ଭୁବନେଶ୍ୱର: ଆୟୁଷ୍ମାନ କାର୍ଡକୁ ନେଇ ପ୍ରତିଦିନ ବଢ଼ିବାରେ ଲାଗିଛି ଅଭିଯୋଗ। ପୂର୍ବରୁ ବିଏସ୍କେୱାଇରେ ବିନା ଦ୍ୱିଧାରେ ଚିକିତ୍ସା ପାଉଥିବା ଗରିବ ରୋଗୀମାନଙ୍କ ପାଇଁ ବିଜେପି ସରକାରଙ୍କ ‘ଆୟୁଷ୍ମାନ’ ଅଭିଶାପ ପାଲଟିଛି। ଚିକିତ୍ସା ସୁବିଧାସୁଯୋଗରୁ ବଞ୍ଚିତ ରୋଗୀମାନେ ଏବେ ନବୀନ ସରକାରଙ୍କ ଦ୍ୱାରା ପ୍ରଚଳିତ ବିଏସ୍କେୱାଇକୁ ଝୁରୁଛନ୍ତି। କୋରାପୁଟ, ରାୟଗଡ଼ାର ରୋଗୀମାନେ ବିଶାଖାପାଟଣାରେ ଚିକିତ୍ସା ନ ପାଇ ହନ୍ତସନ୍ତ ହୋଇଥିବାବେଳେ ଏବେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଅନୁରୂପ ଘଟଣା ଦେଖିବାକୁ ମିଳିଛି। ବିଏସ୍କେୱାଇରେ ବିନା ମୂଲ୍ୟରେ ହୃଦରୋଗର ଚିକିତ୍ସା କରିଥିବା ଗରିବ ଝିଅଟି ଏବେ ଅନ୍ୟଏକ ବ୍ୟାଧିରେ ମୃତ୍ୟୁସହ ସଂଘର୍ଷ କରୁଥିଲେ ହେଁ ଆୟୁଷ୍ମାନ ଯୋଜନାରେ ଚିକିତ୍ସା ସୁଯୋଗ ପାଇପାରୁ ନାହିଁ। ଯାହାକୁ ନେଇ ପରିବାର ଲୋକମାନେ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି। ଆୟୁଷ୍ମାନ କାର୍ଡ ସେମାନଙ୍କ ଚିକିତ୍ସାରେ ଲାଗି ପାରୁ ନ ଥିବା ଅଭିଯୋଗ କରି ଯଦି ତାଙ୍କ ଝିଅର କିଛି ହୋଇଯାଏ ତେବେ ଏଥିପାଇଁ ସରକାର ଦାୟୀ ରହିବେ ବୋଲି ପରିବାର ସଦସ୍ୟମାନେ ଚେତାବନୀ ଦେଇଛନ୍ତି ।
ସାଲିଆ ସାହିର ଝିଅ ରାଧିକା (ଛଦ୍ମନାମ)ର ପରିବାର ଅତ୍ୟନ୍ତ ଗରିବ। ପୂର୍ବରୁ ବିଏସ୍କେୱାଇରେ ନିଜର ହୃଦ୍ରୋଗର ଚିକିତ୍ସା କରି ସୁସ୍ଥ ହୋଇଥିଲେ। ମାତ୍ର ଏବେ ସେ ଆଉଏକ ଦୂରାରୋଗ୍ୟ ବ୍ୟାଧିରେ ପୀଡ଼ିତ ଓ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ମାତ୍ର ପୂର୍ବରୁ ବିଏସ୍କେୱାଇରେ ସେ ଘରୋଇ ହସ୍ପିଟାଲ୍ରେ ଯେଉଁ ଚିକିତ୍ସା ସେବା ପାଇଥିଲେ, ଏବେ ଆୟୁଷ୍ମାନ୍ର ତାହା ପାଉନାହାନ୍ତି। ତେଣୁ ଝିଅଟି ଏବେ ଜୀବନ-ମରଣ ସହ ସଂଘର୍ଷ କରୁଛି। ତାଙ୍କ ପରିବାର ମଧ୍ୟ ଏହାକୁ ନେଇ ବେଶ୍ ଚିନ୍ତିତ। ଆୟୁଷ୍ମାନ କାର୍ଡ ତାଙ୍କ ପାଇ ଅଭିଶାପ ପାଲଟିଛି ବୋଲି ଉଲ୍ଲେଖ କରି ସରକାରଙ୍କୁ ନିନ୍ଦା କରିଛନ୍ତି । ଚିକିତ୍ସା ନ ପାଇ ତାଙ୍କ ଝିଅ ଯଦି ମୃତ୍ୟୁବରଣ କରେ ତେବେ ସରକାର ଦାୟୀ ରହିବେ ବୋଲି ରାଧିକାର ବାପା କହିଛନ୍ତି। ଆୟୁଷ୍ମାନ ଯୋଜନାରେ ବିଭିନ୍ନ ରୋଗ ପାଇଁ ଅପେକ୍ଷାକୃତ କମ୍ ଅର୍ଥ ବରାଦ ଯୋଗୁଁ ଚିକିତ୍ସା ସେବା ବ୍ୟାହତ ହେଉଛି। ଏତେ କମ୍ ଅର୍ଥ ବରାଦରେ ବଡ଼ ରୋଗର ଚିକିତ୍ସା କରାଯାଇ ପାରିବ ନାହିଁ ବୋଲି ଘରୋଇ ଡାକ୍ତରଖାନା ଗୁଡ଼ିକ ସଫା ସଫା ଶୁଣାଇ ଦେଇଛନ୍ତି। ଯାହାକୁ ନେଇ ଅକଳରେ ପଡ଼ିଛନ୍ତି ରାଜ୍ୟ ସରକାର। ଏ ସମ୍ପର୍କରେ ସ୍ୱାସ୍ଥ୍ୟମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ମଧ୍ୟ କୌଣସି ସ୍ପଷ୍ଟ ଉତ୍ତର ଦେଇପାରୁନାହାନ୍ତି। ସାରା ଦେଶରେ ଆୟୁଷ୍ମାନ ଭାରତର ଗୋଟିଏ ପ୍ୟାକେଜ୍ ଲାଗୁ କରାଯାଇଛି। ବିଏସ୍କେୱାଇ ପ୍ୟାକେଜ୍ ଓ ସାମ୍ପ୍ରତିକ ବଜାର ଚିକିତ୍ସା ମୂଲ୍ୟ ତୁଳନାରେ ଆୟୁଷ୍ମାନ ଭାରତର ଚିକିତ୍ସା ପ୍ୟାକେଜ୍ ବହୁତ କମ୍ ରହିଛି। ବିଏସ୍କେୱାଇରେ ସରକାର ଦେଉଥିବା ଚିକିତ୍ସା ପ୍ୟାକେଜ୍କୁ ନେଇ ଘରୋଇ ଡାକ୍ତରଖାନା କେବେ ଅଭିଯୋଗ ଆଣି ନ ଥିଲେ। ବଜାର ମୂଲ୍ୟ ବୃଦ୍ଧି ହେତୁ ପ୍ୟାକେଜ୍ ଗୁଡିକରେ ଅନ୍ୟୂନ ୨୦ ପ୍ରତିଶତ ବୃଦ୍ଧି କରାଯାଉ ବୋଲି ସ୍ୱାସ୍ଥ୍ୟ ବିଭାଗ ପାଖରେ ଦାବି କରୁଥିଲେ; କିନ୍ତୁ ଆୟୁଷ୍ମାନ ଭାରତରେ ଶତାଧିକ ରୋଗକୁ ଚିକିତ୍ସା ତାଲିକାରୁ ବାଦ୍ ଦିଆଯାଇ ଥିବା ବେଳେ ପ୍ୟାକେଜ୍ ୫୦ ପ୍ରତିଶତକୁ ଖସି ଆସିଛି।
କିଛି ରୋଗର ପ୍ୟାକେଜ୍ ୭୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଛି। ସିଟି ସ୍କାନ, ଏମ୍ଆରଆଇ, ପିଏଫ୍ଟି, ଏନ୍ସିଭି, ଇଏମ୍ଜି ଭଳି ବ୍ୟୟବହୁଳ ନିଦାନ ବ୍ୟବସ୍ଥା ଚିକିତ୍ସା ପ୍ୟାକେଜରେ ନାହିଁ। ହୃଦରୋଗୀଙ୍କ ଜୀବନ ରକ୍ଷା ପାଇଁ ପ୍ରତିରୋପଣ ହେଉଥିବା ପେସ୍ ମେକର୍ ଦାମ୍ ଦେଢ଼ ଲକ୍ଷ ଟଙ୍କା। ମାତ୍ର ଆୟୁଷ୍ମାନରେ ମାତ୍ର ୭୫ ହଜାର ଟଙ୍କା ଦିଆଯାଉଛି। ସେହିପରି କାର୍ଡିଓଟୋକୋଗ୍ରାଫୀ (ସିଟିଜି), ମେରୁଦଣ୍ଡ ଚିକିତ୍ସା, ମସ୍ତିଷ୍କ ରୋଗ, କିଡ୍ନୀ ରୋଗ, ସ୍ନାୟୁ ରୋଗ, ବିଭିନ୍ନ ପ୍ରକାର ଅସ୍ତ୍ରୋପଚାର ଭଳି ଗୁରୁତର ମାମଲାରେ ଚିକିତ୍ସା ଖର୍ଚ୍ଚ ବହୁତ କମ୍ ରହିଛି। ଗୋଟିଏପଟେ ଆୟୁଷ୍ମାନ ପ୍ୟାକେଜ୍ ବୃଦ୍ଧି କରାଯାଇ ପାରୁନି। ଅନ୍ୟପକ୍ଷରେ ରୋଗୀଙ୍କ ପାଇଁ ଆବଶ୍ୟକ ଅତିରିକ୍ତ ଖର୍ଚ୍ଚକୁ ରାଜ୍ୟ ସରକାର ବହନ କରିବାକୁ ଚାହୁନାହାନ୍ତି। ଏଥିରେ କେବଳ ସାଧାରଣ ଗରିବ ରୋଗୀ ଦହଗଞ୍ଜ ହେଉଛି। ଗତ କିଛି ବର୍ଷ ହେଲା ରାଜ୍ୟବାସୀ ମାଗଣା ସ୍ୱାସ୍ଥ୍ୟ ସେବା ପାଇଁ ବେଶ ଉପକୃତ ହେଉଥିବାବେଳେ ଏବେ ଚିକିତ୍ସା ପାଇଁ ସେମାନଙ୍କୁ ଜମି ଘର ବିକିବାକୁ ପଡ଼ୁଛି।