ବଲାଙ୍ଗିର: ଆଦିବାସୀ ପ୍ରବଣ ବଲାଙ୍ଗିର ଜିଲ୍ଲାରେ ଆଜି ବି ବଞ୍ଚିଛି ଅନ୍ଧବିଶ୍ୱାସ। ଅନ୍ଧବିଶ୍ୱାସର ଅନ୍ଧଗଳିର ରହୁଥିବା ଲୋକ ମାନଙ୍କ ଦ୍ୱାରା ବିଭିନ୍ନ ସମୟରେ ଅପରାଧିକ କାର୍ଯ୍ୟକଳାପ ଚର୍ଚ୍ଚାର ବିଷୟ ହୋଇଛି। ବର୍ତ୍ତମାନ ସମୟରେ ଗୁଣିଗାରେଡି ସନ୍ଦେହରେ ଅନେକଙ୍କ ଜୀବନ ଯାଇଥିବା ବେଳେ ବହୁ ଲୋକ ନିଜର ଭିଟାମାଟି ଛାଡି ବାହାରେ ମୁଣ୍ଡ ଗୁଞ୍ଜିଛନ୍ତି। ଆଜିର ଏହି ଡିଜିଟାଲ ଯୁଗରେ ଅନ୍ଧବିଶ୍ୱାସ ଦୂର ହୋଇଥିବା ନେଇ ବିଭିନ୍ନ ସମୟରେ କୁହାଯାଉଥିବା ବେଳେ ବଲାଙ୍ଗିର ଜିଲ୍ଲାରେ କିଛି ମାସ ଅନ୍ତରରେ ଏମିତି କିଛି ଘଟଣା ସାମ୍ନାକୁ ଆସୁଛି ଯାହାକି ପୁଣି ସେହି ଅନ୍ଧବିଶ୍ୱାସ ସମୟକୁ ଫେରାଇନେଉଛି। ଏପରିକି ଏହି ଅନ୍ଧବିଶ୍ୱାସ ଦୂର କରିବାରେ ବିଭିନ୍ନ ସମୟରେ ପ୍ରଶାସନ ମଧ୍ୟ ଫେଲ ମାରିଛି। ସିନେ୍ଧକେଲା ୯ ବର୍ଷର ଶିଶୁ ବଳି ଠାରୁ ଆରମ୍ଭ କରି ସଇଁନ୍ତଲାରେ ଜଣେ ବୃଦ୍ଧଙ୍କୁ କଙ୍ଗାରୁକୋର୍ଟରେ ମିଲିଥିବା ଦଣ୍ଡ ପର୍ଯ୍ୟନ୍ତ ସବୁଠି ଅନ୍ଧବିଶ୍ୱାସର ଛାପ। ଏମିତି କିଛି ଘଟଣାକୁ ନେଇ ସ୍ୱତନ୍ତ୍ର ଉପସ୍ଥାପନା ‘ଅନ୍ଧଗଳିର ମଣିଷ’…।
ଭଣଜା ଓ ଭଉଣୀକୁ ବଳି
ଗୁଣିଗାରେଡି ସନ୍ଦେହରେ ଦମ୍ପତ୍ତିଙ୍କୁ ହତ୍ୟା
ବଲାଙ୍ଗିର ଜିଲ୍ଲାର ଆଉ ଏକ ବ୍ଲକ ହେଉଛି ପାଟଣାଗଡ଼ ବ୍ଲକ। ଉକ୍ତ ବ୍ଲକ ଅନ୍ତର୍ଗତ ଲରମ୍ଭା ଥାନା ଚିଟକାମାଲ ଗାଁରେ ୨୦୧୯ ସେପ୍ଟେମ୍ବର ୧୬ ତାରିଖରେ ସ୍ୱାମୀ, ସ୍ତ୍ରୀଙ୍କ ମୃତଦେହ ଏକ ପାହାଡ ପାଦଦେଶରୁ ଉଦ୍ଧାର ହୋଇଥିଲା। ଏକ ବସ୍ତାରେ ଭର୍ତ୍ତୀ ହୋଇଥିବା ଏହି ଦୁଇଟି ମୃତଦେହ ଉଦ୍ଧାର ଘଟଣା ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ତେବେ ଏହି ହତ୍ୟା ମାମଲା ପଛର କାହାଣୀ ପୁଲିସ ଲୋକଲୋଚନ କୁ ଆଣିବା ପରେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଲୋକେ ଏମିତି ଅପରାଧ କରିପାରନ୍ତି କେହି ଭାବିନଥିଲେ। ପୁଲିସ ଦେଇଥିବା ସୂଚନା ଅନୁସାରେ ଲରମ୍ଭା ଥାନା ଚିଟକାମାଲ ଗାଁର ନାରାୟଣ ବରିହା ଅଗଷ୍ଟ ୨୧ ତାରିଖରେ ମୃତ୍ୟୂ ବରଣ କରିଥିଲେ। ତାଙ୍କ ପରେ ପରେ ଦେଢ ବର୍ଷର ଶିଶୁ ମଧ୍ୟ ମୃତ୍ୟୁବରଣ କରିଥିଲା। ଏହି ଦୁଇଟି ମୃତ୍ୟୁ ଘଟଣାରେ ଗାଁର ଚିନ୍ତାମଣୀ ବରିହା(୫୫) ଓ ତାଙ୍କ ସ୍ତ୍ରୀ ରୁକ୍କୁଣୀ ବରିହା(୫୦)ଙ୍କ ହାତ ରହିଥିବା ଗାଁ ଲୋକ ଅଭିଯୋଗ କରିଥିଲେ। ଉଭୟ ଗୁଣିଗାରେଡି କରି ତାଙ୍କୁ ମାରିଦେଇଥିବା ଗାଁ ଲୋକେ ଅଭିଯୋଗ କରି ସେମାନଙ୍କୁ ଆକ୍ରମଣ କରିଥିଲେ। ଉଭୟ ସ୍ୱାମୀ ସ୍ତ୍ରୀକୁ ମାଡ ମାରିବା ପରେ ଧାରୁଆ ଅସ୍ତ୍ରରେ ହତ୍ୟା କରି ନିକଟସ୍ଥ ଚିତାଡୁଙ୍ଗୁରୀ ପାହାଡରେ ଫିଙ୍ଗିଦେଇଥିଲେ। ଏହି ଘଟଣାର ଅଭିଯୁକ୍ତ ମାନଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଥିଲା।
ପରୁଆଭାଡି ଖାପ ପଞ୍ଚାୟତ ଓ ଅଜବ ଦଣ୍ଡବିଧାନ
ବଲାଙ୍ଗିର ଜିଲ୍ଲା ସିନେ୍ଧକେଲା ଥାନା। ଏହି ଥାନା ଅଧିନରେ ଥିବା ଅନ୍ଧବିଶ୍ୱାସର ଏହି ଗାଁରେ ବାରମ୍ବାର ଘଟିଚାଲିଛି ଅନେକ ଘଟଣା। ଗୁପ୍ତଧନ ପାଇଁ ନିଜ ଭଣଜା ଓ ଭଉଣୀକୁ ବଳି ଦେବା ଭଳି ଅମାନବୀୟ ଘଟଣା ଘଟିଥିବା ଏହି ଗାଁରେ ଗୁଣିଆ ସନ୍ଦେହରେ ଅନେକଙ୍କୁ ଦିଆଯାଉଛି ସାମାଜିକ ନିର୍ଯ୍ୟାତନା। ଏହି ଥାନା ଅନ୍ତର୍ଗତ ପରୁଆଭାଡି ଗାଁରେ ଜଣେ ବ୍ୟକ୍ତିଙ୍କୁ ବୁଲି ବୁଲି ମାଡ ମରାଯିବା ସହିତ ବିଷ୍ଠାରେ ସୁଦ୍ଧି କରାଯାଉଥିବା ଏକ ଦୁର୍ଭାଗ୍ୟଜନକ ଭିଡିଓ ଭାଇରାଲ ହୋଇଥିଲା। ଏହି ଘଟଣାର ତନାଘନା କରିବା ପରେ ନିର୍ଯ୍ୟାତନାର ଶୀକାର ହୋଇଥିବା ବ୍ୟକ୍ତି ଜଣକ ଗାଁର ହାଡିବନ୍ଧୁ ବଗର୍ତ୍ତୀ ବୋଲି ଜଣାପଡ଼ିଥିଲା। ଗୁଣିଆ ସନ୍ଦେହରେ ଗାଁ ଖାପ ପଞ୍ଚାୟତରେ ତାଙ୍କୁ ଏହି ଦଣ୍ଡ ଦିଆଯାଇଥିବା ଜଣାପଡ଼ିଥିଲା। ଏହି ଘଟଣାରେ ପୁଲିଦ ତିନି ଜଣଙ୍କୁ ଗିରଫ କରିଥିଲା। ଏହି ଘଟଣାର ମାତ୍ର କିଛି ଦିନ ପରେ ପୁଣି ଏକ ଭିଡିଓ ଭାଇରାଲ ହୋଇଥିଲା। ଏକ ମନ୍ଦିର ସାମ୍ନାରେ ଦୁଇ ଜଣ ଯୁବତୀ ବସିଥିବା ବେଳେ ଜଣକୁ ଭୁତ ଲାଗିଛି ଓ ଆଉ ଜଣେ ଝଡାଫୁଙ୍କା କରୁଛନ୍ତି। ଏହି ଘଟଣାକୁ କେନ୍ଦ୍ର କରି ଗାଁରେ ପୁଣି ଖାପ ପଞ୍ଚାୟତ ବସିଥିଲା। ଏହି ଖାପ ପଞ୍ଚାୟତରେ ଗାଁ ସରପଞ୍ଚ ଓ ତାଙ୍କ ପରିବାର ଲୋକ ବ୍ରଜ ଭୋଇଙ୍କୁ ଓ ତାଙ୍କ ପରିବାର ଲୋକଙ୍କୁ ଗୁଣିଆ ସନ୍ଦେହ କରି ମାଡ ମାରିଥିଲେ। ସେମାନଙ୍କ ନିଆ ପାଣି ବନ୍ଦ କରିଦେଇଥିଲେ। ପରେ ବ୍ରଜ ଓ ତାଙ୍କ ୧୩ ଜଣ ପରିବାର ସଦସ୍ୟକୁ ଭିଟାମାଟି ଛାଡିବାକୁ ବାଧ୍ୟ କରିଥିଲେ। ଗତ ଦୁଇ ସପ୍ତାହରୁ ଉର୍ଦ୍ଧ ଦିନ ହେଲା ଏହି ପରିବାର ଗାଁ ବାହାରେ ମୁଣ୍ଡ ଗୁଞ୍ଜିଛନ୍ତି। ପୁଲିସ ଏକ ସ୍ୱତନ୍ତ୍ର ଟିମ କରି ଗାଁ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ସୁଦ୍ଧା ଲୋକ ମାନିବାକୁ ନାରାଜ। ଯାହାର ପରିଣାମ ଭୋଗୁଛନ୍ତି ଏହି ପରିବାର।
ନିତ୍ୟାଙ୍କ ମୃତଦେହ ଉଦ୍ଧାର ଘଟଣା ପଛରେ ବି ଅନ୍ଧବିଶ୍ୱାସ
ରହସ୍ୟବୃତ୍ତ ବବଲୁ କୁ ବଳି ଘଟଣା
ବଲାଙ୍ଗିର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ସିଲେଟକାନୀ ଗାଁର ଉଗ୍ରେସନ ବଗର୍ତ୍ତିଙ୍କ ପୁଅ ବବଲୁ ବଗର୍ତ୍ତିୀ ଗତ ଦେଢ ବର୍ଷ ତଲେ ସକାଳୁ ନିଖୋଜ ହୋଇଯାଇଥିଲେ। ନିଖୋଜ ହେବାର ୧୫ ଦିନ ପରେ ଗତ ୨୦୨୦ ଫେବୃୟାରୀ ୬ ତାରିଖରେ ଗାଁର ମହିଲା ମାନେ କୁକୁର ମୁହଁରେ ଏକ ମଣିଷ ହାତକୁ ଦେଖିଥିଲେ। ଏହା ଜଣାପଡ଼ିବା ପରେ ପରିବାର ଲୋକ ସନ୍ଦେହରେ ଥାନାକୁ ଖବର ଦେଇଥିଲେ। ପୁଲିସ ସିଲେଟକାନୀରେ ପହଞ୍ଚି ସନ୍ଧାନୀ କୁକୁରର ସହାୟତାରେ ତଦନ୍ତ ଆରମ୍ଭ କରିଥିବା ବେଳେ ନଦୀପଠାରେ ଅସ୍ଥି, କଙ୍କାଳ, ଖପୁରୀ ମିଲିଥିଲା। ଗୁପ୍ତଧନ ଲାଲସାରେ କେହି ବବଲୁ କୁ ବଳି ଦେଇଥିବା ନେଇ ଚର୍ଚ୍ଚା ହୋଇଥିଲା। ଦେହାବଶେଷ କୁ ଜବତ କରି ପୁଲିସ ପରୀକ୍ଷା ପାଇଁ ପଠାଇଥିବା ଆଜି ପର୍ଯ୍ୟନ୍ତ କୈାଣସି ସ୍ପଷ୍ଟ ସୂଚନା ମିଲିନାହିଁ। ଏପରିକି ତାହା ବବଲୁର ବୋଲି ସ୍ପଷ୍ଟ ହୋଇନଥିବା ବେଳେ ପରିବାର ଲୋକଙ୍କୁ ନ୍ୟାୟ ମଧ୍ୟ ମିଲିନାହିଁ। ଏହି ସବୁ ଭିତରେ କିନ୍ତୁ ଗତ କିଛି ମାସ ତଲେ ଉଗ୍ରେସନ ଗାଁର ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା। ଆକ୍ରମଣର ଶୀକାର ହୋଇଥିବା ଯୁବକ ଜଣକ ବବଲୁକୁ କୁଆଡେ ଅପହରଣ କରି ନେଇ ବଳି ଦେଇଥିବା ଉଗ୍ରସନ କହିଥିଲା। ସେହିପରି ଏହି ଥାନା ଅଧିନରେ ଗୁପ୍ତଧନ କାରବାରକୁ ନେଇ ଜଣେ ବ୍ୟବସାୟୀଙ୍କୁ ହତ୍ୟା କରାଯାଇଥିଲା। ଆଜି ପର୍ଯ୍ୟନ୍ତ ଉକ୍ତ ହତ୍ୟା ଘଟଣାର ଅଭିଯୁକ୍ତକୁ ମଧ୍ୟ ପୁଲିସ ଧରିବାରେ ବିଫଳ ହୋଇଛି।