ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାରେ ଚାଲିଥିବା ଡାକ୍ତରଙ୍କ ଧର୍ମଘଟକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସ୍ଥାନୀୟ ପ୍ରଶାସନ। ଓଡ଼ିଶା ମେଡିକାଲ୍ ସର୍ଭିସେସ୍ ଆସୋସିଏସନ୍ (OMSA) ଡାକରାରେ ଆନ୍ଦୋଳନ କରୁଥିବା ସମସ୍ତ ଡାକ୍ତରଙ୍କୁ ଆସନ୍ତା ୧୨ ଘଣ୍ଟା ମଧ୍ୟରେ କାର୍ଯ୍ୟରେ ଯୋଗଦେବାକୁ ବାଲେଶ୍ୱର ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ (CDMO) କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଧର୍ମଘଟ ପ୍ରତ୍ୟାହାର କରି ତୁରନ୍ତ ଡ୍ୟୁଟିରେ ଯୋଗ ନ ଦେଲେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ କରିଦିଆଯାଇଛି।
ଜୁଲାଇ ୩, ୨୦୨୬ ତାରିଖରେ ଜାରି କରାଯାଇଥିବା ଏକ ସରକାରୀ ପତ୍ରରେ ସିଡିଏମ୍ଓ ଚେତାବନୀ ଦେଇଛନ୍ତି ଯେ, ଯେଉଁ ଡାକ୍ତରମାନେ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଡ୍ୟୁଟିରେ ଯୋଗ ନ ଦେବେ, ସେମାନଙ୍କ ବିରୋଧରେ ଦୃଢ଼ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ସଚିବଙ୍କ ନିର୍ଦ୍ଦେଶକ୍ରମେ ଅନୁପସ୍ଥିତ ଡାକ୍ତରଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା ସୂଚନା ମିଳିଛି।
ଏହି ନିର୍ଦ୍ଦେଶନାମା ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡିଏମ୍ଓ ତଥା ଅଧୀକ୍ଷକ, ନୀଳଗିରି ଉପଖଣ୍ଡ ଚିକିତ୍ସାଳୟ (SDH) ଏବଂ ଜିଲ୍ଲାର ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର (CHC) ଗୁଡ଼ିକୁ ପଠାଯାଇଛି। ସରକାରଙ୍କ ପକ୍ଷରୁ କୌଣସି ପ୍ରକାର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନକୁ ଏଡ଼ାଇବା ପାଇଁ ଯଥାଶୀଘ୍ର ଡ୍ୟୁଟିରେ ଯୋଗଦେବାକୁ ଏହି ପତ୍ର ମାଧ୍ୟମରେ ଡାକ୍ତରମାନଙ୍କୁ ନିବେଦନ କରାଯାଇଛି। ଧର୍ମଘଟରେ ସାମିଲ ଥିବା ସମସ୍ତ ଓଏମଏଚଏସ୍ (OMHS) କ୍ୟାଡର ଏବଂ ଅନ୍ୟାନ୍ୟ ଡାକ୍ତରମାନେ ତୁରନ୍ତ ନିଜ ନିଜ କାର୍ଯ୍ୟକ୍ଷେତ୍ରରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।