ବରଗଡ଼: ରାଜ୍ୟ ସରକାର ଦୀର୍ଘ ଦିନରୁ ସବୁଜ ସଂକେତ ଦେବା ପରେ ଏବେ ବରଗଡ଼ ଭାୟା ପଦ୍ମପୁର ଦେଇ ନୂଆପଡ଼ାକୁ ରେଳ ଚଳାଚଳ ଆଉ ପାଦେ ଆଗେଇ ଯାଇଛି। ପଦ୍ମପୁର ଅଞ୍ଚଳବାସୀଙ୍କ ବହୁଦିନର ସ୍ବପ୍ନ ସାକାର ହେବାକୁ ଯାଉଛି। ପୂର୍ବରୁ ୫-ଟି ସଚିବ ଭି.କେ ପାଣ୍ଡିଆନ୍ଙ୍କୁ ବରଗଡ଼ ରେଳ ଉପଭୋକ୍ତା ସଂଘ ବିଭିନ୍ନ ଦାବି ଜଣାଇଥିଲା; ଯାହା କି ପୂରଣ ହେବାକୁ ଯାଉଛି। ଅନ୍ୟପକ୍ଷରେ, ରେଳ ତଥା ଯାତ୍ରୀସେବା କ୍ଷେତ୍ରରେ ଅବହେଳିତ ବରଗଡ଼ ଜିଲ୍ଲାକୁ ଏବେ କେନ୍ଦ୍ର ସରକାର ଦୃଷ୍ଟି ଦେଇଥିବାରୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି। ରେଳମନ୍ତ୍ରୀ ଭାବେ ଅଶ୍ବିନୀ ବୈଷ୍ଣବ ଚାରିଦଶକର ପୁରୁଣା ଦାବି ଉପରେ ସହମତି ପ୍ରକାଶ କରି ସାରିଛନ୍ତି। ଏବେ ଛତିଶଗଡ଼ର ତଲାଇପାଲିରୁ ବରଗଡ଼ ଭାୟା ରାୟଗଡ଼ ଓ ଭଟଲି ନୂତନ ରେଳଲାଇନର ଟେଣ୍ଡର କାର୍ଯ୍ୟ ଆରମ୍ଭ ହୋଇଯାଇଛି।
ଏବେ ପୁଣି ତୃତୀୟ ଲାଇନ୍ ସମ୍ବଲପୁରରୁ ରାୟପୁର ଭାୟା ବରଗଡ଼, ସୋହେଲା, ସରାଇପାଲି ପାଇଁ ଚୂଡ଼ାନ୍ତ ସର୍ବେକ୍ଷଣ ମଧ୍ୟ ଚାଲିଛି। ଏହି ପ୍ରସ୍ତାବିତ ରେଳଲାଇନ କଟାପାଲି ନିକଟରେ ଯାଇ ଭଟଲିରୋଡରେ ବିଜ୍ଞାନକେନ୍ଦ୍ର ଓ ଚଣ୍ଡୀମନ୍ଦିର ମଧ୍ୟରେ ଯିବ। ଏହି ରେଳପଥ ପାଇଁ ବରଗଡ଼, ସୋହେଲା, ସରାଇପାଲି, ବସନା ଏବଂ ଛତିଶଗଡର ଆହୁରି ଅନେକ ସହର ଦେଇ ଯିବ। ଏହି ଲାଇନ୍ ପାଇ ମଧ୍ୟ ବରଗଡ଼ ରେଳ ଉପଭୋକ୍ତା ସଂଘ ତଥା ବାସନା ରେଳ ଉପଭୋକ୍ତା ସଂଘ ଅନେକଥର ଏକାଠି ହୋଇ ଚେଷ୍ଟା ଚଳାଇଥିଲେ। ଏପରିକି ବରଗଡ଼, ସୋହେଲା ଓ ସରାଇପାଲିର ଏକ ପ୍ରତିନିଧିଦଳ ମହାସମୁନ୍ଦ ସାଂସଦ ଚୁନିଲାଲ ସାହୁଙ୍କ ସହ ଦିଲ୍ଲୀରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଭେଟି ଏହି ରେଳଲାଇନ ନିର୍ମାଣ ପାଇଁ ଅନୁରୋଧ କରିଥିଲେ। ଏହି ତିନୋଟି ରେଳଲାଇନ୍ ହେଲା ପରେ ରେଳ ମାନଚିତ୍ରରେ ବରଗଡ଼ ଏକ ବିରାଟ ଜଙ୍କସନ୍ ଷ୍ଟେସନ ରୂପେ ସ୍ଥାନ ପାଇବ। ବରଗଡ଼ ଜିଲ୍ଲାବାସୀଙ୍କ ସବୁଠୁ ବଡ଼ ଦାବି ରହିଛି ଯେ ସକାଳୁ ବରଗଡ଼ରୁ କଟକ ଦେଇ ଭୁବନେଶ୍ୱରକୁ ଗୋଟେ ଟ୍ରେନ୍ ଚଳାଚଳ କରୁ। ପୂର୍ବତନ ବିଜେଡି ସାଂସଦ ପ୍ରଭାସ ସିଂହ କେନ୍ଦ୍ର ସରକାରଙ୍କୁ ଦାବି କରିଥିଲେ; ହେଲେ ଏ ପର୍ଯ୍ୟନ୍ତ ପୂରଣ ହୋଇନି। ବରଗଡ଼ ରେଳ ଉପଭୋକ୍ତା ସଂଘ ପକ୍ଷରୁ ପ୍ରଦୀପ ଦେବତା, କୃଷ୍ଣଚନ୍ଦ୍ର ପଣ୍ଡା, ତୁଳସୀ ଚରଣ ଦାସ, ପ୍ରୀତମ ସିଂ, ସଞ୍ଜୟ ମେହେର, ବିଶିଷ୍ଟ ଆଇନଜୀବୀ ଲିପସିତ୍ ମିଶ୍ର, କମଳ ଯୋଷୀ, ଅଭିଜିତ ପ୍ରତିହାରୀ, ଗୋବିନ୍ଦ ଦାଶ ପ୍ରମୁଖ ରାଜ୍ୟ ସରକାର ତଥା ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କୁ ଧନ୍ୟବାଦ ଦେଇଛନ୍ତି।