ନବୀନଙ୍କ ନେତୃତ୍ୱକୁ ବ୍ୟାଡ୍‌ମିଣ୍ଟନ ଖେଳାଳି ପିଭି ସିନ୍ଧୁଙ୍କ ପ୍ରଶଂସା

ଭୁବନେଶ୍ୱର: ପ୍ରଥମ ଭାରତୀୟ ବ୍ୟାଡ୍‌ମିଣ୍ଟନ ଖେଳାଳି ଭାବେ ପିଭି ସିନ୍ଧୁ ଜାପାନ ଓପନ ଟାଇଟଲ୍‌ ଜିତିଛନ୍ତି। ରବିବାର ଟୋକିଓରେ ଅନୁଷ୍ଠିତ ମହିଳା ଫାଇନାଲରେ ସିନ୍ଧୁ ୨୧-୧୭, ୨୧-୧୭ ସିଧାସଳଖ ଗେମରେ ଘରୋଇ ତାରକା ତଥା ତିନିଥରର ବିଶ୍ୱ ଚାମ୍ପିଅନ ଅକାନେ ୟାମାଗୁଚିଙ୍କୁ ପରାସ୍ତ କରିଥିଲେ। ଦୁଇ ବର୍ଷର ପ୍ରତୀକ୍ଷାର ଅନ୍ତ ପରେ ପ୍ରଥମ ଓ ମୋଟ୍‌ ଉପରେ ୬ଷ୍ଠ ବିଡବ୍ଲ୍ୟୁଏଫ୍‌ ୱାର୍ଲ୍ଡ ଟୁର୍‌ ଟାଇଟଲ୍‌ ଜିତିଥିବା ସିନ୍ଧୁଙ୍କୁ ଏହି ଅବସରରେ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟିଛି। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏକ୍ସ’ ଜରିଆରେ ସିନ୍ଧୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ‘ଅକାନେ ୟାମାଗୁଚିଙ୍କୁ ପରାସ୍ତ କରି ଜାପାନ ଓପନ ଟାଇଟଲ୍‌ ଜିତିଥିବା ପିଭି ସିନ୍ଧୁଙ୍କୁ ଅଭିନନ୍ଦନ। ସେ ପ୍ରଥମ ଭାରତୀୟ ଭାବରେ ଏହି ଟାଇଟଲ୍‌ ବିଜୟୀ ହୋଇଛନ୍ତି। ଫାଇନାଲରେ ତାଙ୍କର ନିଖୁଣ ପ୍ରଦର୍ଶନ ତାଙ୍କୁ ଘରୋଇ ତାରକା ଏବଂ ତିନିଥର ବିଶ୍ୱ ଚାମ୍ପିଅନ ୟାମାଗୁଚିଙ୍କୁ ସିଧାସଳଖ ଗେମରେ ପରାସ୍ତ କରିବାରେ ସାହାଯ୍ୟ କରିଥିଲା। ସେ ତାଙ୍କର ଚମତ୍କାର ପ୍ରଦର୍ଶନ ଜାରି ରଖନ୍ତୁ ଏବଂ ଦେଶ ପାଇଁ ଅଧିକ ଗୌରବ ଆଣନ୍ତୁ। ଶୁଭକାମନା’ ବୋଲି ନବୀନ ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ ଉଲ୍ଲେଖ କରିଛନ୍ତି। 

ନବୀନଙ୍କ ଅଭିନନ୍ଦନକୁ ସ୍ୱୀକାର କରି ସିନ୍ଧୁ ତୁରନ୍ତ ଧନ୍ୟବାଦ ଜଣାଇବା ସହ ତାଙ୍କର ଏହି ସ୍ମରଣୀୟ ବିଜୟକୁ ମହାପ୍ରଭୁ ଜଗନ୍ନାଥଙ୍କୁ ଉତ୍ସର୍ଗ କରିଛନ୍ତି। ଏଥିସହ ଏକ ହୃଦୟସ୍ପର୍ଶୀ ବାର୍ତ୍ତାରେ, ସିନ୍ଧୁ ରାଜ୍ୟ ସହିତ ତାଙ୍କର ଗଭୀର ବ୍ୟକ୍ତିଗତ ସମ୍ପର୍କ ଓ ନବୀନଙ୍କ ଶାସନକୁ ବେଶ୍‌ ପ୍ରଶଂସା କରିଛନ୍ତି। ସିନ୍ଧୁ କହିଛନ୍ତି, “ମୋର ଶ୍ୱଶୁର, ଯିଏ ଜଣେ ବରିଷ୍ଠ ବ୍ୟୁରୋକ୍ରାଟ ଭାବରେ କାର୍ଯ୍ୟ କରିଥିଲେ, ସର୍ବଦା ଆପଣଙ୍କୁ, ଆପଣଙ୍କ ନେତୃତ୍ୱକୁ ଏବଂ ଓଡ଼ିଶାର ଶାସନ ବିଷୟରେ ବହୁତ ଉଚ୍ଚ ପ୍ରଶଂସା କରିଛନ୍ତି। ଧନ୍ୟ ମନେ କରୁଛି ଯେ ଏହି ବିଜୟ ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ସମୟରେ ଆସିଛି। ମୁଁ ଆଶା କରୁଛି ଯେ ଶୀଘ୍ର ପୁରୀ ଫେରିବି ଏବଂ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ଲୋଡ଼ିବି। ପୁଣିଥରେ ଧନ୍ୟବାଦ, ମହାଶୟ। ଆପଣଙ୍କ ଶୁଭେଚ୍ଛା ମୋ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ।’’

About The Author: Madhusudan Das