ମୂର୍ତ୍ତି ତିଆରି କାଞ୍ଚନଙ୍କ ନିଶା ଓ ପେଶା: ପାଠ ପଢ଼ିବା ସହ ପିଲାଟି ବେଳୁ ଗଢୁଛନ୍ତି ମୂର୍ତ୍ତି

ବାଲେଶ୍ବର: ମୂର୍ତ୍ତି ତିଆରି କରିବା ତାଙ୍କର ଏକପ୍ରକାର ନିଶା। ଏମିତିକି ସେ ରାତିରେ ସ୍ବପ୍ନରେ ମଧ୍ୟ ଭଗବାନଙ୍କୁ ଦେଖନ୍ତି ଆଉ ସକାଳୁ ଉଠି ମୂର୍ତ୍ତି ତିଆରି କରନ୍ତି। ଏହି ନିଶା ପାଇଁ ସେ ଦିନେ ରେଲୱେରେ ଚାକିରି ବି ଛାଡ଼ିଦେଇଛନ୍ତି। ବର୍ତ୍ତମାନ ଅର୍ଥାତ ଦୀର୍ଘ ୫ ବର୍ଷ ହେବ ମୂର୍ତ୍ତି ତିଆରିକୁ ନିଜର ନିଶା ଓ ପେଶା କରି ଦେଇଛନ୍ତି। ସେ ହେଉଛନ୍ତି ବାଲେଶ୍ବର ସହର କୁରୁଡ଼ାରେ ରହୁଥିବା କାଞ୍ଚନ ଜେନା। ଆଗକୁ ଆସୁଥିବା ଗଣେଶ ଓ […]

ବାଲେଶ୍ବର: ମୂର୍ତ୍ତି ତିଆରି କରିବା ତାଙ୍କର ଏକପ୍ରକାର ନିଶା। ଏମିତିକି ସେ ରାତିରେ ସ୍ବପ୍ନରେ ମଧ୍ୟ ଭଗବାନଙ୍କୁ ଦେଖନ୍ତି ଆଉ ସକାଳୁ ଉଠି ମୂର୍ତ୍ତି ତିଆରି କରନ୍ତି। ଏହି ନିଶା ପାଇଁ ସେ ଦିନେ ରେଲୱେରେ ଚାକିରି ବି ଛାଡ଼ିଦେଇଛନ୍ତି। ବର୍ତ୍ତମାନ ଅର୍ଥାତ ଦୀର୍ଘ ୫ ବର୍ଷ ହେବ ମୂର୍ତ୍ତି ତିଆରିକୁ ନିଜର ନିଶା ଓ ପେଶା କରି ଦେଇଛନ୍ତି। ସେ ହେଉଛନ୍ତି ବାଲେଶ୍ବର ସହର କୁରୁଡ଼ାରେ ରହୁଥିବା କାଞ୍ଚନ ଜେନା। ଆଗକୁ ଆସୁଥିବା ଗଣେଶ ଓ ବିଶ୍ବକର୍ମା ପୂଜା ପାଇଁ କାଞ୍ଚନ ଜିଲ୍ଲା ପ୍ରଶାସନର ଗାଇଡଲାଇନ୍ ଅନୁସାରେ ୪/୫ ଫୁଟ୍ ର ମୂର୍ତ୍ତି ତିଆରି କରିଛନ୍ତି। ଏମିତିକି ଲୋକଙ୍କ ଅର୍ଡର ଅନୁସାରେ ୪ ଫୁଟ୍ ଉଚ୍ଚତାରେ ବିଭିନ୍ନ ଥିମ୍ କୁ ନେଇ ସେ ସୁନ୍ଦର ଓ ଆକର୍ଷଣୀୟ ମୂର୍ତ୍ତି ନିଜେ ଗଢ଼ିଛନ୍ତି। କାଞ୍ଚନ ଜଣେ ଉଚ୍ଚଶିକ୍ଷିତ ଯୁବକ ହୋଇଥିବା ସହ ଭଲ ମୂର୍ତ୍ତି କାରିଗର ମଧ୍ୟ।

ମୂର୍ତ୍ତି କାରିଗର ନିରଞ୍ଜନ ଜେନା ଓ କାଜଲ ଜେନାଙ୍କ ସାନ ପୁଅ କାଞ୍ଚନ ଜେନା। ନିରଞ୍ଜନଙ୍କ ଅନ୍ୟ ତିନି ପୁଅ ମଧ୍ୟରୁ କେହି ଚାକିରି କରନ୍ତି ଏବଂ କେହି ଯାତ୍ରା କଳାକାର ଭାବେ କାମ କରୁଛନ୍ତି। ତେବେ କାଞ୍ଚନ ପିଲାଟି ଦିନରୁ ନିଜ ବାପା ନିରଞ୍ଜନଙ୍କୁ ଦେଖି ମୂର୍ତ୍ତି ତିଆରି କରିବା ଆରମ୍ଭ କରିଥିଲେ। ପିଲାବେଳେ କାଞ୍ଚନ ବିଭିନ୍ନ ଚିତ୍ର ପ୍ରତିଯୋଗିତାରେ ଭାଗନେଇ ପୁରସ୍କାର ମଧ୍ୟ ହାସଲ କରିଛନ୍ତି। ମୂର୍ତ୍ତି ତିଆରି କରିବା ସହ ପାଠପଢ଼ା ମଧ୍ୟ ଜାରି ରଖିଥିଲେ। ତେବେ ସରକାରୀ ଆଇଟିଆଇରେ ପାଠପଢ଼ିବା ପରେ ଗ୍ରାଜୁଏସନ୍ ଶେଷ କରି ରେଲୱେ ବିଭାଗରେ କାମ କରୁଥିଲେ। ତେବେ ମୂର୍ତ୍ତି ତିଆରି କରିବା ନିରଞ୍ଜନଙ୍କ କୌଳିକ ବୃତ୍ତି। ମାତ୍ର ନିରଞ୍ଜନଙ୍କ ପରେ ତାଙ୍କୁ ୪ ପୁଅ କେହି ଏହି ମୂର୍ତ୍ତି ତିଆରି ଦିଗରେ ମନ ନବଳାଇବାରୁ ଶେଷରେ କାଞ୍ଚନ ଚାକିରି କରିବା ସହ ବାପାଙ୍କଠୁ ମୂର୍ତ୍ତି ତିଆରି କରିବା ଶିଖିଲେ। ଏଦିଗରେ ଅଧିକ ପ୍ରଶିକ୍ଷଣ ନେବାକୁ ଚାହିଁଥିଲେ ମଧ୍ୟ ସୁଯୋଗ ମିଳିନଥିଲା ତାଙ୍କୁ। କାଞ୍ଚନ ବିଭିନ୍ନ ମୂର୍ତ୍ତି କାରଖାନା ବୁଲି ବୁଲି ଦେଖି ମୂର୍ତ୍ତି ତିଆରି କରିବା ଆରମ୍ଭ କଲେ। ଧୀରେ ଧୀରେ ଘରେ ରହି ବାପାଙ୍କଠୁ ମୂର୍ତ୍ତି ତିଆରି ଶିଖିବା ଭିତରେ ଏହା ତାଙ୍କର ନିଶାରେ ପରିଣତ ହୋଇଗଲା। ସେଥିପାଇଁ ଚାକିରି ଛାଡ଼ି ବିଭିନ୍ନ ପୂଜା ସମୟରେ କୁରୁଡ଼ା ସମେତ ଏସପି ଅଫିସ ସମ୍ମୁଖରେ ମୂର୍ତ୍ତି ତିଆରି କରନ୍ତି। ୭ ଶହ ଟଙ୍କାରୁ ଆରମ୍ଭ କରି ୩ ହଜାର ଟଙ୍କା ପର୍ଯ୍ଯନ୍ତ ଦରରେ ମୂର୍ତ୍ତି ତିଆରି କରିଛନ୍ତି। ୪ ଫୁଟ୍ ଉଚ୍ଚତା ମଧ୍ୟରେ ବିଭିନ୍ନ ଡିଜାଇନ୍ ତଥା ଥିମ୍ କୁ ନେଇ କାଞ୍ଚନ ମୂର୍ତ୍ତି ତିଆରି କରିଛନ୍ତି। ଯିଏ ଯେମିତି ଥିମ୍ କୁ ନେଇ ଅର୍ଡର ଦେଉଛନ୍ତି ସେମିତି ଅନୂଯାୟୀ ସେ ମୂର୍ତ୍ତି ତିଆରି କରିଛନ୍ତି। ୩ ଫୁଟ୍ ର ୩୦ ଟି ମୂର୍ତ୍ତି ତିଆରି କରିଥିବା ବେଳେ ୪ ଫୁଟ୍ ର ବିଭନ୍ନ ଥିମ୍ କୁ ନେଇ ୧୦ ଟି ମୂର୍ତ୍ତି ଗଢ଼ିଛନ୍ତି କାଞ୍ଚନ। ସେହିପରି ଘରେ ମଧ୍ୟ କିଛି ମୂର୍ତ୍ତି ତିଆରି କରାଯାଇଛି। ଏଥିସହିତ ଆଗକୁ ଥିବା ବିଶ୍ବକର୍ମା ଓ ଦୁର୍ଗା ପୂଜା ପାଇଁ ତାଙ୍କୁ ମୂର୍ତ୍ତି ତିଆରି ପାଇଁ ଅର୍ଡର ଆସିଥିବା କାଞ୍ଚନ କହିଛନ୍ତି।

About The Author: The Sakala