲୁଟି ସ୍କୁଲର ରୋଷେଇ ଘର ଏବଂ ଖେଳ ପଡ଼ିଆରେ ବୁଲିଥିଲା। ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଭାଲୁଟିକୁ ଜଙ୍ଗଲ ଆଡ଼କୁ ଘଉଡ଼ାଇ ଦିଆଯାଇଥିଲା। ଲୋକେ ପାଟିତୁଣ୍ଡ କରିବାରୁ ଭାଲୁଟି ଜଙ୍ଗଲକୁ ପଳାଇଥିଲା, ମାତ୍ର ସନ୍ଧ୍ୟା ସମୟରେ ପୁଣି ଗାଁ ଆଡ଼କୁ ଫେରିଆସିଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି।

ସୌଭାଗ୍ୟବଶତଃ ଭାଲୁଟି କାହାର କିଛି କ୍ଷତି କରିନାହିଁ। ଏହା ଏକ ପୋଷା ଭାଲୁ ହୋଇଥାଇପାରେ ବୋଲି ମଧ୍ୟ କିଛି ଲୋକ ସନ୍ଦେହ କରୁଛନ୍ତି। ତେବେ ଏହି ଘଟଣାକୁ ନେଇ ଅଭିଭାବକମାନେ ନିଜ ପିଲାଙ୍କ ସୁରକ୍ଷାକୁ ନେଇ ଖୁବ୍ ଚିନ୍ତିତ ହୋଇପଡ଼ିଛନ୍ତି।

ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ସ୍କୁଲ ଚାରିପଟେ କୌଣସି ସୀମା ପ୍ରାଚୀର ବା ପାଚେରୀ ନଥିବାରୁ ବନ୍ୟଜନ୍ତୁମାନେ ବାରମ୍ବାର ଏବଂ ଅତି ସହଜରେ ସ୍କୁଲ ପରିସରରେ ପ୍ରବେଶ କରୁଛନ୍ତି। ଏହାଦ୍ୱାରା ସ୍କୁଲରେ ପଢୁଥିବା ଛୋଟ ଛୋଟ ପିଲାଙ୍କ ଜୀବନ ପ୍ରତି ବିପଦ ଦେଖାଦେଉଛି।

ଏହି ଘଟଣା ସମ୍ପର୍କରେ ପ୍ରତିକ୍ରିୟା ରଖି ସ୍କୁଲର ପ୍ରଧାନଶିକ୍ଷକ କହିଛନ୍ତି ଯେ, "ବର୍ତ୍ତମାନ ସମସ୍ତ ପିଲା ସୁରକ୍ଷିତ ଅଛନ୍ତି। ଆମେ ଏହି ସମସ୍ୟା ନେଇ ବନ ବିଭାଗ ଏବଂ ପ୍ରଶାସନକୁ ଲିଖିତ ଭାବେ ଅବଗତ କରାଇବୁ।"

ଅନ୍ୟପକ୍ଷରେ, ଘଟଣା ସମ୍ପର୍କରେ ଖବର ପାଇବା ପରେ ଲାମତାପୁଟ ବନାଞ୍ଚଳ ଅଧିକାରୀ (Forest Range Officer) କହିଛନ୍ତି ଯେ, ବନ ବିଭାଗର ଏକ ଟିମ୍‌କୁ ଘଟଣାସ୍ଥଳକୁ ପଠାଯାଇଛି ଏବଂ ଖୁବ୍‌ଶୀଘ୍ର ଏହି ସମସ୍ୟାର ସମାଧାନ କରାଯିବ।

About The Author: Madhusudan Das