କଟକ : ଶାଶୁଘର ଚାବି ଫେରାଇଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। କଟକ ଏସ୍ଡିଜେଏମ୍ କୋର୍ଟରେ ସେ ଆଜି ଚାବି ଦାଖଲ କରିଛନ୍ତି। ଅନ୍ୟପକ୍ଷରେ ପରିବାର ଅଦାଲତରେ ମଧ୍ୟ ଆଜି ବର୍ଷାଙ୍କ ସାକ୍ଷ୍ୟଗ୍ରହଣ ହୋଇଛି। ତେବେ ନଭେମ୍ୱର ୨ ତାରିଖ ସୁଦ୍ଧା ଅନୁଭବଙ୍କ ଘରର ଚାବି ଫେରାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ଚାବି ଅନୁଭବ କିମ୍ବା ତାଙ୍କ ଓକିଲଙ୍କୁ ପ୍ରଦାନ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଯଦି ଅନୁଭବ ଏହି ଚାବିକୁ ଗ୍ରହଣ ନ କରନ୍ତି, ତାହେଲେ ବର୍ଷା କୋର୍ଟରେ ଜମା କରିବାକୁ ଏସ୍ଡିଜେଏମ୍ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆଜି ବର୍ଷା ଚାବି କୋର୍ଟରେ ଚାବି ଫେରାଇଛନ୍ତି।
ଗତ ଅକ୍ଟୋବର ୨ ତାରିଖରେ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଶାଶୂଘର ଛାଡିଥିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ନିର୍ଦ୍ଧାରିତ ସମୟ ପୂର୍ବରୁ ଘର ଛାଡ଼ିବା ସତ୍ୱେ ତାଲା ପକାଇ ସାଙ୍ଗରେ ନେଇଯାଇଥିଲେ ଚାବି ।କୋର୍ଟଙ୍କ ପୂର୍ବ ଆଦେଶ ସତ୍ତ୍ୱେ ବର୍ଷା ତାଙ୍କ ଶାଶୁଘର ଚାବି ପ୍ରଦାନ ନ କରିବାରୁ ଅନୁଭବ କୋର୍ଟରେ ବର୍ଷାଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ଉଭୟ ପକ୍ଷଙ୍କୁ ଶୁଣିବା ପରେ ଏହି ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ। ଏହାସହ ବର୍ଷା ରୁଜୁ କରିଥିବା ଅନ୍ୟ ୨ ମାମଲାକୁ ମଧ୍ୟ କୋର୍ଟ ଖାରଜ କରି ଦେଇଥିଲେ। ଅନ୍ୟପଟେ ଅନୁଭବଙ୍କ ପିଟିସନର ଉତ୍ତରରେ ବର୍ଷା କହିଥିଲେ ଘର ଛାଡ଼ିବା ପରେ ଏହାର ସୁରକ୍ଷା ପାଇଁ ସେ ତାଲା ପକାଇ ଚାବି ନିଜ ପାଖରେ ରଖିଥିଲେ । ତେବେ କୋର୍ଟଙ୍କ ପୂର୍ବ ଆଦେଶ ପରେ ବର୍ଷା ଆଜି ଚାବି ଫେରାଇଛନ୍ତି।