ନୀଳଗିରି: ଛେଳିର ପ୍ରକୃତ ମାଲିକ କିଏ । ଏ ନେଇ ନୀଳଗିରି ଥାନାରେ ତୁମ୍ବିତୋଫାନ । ମାଲିକାନା ନେଇ ଥାନାରେ ଛେଳିର ହେଲା ଟିଆଇ ପରେଡ୍ । ପ୍ରକୃତ ମାଲିକକୁ ଚିହ୍ନିବାକୁ ଛେଳିଟିର ଟିଆଇ ପରେଡ୍ କରାଯିବା ଓ ସାକ୍ଷୀ ପାଇଁ ଆଉ ଏକ ଛେଳିକୁ ଅଣାଯିବା ଚର୍ଚ୍ଚାର ବିଷୟ ହୋଇଛି । ନୀଳଗିରି ଥାନାରେ ଏକ ଛେଳି ଚୋରି ଘଟଣାକୁ ନେଇ ଉଭୟ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା। ଏହାକୁ ନେଇ ଉଭୟପକ୍ଷ ସନ୍ଧ୍ୟାରେ ଥାନାରେ ଉପସ୍ଥିତ ରହିଥିବାବେଳେ ପ୍ରଥମ ପକ୍ଷ ଛେଳି ତାଙ୍କର ବୋଲି ଦାବି କରୁଥିବା ବେଳେ ଦ୍ୱିତୀୟ ପକ୍ଷ ସୋମନାଥପୁର ଗ୍ରାମରୁ କିଣି ଆଣିଥିବାର ଦାବି କରିଛନ୍ତି। ତଦନ୍ତକାରି ଅଧିକାରୀ ଶ୍ରୀନିବାସ ରାଉତ ଶେଷରେ ଦୁଇ ପକ୍ଷଙ୍କୁ ଛେଳି ନିକଟରେ ଛିଡା କରି ଛେଳି ଯେଉଁ ପକ୍ଷ ନିକଟକୁ ଯିବ, ଛେଳି ତା’ର ହେବ ବୋଲି କହିଥିଲେ। ମାତ୍ର ଛେଳିଟି କାହାରି ନିକଟକୁ ନ ଯିବାରୁ ଥାନାରେ ରଖାଯାଇଛି।
ସୂଚନା ଅନୁସାରେ, ନୀଳଗିରି ସାନଅତା ଗ୍ରାମର ମୋନାଲିସା ଦାସଙ୍କ ଏକ ମାଈ ଛେଳି ଦେଢ଼ ମାସ ପୂର୍ବରୁ ହଜି ଯାଇଥିଲା। ବହୁ ଖୋଜା ଖୋଜି ପରେ ବି ପାଇ ନ ଥିଲେ। ଗତ ଶୁକ୍ରବାର ଦିନ ତାଙ୍କ ଛେଳି ନୀଳଗିରି ଗୁଡ଼ିଖାଣିଆ ଗ୍ରାମର ଲକ୍ଷ୍ମଣ ବିନ୍ଧାଣିଙ୍କ ଘରେ ଥିବାର ଶୁଣି ଯାଇଥିଲେ। ଛେଳିକୁ ମଧ୍ୟ ଆଣି ଥାନାରେ ହାଜର କରାଇଥିଲେ। ଏପଟେ ଉକ୍ତ ଛେଳିକୁ ସୋମନାଥପୁର ଗ୍ରାମରୁ ଦୁଇ ହଜାର ଟଙ୍କା ଦେଇ କିଣି ଆଣିଥିବାର ପ୍ରକାଶ କରିଛନ୍ତି ଲକ୍ଷ୍ମଣ। ଶେଷରେ ଏ ଛେଳି କାହାର କହି ପୁଲିସ ଦୁଇ ପକ୍ଷଙ୍କୁ ଛିଡା କରାଇ ଥିବା ବେଳେ ଛେଳିଟି କାହା ନିକଟକୁ ବି ଯାଇ ନଥିଲା । ଉଭୟ ମାଲିକ ନିଜ ନିଜର ଛେଳି ଦାବି କରୁଥିବା ବେଳେ କୌଣସି ପ୍ରମାଣ ମିଳିପାରି ନାହିଁ । ନୀଳଗିରି ପୋଲିସ ଏ ଛେଳି କାହାର ତଦନ୍ତ କରୁଛି । ତେବେ ଏହି ମାମଲାର କୌଣସି ସମାଧାନ ହୋଇପାରିନଥିବା ବେଳେ ଛେଳିଟି ବର୍ତ୍ତମାନ ନୀଳଗିରି ଥାନାରେ ରହିଛି । ଯେପର୍ଯ୍ୟନ୍ତ ଏହାର କୌଣସି ସମାଧାନ ନହୋଇଛି ସେ ପର୍ଯ୍ୟନ୍ତ ଥାନରେ ରହିବ ଛେଳି ।