ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ପ୍ରକୃତିର ନୈସର୍ଗିକ ଶୋଭାରାଜିର ଭୂଖଣ୍ଡ ଡେବ୍ରିଗଡ଼ ଅଭୟାରଣ୍ୟ

ବରଗଡ଼(ବିମଳ ଥମ୍ବ): ପ୍ରକୃତିର ନୈସର୍ଗିକ ଶୋଭାରାଜିର ଭୂଖଣ୍ଡ ହେଉଛି ବରଗଡ଼ ଜିଲ୍ଲାର ଡେବ୍ରିଗଡ଼ ଅଭୟାରଣ୍ୟ। ଏଠାରେ ବିରଳ ପ୍ରଜାତିର ଜୀବଜନ୍ତୁଙ୍କଠାରୁ ଆରମ୍ଭ କରି ବିଦେଶାଗତ ପକ୍ଷୀ ଓ ଇକେ୍‌‌ା ଟୁରିଜିମ୍‌‌ର ଆକର୍ଷଣ ଟାଣି ଆଣୁଛି ବହିରାଗତ ପର୍ଯ୍ୟଟକଙ୍କୁ। ସୌନ୍ଦର୍ଯ୍ୟର ଅପରୂପ ଗନ୍ତାଘର ଏହି ଅଭୟାରଣ୍ୟର ଜୈବ ବିବିଧତା ବେଶ୍‌‌ ଆକର୍ଷଣୀୟ ଓ ମନମୁଗ୍ଧକର। ବର୍ଷତମାମ ପର୍ଯ୍ୟଟକଙ୍କ ଆଗମନରେ ଡେବ୍ରିଗଡ଼ ଅଭୟାରଣ୍ୟ ବେଶ୍‌‌ ଚଳଚଞ୍ଚଳ ହୋଇଉଠିଛି। ଇତିହାସ କହେ ବୀର ସୁରେନ୍ଦ୍ର ସାଏ ବ୍ରିଟିଶ ସେନା ବିରୋଧରେ ଗରିଲା […]

ବରଗଡ଼(ବିମଳ ଥମ୍ବ): ପ୍ରକୃତିର ନୈସର୍ଗିକ ଶୋଭାରାଜିର ଭୂଖଣ୍ଡ ହେଉଛି ବରଗଡ଼ ଜିଲ୍ଲାର ଡେବ୍ରିଗଡ଼ ଅଭୟାରଣ୍ୟ। ଏଠାରେ ବିରଳ ପ୍ରଜାତିର ଜୀବଜନ୍ତୁଙ୍କଠାରୁ ଆରମ୍ଭ କରି ବିଦେଶାଗତ ପକ୍ଷୀ ଓ ଇକେ୍‌‌ା ଟୁରିଜିମ୍‌‌ର ଆକର୍ଷଣ ଟାଣି ଆଣୁଛି ବହିରାଗତ ପର୍ଯ୍ୟଟକଙ୍କୁ। ସୌନ୍ଦର୍ଯ୍ୟର ଅପରୂପ ଗନ୍ତାଘର ଏହି ଅଭୟାରଣ୍ୟର ଜୈବ ବିବିଧତା ବେଶ୍‌‌ ଆକର୍ଷଣୀୟ ଓ ମନମୁଗ୍ଧକର। ବର୍ଷତମାମ ପର୍ଯ୍ୟଟକଙ୍କ ଆଗମନରେ ଡେବ୍ରିଗଡ଼ ଅଭୟାରଣ୍ୟ ବେଶ୍‌‌ ଚଳଚଞ୍ଚଳ ହୋଇଉଠିଛି। ଇତିହାସ କହେ ବୀର ସୁରେନ୍ଦ୍ର ସାଏ ବ୍ରିଟିଶ ସେନା ବିରୋଧରେ ଗରିଲା ଯୁଦ୍ଧ କରିବା ବେଳେ ଏହି ଜଙ୍ଗଲରେ ହିଁ ଆତ୍ମଗୋପନ କରିଥିଲେ। ଐତିହ୍ୟ, ସଂସ୍କୃତି ଓ ପ୍ରକୃତିର ବୈଚିତ୍ର୍ୟରେ ଭରା ଡେବ୍ରିଗଡ଼କୁ ନେଇ ସ୍ୱତନ୍ତ୍ର ଉପସ୍ଥାପନା।

ପ୍ରାୟ ୩୫୩ ବର୍ଗ କିଲୋମିଟର ବେଷ୍ଟିତ ଏହି ଅଭୟାରଣ୍ୟ ଏବେ ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ପାଲଟିଛି। ଏଠାକୁ ଦେଶ ତଥା ଦେଶ ବାହାରୁ ପର୍ଯ୍ୟଟକଙ୍କ ଆଗମନ ଲାଗି ରହିଥାଏ। ୨୦୨୩ ଡିସେମ୍ବର ଶେଷ ସୁଦ୍ଧା ଏ ବାବଦରେ ୨.୩ କୋଟି ଟଙ୍କା ରାଜସ୍ୱ ସଂଗ୍ରହ କରି ଏହି ଅଭୟାରଣ୍ୟ ଏକ ରେକର୍ଡ କରିଛି। ବିଭାଗୀୟ ତଥ୍ୟ ଅନୁଯାୟୀ ବର୍ଷକ ମଧ୍ୟରେ ୫୦ ହଜାର ପର୍ଯ୍ୟଟକ ଡେବ୍ରିଗଡ଼ ପରିଭ୍ରମଣରେ ଆସିଛନ୍ତି। ଏଠାରେ ୮୦ରୁ ଅଧିକ ପରିବାର ସିଧାସଳଖ ଭାବେ ପରିବେଶ ପର୍ଯ୍ୟଟନ ବେଉସା (କ୍ରୁଜ୍‌‌, କାୟକିଙ୍ଗ୍‌‌, ଟ୍ରେକିଙ୍ଗ୍‌‌, ବାର୍ଡ଼ିଙ୍ଗ୍‌‌, ଜଙ୍ଗଲ ସଫାରୀ)ରେ କାର୍ଯ୍ୟରତ। ଏହାଛଡ଼ା ପ୍ରାୟ ୧୦ରୁ ୧୨ଟି ଗ୍ରାମର ଅଧିକାଂଶ ଲୋକେ ପରୋକ୍ଷ ଭାବରେ ଜୀବନଜୀବିକା ପାଉଛନ୍ତି।

ଆକର୍ଷଣର କେନ୍ଦ୍ରବିନ୍ଦୁ ଜଙ୍ଗଲ ସଫାରୀ
ଜଙ୍ଗଲ ସଫାରୀ ହିଁ ପର୍ଯ୍ୟଟକଙ୍କୁ ଡେବ୍ରିଗଡ଼ ଅଭୟାରଣ୍ୟ ପରିଭ୍ରମଣରେ ଆସିବାକୁ ଆକୃଷ୍ଟ କରିଥାଏ। ଜିରୋ ପଏଣ୍ଟରୁ ଜଣେ ପର୍ଯ୍ୟଟକ ବାହାରି ଅଭୟାରଣ୍ୟ ଭିତରକୁ ପ୍ରାୟ ୧୫ କିଲୋମିଟର ଯାଇ ପୁଣି ଫେରିବାକୁ ପଡ଼ିଥାଏ। ଅଢ଼େଇ ଘଣ୍ଟାର ଏହି ଯାତ୍ରାରେ ପ୍ରାକୃତିକ ପରିବେଶ ସହିତ ଜଳପ୍ରପାତ, ଗୁମ୍ଫା, ବିରଳ ଜୀବଜନ୍ତୁ, ବିଦେଶାଗତ ପକ୍ଷୀ ଦେଖିବା ସହ ଗୋବିନ୍ଦପୁର ପକ୍ଷୀ ଗ୍ରାମ, ବାରବଖରା ଆଉ ବୀର ସୁରେନ୍ଦ୍ର ସାଏଙ୍କ ସ୍ମୃତିପୀଠ ମୁଖ୍ୟ ଆକର୍ଷଣ। ଏଠାରେ ବନ୍ୟଜନ୍ତୁ, ପ୍ରାକୃତିକ ଦୃଶ୍ୟରାଜି, ସାଂସ୍କୃତିକ ବୈଭବ ଓ ଧାର୍ମିକ ପୀଠ ପରିଦର୍ଶନ ପାଇଁ ଆକର୍ଷଣୀୟ ପ୍ୟାକେଜ୍‌‌ ନିର୍ଦ୍ଧାରିତ ହୋଇଛି। ଏଠାରେ ମହାବଳଠାରୁ ଆରମ୍ଭ କରି କଲରାପତରିଆ ବାଘ, ଭାଲୁ, ଗୟଳ, ସମ୍ବର, ହରିଣ, ବାର୍‌‌ହା, ମୟୂର, କଳା ମାଙ୍କଡ଼, ଇତ୍ୟାଦି ଜଙ୍ଗଲ ଭିତରେ ଓ ସଫାରୀ ରୋଡ଼ ଉପରେ ବିଚରଣ କରୁଥିବା ଦେଖିବାକୁ ମିଳେ। ଗତ ଦୁଇବର୍ଷ ହେବ ପ୍ରାୟତଃ ୯୦ ପ୍ରତିଶତ ପର୍ଯ୍ୟଟକ କଲରାପତରିଆ ବାଘକୁ ଦେଖିବାର ସୁଯୋଗ ପାଇଛନ୍ତି। ଡେବ୍ରିଗଡ଼ ଅଭୟାରଣ୍ୟ ‘ଲ୍ୟାଣ୍ଡ ଅଫ୍‌‌ ବାଇସନ୍‌‌’ ନାମରେ ପରିଚିତ ହେଲାଣି। କାରଣ ଏଠାରେ ପର୍ଯ୍ୟଟକମାନେ ଶହଶହ ସଂଖ୍ୟାରେ ଗୟଳ ଦେଖିବାକୁ ପାଆନ୍ତି। ଡେବ୍ରିଗଡ଼ ଓଡ଼ିଶାର ଏକମାତ୍ର ପର୍ଯ୍ୟଟନସ୍ଥଳୀ, ଯେଉଁଠାରେ ସବୁ ପ୍ରକାରର ଜୀବଜନ୍ତୁ ପର୍ଯ୍ୟଟକମାନେ ଦେଖିବାର ସୁଯୋଗ ପାଉଛନ୍ତି। ଏହା ଜଙ୍ଗଲ, ହ୍ରଦ, ତୀର୍ଥସ୍ଥାନ ଇତ୍ୟାଦିର ଏକ ସମାଗମ ପାଲଟିଛି। ବିଶେଷ କରି ଗୟଳ, କଲରାପତରିଆ ଓ ଭାଲୁଙ୍କୁ ଏକାଠି ଦେଖିବାର ସୁଯୋଗ ମିଳିଥାଏ। ବର୍ତ୍ତମାନ ଏଠାରେ ମହାବଳ ବାଘର କୌଣସି ଅବସ୍ଥିତି ନାହିଁ। ଗତ ୨୦୨୨ ଡିସେମ୍ବରରେ ଏକ ମହାବଳ ବାଘ ଅଭୟାରଣ୍ୟ ଭିତରେ ଦେଖିବାକୁ ମିଳିଥିଲା। ଉକ୍ତ ବାଘ ଘଞ୍ଚ ଜଙ୍ଗଲ ଭିତରୁ ବାହାରି ଆସି ସଫାରୀ ରାସ୍ତାରେ ବିଚରଣ କରୁଥିବା ଦେଖିବାକୁ ମିଳିଥିଲା। କୁଆଡ଼େ ଏହି ବାଘ ଛତିଶଗଡ଼ର ଉଦନ୍ତି-ସୀତାନଦୀ ସଂରକ୍ଷିତ ଜଙ୍ଗଲରୁ ଆସିଥିବା ଅନୁମାନ କରାଯାଏ। ଏହା ପୂର୍ବରୁ ୨୦୧୮ରେ ଶେଷ ଥର ପାଇଁ ମହାବଳ ବାଘ ଦେଖିବାକୁ ମିଳିଥିଲା।

ମନମୋହୁଛି ଡଙ୍ଗାଯାତ୍ରା
ଡେବ୍ରିଗଡ଼ ଆସୁଥିବା ପର୍ଯ୍ୟଟକଙ୍କ ଅନ୍ୟ ମୁଖ୍ୟ ଆକର୍ଷଣ ହେଉଛି ନୌଯାତ୍ରା। ଡେବ୍ରିଗଡ଼ ଇକୋ ଟୁରିଜିମ୍‌‌ରେ ଜିରୋ ପଏଣ୍ଟ ତଥା ନେଚ୍ଚର୍‌‌ କ୍ୟାମ୍ପଠାରୁ ପକ୍ଷୀ ଗ୍ରାମ ଗୋବିନ୍ଦପୁରକୁ ଜଳଯାତ୍ରା ପାଇଁ ବ୍ୟବସ୍ଥା ରହିଛି। ହୀରାକୁଦ ହ୍ରଦରେ ଜଳଯାତ୍ରା ସମୟରେ ପାଣି ମଧ୍ୟରେ ଥିବା ମନୋରମ ପାହାଡ଼, ପାଣିରେ ମନ୍ଦିରର ପ୍ରତିବିମ୍ବ ଦେଖିବାର ସୁଯୋଗ ମିଳିବ। ଏପରିକି ବାଦୁଡ଼ି ଦ୍ୱୀପ ଦେଖିବାର ସୁଯୋଗ ମଧ୍ୟ ରହିଛି। ଏଠାରେ ପର୍ଯ୍ୟଟକମାନେ ବାଦୁଡ଼ି ଦ୍ୱୀପ ସହ ସୂର୍ଯ୍ୟାସ୍ତ ଦ୍ୱୀପ ଦେଖି ଆତ୍ମବିଭୋର ହୁଅନ୍ତି।
ଏଠାରେ ବିଦେଶାଗତ ପକ୍ଷୀଙ୍କ ସମାହାର ମଧ୍ୟ ଦେଖିବାକୁ ମିଳିଥାଏ। ଏହାଛଡ଼ା ଓଡ଼ିଶା-ଛତିଶଗଡ଼ ସୀମାରେ ହୀରାକୁଦ ହ୍ରଦର ଲ୍ୟାଣ୍ଡସ୍କେପ୍‌‌ ଅତ୍ୟନ୍ତ ଆକର୍ଷଣୀୟ। ହ୍ରଦ ମଧ୍ୟରେ ବହୁ ପୁରାତନ ମନ୍ଦିର, ପାହାଡ଼ ଓ ପ୍ରତ୍ନତତ୍ତ୍ୱର ଅନେକ ଶିଳାଲେଖ ଦେଖିବାକୁ ମିଳେ। ଏହାର ସମ୍ପୂର୍ଣ୍ଣ ପ୍ୟାକେଜ୍‌‌ ୪, ୫୦୦ ଟଙ୍କା ଥିବା ବେଳେ ଗୋଟିଏ ଡଙ୍ଗାରେ ୮ ଜଣ ଯାଇପାରିବେ। ୫ ଘଣ୍ଟାର ଏହି ଯାତ୍ରା ସମୟରେ ମଧ୍ୟାହ୍ନ ଭୋଜନ ଓ ଜଳପାନ ବ୍ୟବସ୍ଥା ମଧ୍ୟ ତା’ ଭିତରେ ରହିଛି। ପ୍ରତ୍ୟହ ୨ଟି ଡଙ୍ଗା ପର୍ଯ୍ୟଟକଙ୍କୁ ବୁଲାଇବା ବ୍ୟବସ୍ଥା କରାଯାଇଛି। ଯେ କୌଣସି ପର୍ଯ୍ୟଟକ ଅନ୍‌‌ଲାଇନ୍‌‌ ଓ ଅଫ୍‌‌ଲାଇନରେ ବୁକିଂ କରିପାରିବେ।

‘ଡେବ୍ରିଗଡ଼ ଅନ୍‌‌ ହୁଇଲ୍‌‌’
ଏଠାରେ ସଫାରୀ ପ୍ୟାକେଜ ମଧ୍ୟ ଆହୁରି ଆକର୍ଷଣୀୟ। ‘ଡେବ୍ରିଗଡ଼ ଅନ୍‌‌ ହୁଇଲ୍‌‌’ ନାମରେ ନାମିତ ଏହି ସଫାରୀ ପ୍ୟାକେଜ୍‌‌ ଜିରୋ ପଏଣ୍ଟ ଓ ନେଚର କ୍ୟାମ୍ପଠାରେ ଉପଲବ୍ଧ। ଅଭୟାରଣ୍ୟ ମଧ୍ୟରେ ବହୁପ୍ରକାର ବନ୍ୟପ୍ରାଣୀ ଓ ପକ୍ଷୀଙ୍କୁ ସାମନାରୁ ଦେଖିବାର ସୁଯୋଗ ରହିଛି। ସଫାରୀ ଯାତ୍ରା କରୁଥିବା ପର୍ଯ୍ୟଟକଙ୍କ ପାଇଁ
ବୀର ସୁରେନ୍ଦ୍ର ସାଏ ସ୍ମୃତିସ୍ଥଳ ସହିତ ବାରବଖରା ଏବଂ ଡ଼େବ୍ରିଗଡ଼ର ପାଦ ଦେଶରେ ଥିବା କେଦାରନାଥ ମନ୍ଦିର ଦର୍ଶନ କରିବା ବ୍ୟବସ୍ଥା ରହିଛି। ଏହାଛଡ଼ା ପର୍ଯ୍ୟଟକମାନେ ଐତିହାସିକ କର୍ଲା ଗ୍ରାମ, ଗୋବିନ୍ଦପୁର ପକ୍ଷୀ ଗ୍ରାମ ମଧ୍ୟ ପରିଦର୍ଶନ କରିଥାନ୍ତି। ଏହି ସଫାରୀ ପ୍ୟାକେଜରେ ୪ଟି ଖୋଲା ଜିପ୍‌‌ ସହିତ ୮ ଓ ୧୨ ସିଟ୍‌‌ ବିଶିଷ୍ଟ ଉଭୟ ବାତାନୁକୂଳିତ ଓ ଅଣ ବାତାନୁକୂଳିତ ଗାଡ଼ିର ବ୍ୟବସ୍ଥା ରହିଛି। ବୀର ସୁରେନ୍ଦ୍ର ସାଏଙ୍କ ସ୍ମୃତିସ୍ଥଳରେ ପର୍ଯ୍ୟଟକଙ୍କ ପାଇଁ ମଧ୍ୟାହ୍ନ ଭୋଜନ ଓ ଜଳପାନ ବ୍ୟବସ୍ଥା ମଧ୍ୟ ଉପଲବ୍ଧ। ଏହି ସଫାରୀ ପ୍ୟାକେଜ୍‌‌ର ମୂଲ୍ୟ ୩, ୫୦୦ ଟଙ୍କା ରହିଛି।

ନେଚର କ୍ୟାମ୍ପ୍‌‌
ଡେବ୍ରିଗଡ଼ର ନେଚର କ୍ୟାମ୍ପ ଅତି ମନୋହର। ଘଞ୍ଚ ଜଙ୍ଗଲ ମଧ୍ୟରେ ବନ୍ୟପ୍ରାଣୀଙ୍କ ମେଳରେ ରାତିର ରହଣି ମନରେ ରୋମାଞ୍ଚ ଆଣିଥାଏ। ଏଠାରେ ରହିବା ପାଇଁ ୧୪ଟି ବାତାନୁକୂଳିତ କୋଠରି ରହିଛି। କୌଣସି ପର୍ଯ୍ୟଟକ ନେଚର କ୍ୟାମ୍ପରେ ରହିବାକୁ ହେଲେ ଅନ୍‌‌ଲାଇନରେ କୋଠରି ବୁକିଂ କରିପାରିବେ। ରାତିର ରହଣି ଭିତରେ ୱାଚ୍‌‌ ଟାୱାରରୁ ଅଭୟାରଣ୍ୟର ଆକର୍ଷଣୀୟ ଦୃଶ୍ୟରାଜି ଦେଖିବା ସହ ବନ୍ୟପ୍ରାଣୀଙ୍କ ବିଚରଣ ଦେଖିବାକୁ ମିଳିଥାଏ।

ବଢ଼ିଛି ବିଦେଶୀ ପର୍ଯ୍ୟଟକଙ୍କ ଆଗମନ
ଏହି ଅଭୟାରଣ୍ୟକୁ ପୂର୍ବାପେକ୍ଷା ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ବିଶେଷ ମାତ୍ରାରେ ହେଉଛି। ପର୍ଯ୍ୟଟକଙ୍କ ମଧ୍ୟରୁ ୫୦ ପ୍ରତିଶତ ଓଡ଼ିଶାରୁ ବିଶେଷକରି ଭୁବନେଶ୍ୱର, କଟକ, ପୁରୀ, ଅନୁଗୋଳ ସମେତ ପଶ୍ଚିମ ଓଡ଼ିଶାର ସମସ୍ତ ଜିଲ୍ଲାରୁ ଆସିଥାନ୍ତି। ଏହାଛଡ଼ା ଅନ୍ୟ ରାଜ୍ୟ ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ତେଲଙ୍ଗାନା, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରୁ ବିଶେଷ ସଂଖ୍ୟାରେ ପର୍ଯ୍ୟଟକଙ୍କ ଆଗମନ ହୋଇଥାଏ। ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଦକ୍ଷିଣଆଫ୍ରିକା, ଆମେରିକା, କାନାଡ଼ା, ରୁଷ ଓ ଜର୍ମାନୀର ପର୍ଯ୍ୟଟକଙ୍କ ସଂଖ୍ୟା ଅଧିକ। ଏହାର ୩ଟି ମୁଖ୍ୟ କାରଣ ହେଉଛି ଅତି ନିକଟରୁ ବନ୍ୟପ୍ରାଣୀଙ୍କୁ ଦେଖିବା, ଡେବ୍ରିଗଡ଼ ଜଙ୍ଗଲର ଅପରୂପ ସୌନ୍ଦର୍ଯ୍ୟ ସହିତ ହୀରାକୁଦର ବିସ୍ତୀର୍ଣ୍ଣ ନୀଳ ଜଳରାଶି ମଧ୍ୟରେ ନିଜକୁ କିଛି ସମୟ ପାଇଁ ହଜାଇଦେବା।

ଅଭୟାରଣ୍ୟର ବୈଭବ
ଏହି ଅଭୟାରଣ୍ୟରେ ବହୁ ପ୍ରକାରର ବନ୍ୟପ୍ରାଣୀ ଓ ପକ୍ଷୀ ରହିଛନ୍ତି। ପ୍ରତି ୧ ବର୍ଗ କିଲୋମିଟରରେ ୫୫ରୁ ଅଧିକ ଗୟଳ ଅଛନ୍ତି। ଏହାହେଉଛି ୮୦ରୁ ଅଧିକ କଲରାପତରିଆ ବାଘ, ଭାଲୁ, ହରିଣ, ସମ୍ବର, ନୀଳଗାଈ, ଚଉସିଙ୍ଗା, ଚିତ୍ରା ହରିଣ, ବଣୁଆ କୁକୁରଙ୍କ ସହ ଆହୁରି ଅନେକ ପ୍ରକାରର ବନ୍ୟପ୍ରାଣୀଙ୍କ ବାସସ୍ଥାନ। ଏହାଛଡ଼ା ଏଠାରେ ୪୦ ପ୍ରକାର ସ୍ତନ୍ୟପାୟୀ ପ୍ରାଣୀ ରହିଛନ୍ତି। ୨୩୪ ପ୍ରକାରର ପକ୍ଷୀ, ୮୫ ପ୍ରକାରର ପ୍ରଜାପତି, ଅଭୟାରଣ୍ୟରକୁ ଲାଗି ଥିବା ଦ୍ୱୀପାଞ୍ଚଳରେ ୬୫ ପ୍ରକାର ମାଛ ରହିଛନ୍ତି। ଏହାକୁ ଛାଡ଼ିଦେଲେ ଜଙ୍ଗଲରେ ବିଜା, ଶାଳ, ଶିଶୁ, ବନ୍ଧନ, ମହୁଲ, ଧରୁଆ, କରଡ଼ା ପ୍ରଭୃତି ବହୁ ମୂଲ୍ୟବାନ ଗଛ ରହିଛି। ଔଷଧୀୟ ବୃକ୍ଷ ମଧ୍ୟ ଏହି ଅଭୟାରଣ୍ୟର ଅନ୍ୟତମ ସମ୍ପଦ। ହରିଡ଼ା, ବାହାଡ଼ା, ଅଁଳାଠାରୁ ଆରମ୍ଭ କରି ବିଭିନ୍ନ ଔଷଧୀୟ ବୃକ୍ଷ ଓ ଗୁଳ୍ମଲତା ଏଠାରେ ଭରି ରହିଛି।

ଅଭୟାରଣ୍ୟରୁ ଆତ୍ମନିଯୁକ୍ତି
ଅଭୟାରଣ୍ୟର ବନବାସୀମାନେ ସରକାରଙ୍କ ବିଭିନ୍ନ ଯୋଜନାରେ ନିଜକୁ ସାମିଲ କରି ସ୍ୱାବଲମ୍ବୀ ହୋଇପାରିଛନ୍ତି। ବର୍ତ୍ତମାନର ଡିଏଫଓ ଅଂଶୁପ୍ରଜ୍ଞା ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ପ୍ରେରଣା ଯୋଗୁ ଅଭୟାରଣ୍ୟ ନିକଟବର୍ତ୍ତୀ ୧୨ରୁ ୧୫ଟି ଗ୍ରାମର ଲୋକ ରୋଜଗାରକ୍ଷମ ହୋଇପାରିଛନ୍ତି। ୭୫ରୁ ଅଧିକ ପରିବାର ଏହି ଅଭୟାରଣ୍ୟ ଦ୍ୱାରା ଉପକୃତ ହୋଇପାରିଛନ୍ତି। ବିଶେଷକରି ଇକୋ ଟୁରିଜିମ୍‌‌ କ୍ଷେତ୍ରରେ ସେମାନେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ବର୍ଷତମାମ ପ୍ରତିଟି ପରିବାର ମାସକୁ ୧୩ରୁ ୧୫ ହଜାର ଟଙ୍କା ରୋଜଗାର କରିବାକୁ ସକ୍ଷମ ହୋଇଛନ୍ତି। ଆହାର ଯୋଗାଉଥିବା ଡେବ୍ରିଗଡ଼ ଅଭୟାରଣ୍ୟରେ ଗ୍ରାମର କିଛି ଯୁବକ ସଫାରୀ ଗାଡ଼ିର ଡ଼୍ରାଇଭର ଭାବେ କାମ କରୁଛନ୍ତି। ଆଉ କିଛି ଡ଼ଙ୍ଗାଚାଳକ୍‌‌ ଭାବେ କାର୍ଯ୍ୟରତ। ଏହାଛଡ଼ା ୧୦୦ ଯୁବକ ଗାଇଡ଼୍‌‌ ଭାବେ କାର୍ଯ୍ୟ କରୁଥିବା ବେଳେ କେତେକ ଦୋକାନ ଓ ରେଷ୍ଟୁରାଣ୍ଟ ଖୋଲି ନିଜ ଗୁଜରାଣ ମେଣ୍ଟାଉଛନ୍ତି।

ପ୍ରତି ଏକାଦଶୀରେ ମହାନଦୀ ଆଳତି
ପ୍ରତି ଏକାଦଶୀରେ (ମାସରେ ଦୁଇ ଥର) ଗୋବିନ୍ଦପୁର ଗ୍ରାମବାସୀ ମହାନଦୀ ଆଳତି କରିଥାନ୍ତି। ପ୍ରକୃତିର ସଂରକ୍ଷଣ, ଲୋକଙ୍କ ସୁଖ ସମୃଦ୍ଧି ଓ ଅଖଣ୍ଡ ପ୍ରାକୃତିକ ସୌନ୍ଦର୍ଯ୍ୟ ସୁରକ୍ଷା କାମନା କରିଥାନ୍ତି ଗ୍ରାମବାସୀ। ଏଠାରେ ୨୦୨୪ ଜାନୁଆରୀ ୭ ତାରିଖରେ ପ୍ରଥମଥର ପାଇଁ ମହାନଦୀ ଆଳତି ଆରମ୍ଭ ହୋଇଛି। ଗୋବିନ୍ଦପୁର ସମେତ ଆଖପାଖ ଗ୍ରାମର ୫ ହଜାରରୁ ଊର୍ଦ୍ଧ୍ବ ଅଧିବାସୀ ଏକାଠି ମହାନଦୀ ଆଳତି କରିଥାନ୍ତି।

ରାହା ଦେଖାଇଛି ‘ପୁନର୍ବାସ’
ଜଙ୍ଗଲ ମଧ୍ୟରେ ରହୁଥିବା ଗ୍ରାମବାସୀଙ୍କୁ ଅଭୟାରଣ୍ୟରୁ ସ୍ଥାନାନ୍ତର କରିବା ପାଇଁ ସରକାରୀସ୍ତରରେ ୨୦୨୧ ଅଗଷ୍ଟ ମାସରେ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ହେଲେ ବାପଅଜା ଅମଳରୁ ରହୁଥିବା ଲୋକମାନେ ନିଜ ଭିଟାମାଟି ଛାଡ଼ିବାକୁ ପ୍ରସ୍ତୁତ ନ ଥିଲେ। ଅଭୟାରଣ୍ୟ ଓ ସଂରକ୍ଷିତ ଜଙ୍ଗଲ ଯୋଗୁଁ ସେମାନଙ୍କ ସୁରକ୍ଷା ଓ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ରାଜ୍ୟ ସରକାର ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିଥିଲେ। ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରିଣୀ ଅଂଶୁପ୍ରଜ୍ଞା ଦାସ ଗାଁକୁ ଗାଁ ଯାଇ ଲୋକଙ୍କୁ ବୁଝାଇବା ସହ ସେମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥିଲେ। ଏପରିକି ଲୋକଙ୍କୁ ସଚେତନ କରାଇବା ପାଇଁ ୨୮୦ ଥର ବୈଠକ ହୋଇଛି। ସେମାନଙ୍କ ପାଇଁ ଅସ୍ଥାୟୀ ବାସଗୃହ ନିର୍ମାଣ କରାଯାଇ ଥଇଥାନ କରାଯାଇଛି। ପାରିପାର୍ଶ୍ବିକ ଉନ୍ନୟନ ସହ ଚିକିତ୍ସା ସୁବିଧା, ସୌର ଆଲୋକ ବ୍ୟବସ୍ଥା, ଗୋଷ୍ଠୀ ଗୃହ ନିର୍ମାଣ ଓ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ସ୍ଥାପନ କରାଯାଇଛି। ବିସ୍ଥାପିତ ପ୍ରତିଟି ପରିବାରକୁ ସରକାର ୧୫ ଲକ୍ଷ ଟଙ୍କା କ୍ଷତିପୂରଣ ମଧ୍ୟ ଦେଇଛନ୍ତି। ସେମାନଙ୍କ ସ୍ଥାୟୀ ବସତି ସ୍ଥାପନ ନିମନ୍ତେ ଚକ୍ରମାଳ ଗ୍ରାମରେ ୬୩ ଏକର ଜମି ଓ ଟାଙ୍ଗରପାଲୀରେ ୭ ଏକର ଜମି ଚିହ୍ନଟ ହୋଇଛି। ସେଠାରେ ସ୍ଥାୟୀ କଲୋନୀ ନିର୍ମାଣ ସହ ବିଦ୍ୟୁତ୍‌‌, ରାସ୍ତା, ଡ୍ରେନର ସୁବିଧା ଉପରେ ପ୍ରାଥମିକତା ଦିଆଯିବ।

ଗୋବିନ୍ଦପୁର ପକ୍ଷୀ ଗ୍ରାମ
ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଅଭୟାରଣ୍ୟ ପାଦଦେଶ ମହାନଦୀ କୂଳରେ ଗୋବିନ୍ଦପୁର ଗ୍ରାମ ଅବସ୍ଥିତ। ଏହା ପକ୍ଷୀ ଗ୍ରାମ ଭାବେ ପରିଚିତ। ଏହି ଗାଁର ଲୋକମାନେ ବନ୍ୟଜନ୍ତୁଙ୍କ ସଂରକ୍ଷଣ ପାଇଁ ଉଦ୍ୟମ କରି ଆସୁଛନ୍ତି। ପ୍ରତିଟି ଘରର କାନ୍ଥ ବାଡ଼ରେ ଦେଖିବାକୁ ମିଳିଥାଏ ବିଭିନ୍ନ ରଙ୍ଗବେରଙ୍ଗର ପକ୍ଷୀଙ୍କ ଚିତ୍ର। ଶୀତଦିନେ ଏ ଅଞ୍ଚଳକୁ ବହୁ ସଂଖ୍ୟାରେ ବିଦେଶାଗତ ପକ୍ଷୀ ଆସିଥାନ୍ତି। ସେଠାରେ ଯେପରି କେହି ପକ୍ଷୀ ଶିକାର ନ କରନ୍ତି, ସେଥିପ୍ରତି ଗ୍ରାମବାସୀ ବିଶେଷ ଧ୍ୟାନ ଦେଇଥାନ୍ତି। ସ୍ଥାନୀୟ ଅଧିବାସୀମାନେ ନିଜ ଅଞ୍ଚଳକୁ ପ୍ଲାଷ୍ଟିକ ମୁକ୍ତ ରଖିବା ସହ, ବନ୍ୟପ୍ରାଣୀ, ପକ୍ଷୀ ଓ ପରିବେଶର ସୁରକ୍ଷା ପ୍ରତି ବିଶେଷ ଗୁରୁତ୍ୱ ଦେଉଛନ୍ତି।

ଆଇସ୍‌‌ଲାଣ୍ଡ କାଫେ
ଆଇସ୍‌‌ଲାଣ୍ଡ କାଫେ ଯୋଗୁଁ ଡେବ୍ରିଗଡ଼ ଅଭୟାରଣ୍ୟ ଏବେ ଚର୍ଚ୍ଚାରେ ରହିଛି। ଗତମାର୍ଚ୍ଚ ୮ ତାରିଖରେ ଖୋଲିଥିବା ଏହି କାଫେ ବିଦେଶାଗତ ପର୍ଯ୍ୟଟକ ଓ ପ୍ରକୃତି ପ୍ରେମୀଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏହି କାଫେରେ ଏକକାଳୀନ ୬୦ରୁ ୮୦ ଜଣ ଏକାଠି ବସି ପାରିବେ। ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି କାଫେ ଖୋଲା ରହୁଛି। ହୀରାକୁଦ ହ୍ରଦ ମଧ୍ୟରେ ଥିବା ଏହି ଦ୍ୱୀପ ୭ ବର୍ଗ କିଲୋମିଟର ପରିମିତ। ଏହି ଦ୍ୱୀପ ବାଦୁଡ଼ି ଦ୍ୱୀପ ନାମରେ ପରିଚିତ। ଏଠାରେ ୧୨୦୦ରୁ ଅଧିକ ବାଦୁଡ଼ିଙ୍କ ବାସସ୍ଥଳୀ।

ବର୍ଷକରେ ୨.୫ କୋଟି ରାଜସ୍ୱ
ଗତ ୨ ବର୍ଷ ମଧ୍ୟରେ ଓଡ଼ିଶାର ଡେବ୍ରିଗଡ଼କୁ ସର୍ବାଧିକ ପର୍ଯ୍ୟଟକ ଆସିଛନ୍ତି। ଏପରିକି ପର୍ଯ୍ୟଟନ କ୍ଷେତ୍ରରେ ଗତବର୍ଷ ସର୍ବାଧିକ ୨.୫ କୋଟି ଟଙ୍କା ରାଜସ୍ୱ ଆୟ ହୋଇଛି। ଚଳିତ ବର୍ଷ ଏହା ୩ କୋଟିରୁ ଊର୍ଦ୍ଧ୍ବ ହେବାର ସମ୍ଭାବନା ରହିଛି। ପର୍ଯ୍ୟଟନରୁ ମିଳୁଥିବା ରାଜସ୍ୱ ଇକୋ ଟ୍ୟୁରିଜିମ୍‌‌ ପରିଚାଳନା ଓ ଅଭୟାରଣ୍ୟରୁ ବିସ୍ଥାପିତ ହୋଇଥିବା ଗ୍ରାମବାସୀଙ୍କୁ ଆତ୍ମନିଯୁକ୍ତି ଓ ସ୍ୱାବଲମ୍ବୀ କରିବା ଦିଗରେ ଖର୍ଚ୍ଚ କରାଯାଉଛି। ସୁଶ୍ରୀ ଦାସ ସୂଚନା ଦେଇ ଆହୁରି କହିଛନ୍ତି ଯେ ଗ୍ରାମର ମହିଳାମାନେ ଯେଉଁମାନେ ଦିନେ ଜଙ୍ଗଲରୁ ଜାଳକାଠ, ବାଉଁଶ ଓ ଅନ୍ୟାନ୍ୟ ବନଜାତ ସାମଗ୍ରୀ ସଂଗ୍ରହ କରି ଜୀବନ ଜୀବିକା ବିତାଉଥିଲେ ସେମାନଙ୍କୁ ଆତ୍ମନିର୍ଭରଶୀଳ କରାଇବାର ପ୍ରୟାସ ଜାରି ରହିଛି। ମହିଳାମାନଙ୍କୁ ନେଇ ୧୧ଟି ଏସ୍‌‌ଏଚ୍‌‌ଜି (ସ୍ୱୟଂ ସହାୟିକା ଗୋଷ୍ଠୀ) ଗଠନ କରାଯାଇ ସେମାନଙ୍କୁ ଇକୋ ଟୁରିଜିମ୍‌‌ କାର୍ଯ୍ୟରେ ନିୟୋଜିତ କରାଯାଇଛି। ୮ଟି ଗ୍ରାମର ୭୦ ଜଣ ସଦସ୍ୟ (ପୁରୁଷ, ମହିଳା)ଙ୍କୁ ଆତ୍ମନିର୍ଭରଶୀଳ ହେବା କ୍ଷେତ୍ରରେ ସହାୟତା ଯୋଗାଇ ଦିଆଯାଇଛି।
-ଅଂଶୁପ୍ରଜ୍ଞା ଦାସ,
ଡିଏଫ୍‌‌ଓ, ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡ

About The Author: The Sakala