ବାଲେଶ୍ୱର: ଚାରି ଦିବ୍ୟାଙ୍ଗ ଝିଅଙ୍କ କାନ୍ଧରେ ଉଠିଲା ମା’ର କୋକେଇ। ଜନ୍ମଦାତ୍ରୀ ମା’ ଆରପାରିକୁ ଚାଲିଯିବା ପରେ ଛାତିକୁ ପଥର କରି ଅସହାୟ ଏହି ଝିଅମାନେ ମା’କୁ ଶ୍ମଶାନ ନେଇଥିଲେ। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଳ୍ଲା ରେମୁଣା ବ୍ଳକର ତୁମୁଦା ଗାଁରେ। ମୃତ ମହିଳା ଜଣକ ହେଲେ ହାରାମଣି ଜେନା। ଦିବ୍ୟାଙ୍ଗ ଚାରିଝିଅ ଦମୟନ୍ତୀ, ସୁକାନ୍ତି, ଜୟନ୍ତୀ, ବାସନ୍ତୀ କାହାରି ପାଟି ସିନା ଖୋଲୁନି ହେଲେ ବାହୁନି ବାହୁନି କାନ୍ଦିକାନ୍ଦି କୋକେଇକୁ କାନ୍ଧ ଲଗାଇ ଶ୍ମଶାନକୁ ନେଇଯାଇଥିଲେ। ବଡ଼ଝିଅ ଅବନ୍ତୀ ମୁଖାଗ୍ନି ଦେଇଥିଲେ।
ଗ୍ରାମର ବାଇଧର ଜେନା ଜଣେ ଦିବ୍ୟାଙ୍ଗ ବ୍ୟକ୍ତି। ପତ୍ନୀ ହାରାମଣିଙ୍କୁ ନେଇ ତାଙ୍କ ସଂସାର ଆରମ୍ଭ ହୋଇଥିବାବେଳେ ସେମାନଙ୍କ ୫ ଝିଅଙ୍କ ମଧ୍ୟରୁ ୪ ଝିଅ ଜନ୍ମରୁ ଦିବ୍ୟାଙ୍ଗ। ସେମାନେ ମୂକ ଓ ବଧିର ଅଟନ୍ତି। ବଡ଼ ଝିଅ ସ୍ୱାଭାବିକ ଥିବାରୁ ତା’ର ବାହାଘର ହୋଇଯାଇଛି। ଅବଶିଷ୍ଟ ଚାରି ଝିଅଙ୍କ ବୟସ ୫୦ ବର୍ଷ ଟପିଥିଲେ ମଧ୍ୟ କେହି ବାହା ହୋଇପାରିନାହାଁନ୍ତି। ଯେଉଁ ମା’ ପର ଘରେ ବାସିକାମ କରି ଦିବ୍ୟାଙ୍ଗ ଝିଅମାନଙ୍କୁ ଆହାର ଯୋଗାଇଆସୁଥିଲା ଆଜି ସେ ସେମାନଙ୍କ ପାଖରେ ନାହିଁ। ଆଉ ଶେଷକୃତ୍ୟ ସମୟରେ ପୁଅର ଭୂମିକା ତୁଲାଇଛନ୍ତି ଏହି ମୂକବଧିର ଝିଅମାନେ। ମା’ ପ୍ରତି ସେମାନଙ୍କ କର୍ତ୍ତବ୍ୟପରାୟଣତା ଦେଖାଇଛନ୍ତି।
ଅପରପକ୍ଷେ ହାରାମଣିଙ୍କ ସ୍ୱାମୀ ବାଇଧର ଦୁରାରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ହୋଇଥିବାବେଳେ ଅସହାୟ ୪ ଝିଅ କେମିତି ଚଳିବେ ସେ ନେଇ ସମ୍ପର୍କୀୟ ଚିନ୍ତାବ୍ୟକ୍ତ କରିଛନ୍ତି। ସେମାନଙ୍କ ଘର ନାହିଁ, ସରକାରୀ ସହାୟତା ମଧ୍ୟ ମିଳିନାହିଁ। ଗୋଟିଏ ଘରେ ଛେଳିଗୁଡିଏ ସହ ସେମାନେ ଜୀବନ ବିତାଉଛନ୍ତି। ଏହି ଅସହାୟ ପରିବାରକୁ ସରକାରୀ ସହାୟତା ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।