ଟିଟିଲାଗଡ: ଟିଟିଲାଗଡ ଥାନା ଅନ୍ତର୍ଗତ ଘୋଡାର ଗ୍ରାମ ଠାରେ ଟିଟିଲାଗଡ ସହରର ହାଟପଦା ପଡ଼ାର ଚାରି ଜଣ ଯୁବକଙ୍କୁ ଗ୍ରାମର କିଛି ମହିଳା ଓ ପୁରୁଷମାନେ ମିଳିତ ଆକ୍ରମଣ କରି ଗୁରୁତର ଆହତ କରିଦେଇଥିବା ସୂଚନା ମିଳିଛି। ଏପରିକି ଗ୍ରାମର କିଛି ବ୍ୟକ୍ତି ଆକ୍ରମଣରେ ଆହତ ହୋଇ ରକ୍ତାକ୍ତ ହୋଇଥିବା ଏହି ଯୁବକ ମାନଙ୍କୁ ଲଙ୍କା ଗୁଣ୍ଡ ଲଗାଇ ଆକ୍ରମଣ କରିଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ, ଟିଟିଲାଗଡ ହାଟପଦା ପଡ଼ାର ମୁବାରକ ଅଲି, ଗୁଣ୍ଡୁ ବାଗ, ବଲ ବେହେରା ଏବଂ ଆଲୋକ ବେହେରା ନାମକ ଚାରିଜଣ ଯୁବକ ମିଶି ଘୋଡାର ଗ୍ରାମକୁ ଯାଇ ଥିବା ବେଳେ କୌଣସି କାରଣ ବଶତଃ ମାରଲାଡ ବ୍ରିଜ ପାଖରେ କୁଚିଆ ଦୋକାନ କରିଥିବା କିଛି ମହିଳା ଓ ପୁରୁଷଙ୍କ ସହ ପାଟିତୁଣ୍ଡ ହୋଇଥିଲା । ଏପରିକି ଉକ୍ତ ଯୁବକ ମାନେ କିଛି ମହିଳାଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ତେବେ ଉଭୟ ପକ୍ଷର ଏହି ବଚସା ବୃଦ୍ଧି ପାଇ ଗ୍ରାମର ଉଭୟ ମହିଳା ଓ କିଛି ବ୍ୟକ୍ତି ମିଶି ଉକ୍ତ ଯୁବକ ମାନଙ୍କୁ ମାରଣାନ୍ତାକ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ଯୁବକ ମାନଙ୍କୁ ଟିଟିଲାଗଡ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଯୁବକ ମାନଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଅଧିକ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରିବାକୁ ପରାମର୍ଶ ଦେଇଛନ୍ତି। ତେବେ ଏହି ଘଟଣାକୁ ନେଇ ହସ୍ପିଟାଲ ପରିସରରେ ଚାପା ଉତ୍ତେଜନା ଦେଖା ଦେଇଥିବା ବେଳେ ଉଭୟ ପକ୍ଷରୁ ଟିଟିଲାଗଡ ଥାନା ଠାରେ ଏତଲା ଦାୟର କରାଯାଇଛି।