ଅଭିଶାପ ପାଲଟିଛି ‘ଆୟୁଷ୍ମାନ’; ଡାକ୍ତରଖାନାରେ ବନ୍ଧା ପଡ଼ିଛି ପୁଅ, ଫି’ ବଦଳରେ ନିଜ କିଡ୍‌ନୀ ଦେବାକୁ ବାପା କରୁଛି ଗୁହାରି

ଭୁବନେଶ୍ୱର: ରାଜ୍ୟରେ ରୋଗୀଙ୍କ ପାଇଁ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ବୀମା କାର୍ଡକୁ ଆଶୀର୍ବାଦ ବୋଲି ପ୍ରଚାର କରାଯାଉଛି; ମାତ୍ର ଘରୋଇ ଡାକ୍ତରଖାନା କର୍ତ୍ତୃପକ୍ଷ ଆୟୁଷ୍ମାନ କାର୍ଡକୁ ଗ୍ରହଣ କରିବାକୁ ଅରାଜି। ଅନେକ ସ୍ଥାନରେ ଏହି ସ୍ୱାସ୍ଥ୍ୟ କାର୍ଡ ଆଶୀର୍ବାଦ ବଦଳରେ ରୋଗୀଙ୍କ ପାଇଁ ଅଭିଶାପ ପାଲଟିଛି। ଘରୋଇ ହସ୍ପିଟାଲ ଚିକିତ୍ସା ପାଇଁ ରୋଗୀଙ୍କୁ ଭର୍ତ୍ତି କରି ଦେଉଛନ୍ତି ସିନା, ପରବର୍ତ୍ତୀ ସମୟରେ ଆୟୁଷ୍ମାନ କାର୍ଡକୁ ଗ୍ରହଣ କରୁନାହାନ୍ତି। ଫଳରେ ହସ୍‌ପିଟାଲର ଲମ୍ବା ଡାକ୍ତରୀ ଚିଠା ଓ ମୋଟା […]

ଭୁବନେଶ୍ୱର: ରାଜ୍ୟରେ ରୋଗୀଙ୍କ ପାଇଁ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ବୀମା କାର୍ଡକୁ ଆଶୀର୍ବାଦ ବୋଲି ପ୍ରଚାର କରାଯାଉଛି; ମାତ୍ର ଘରୋଇ ଡାକ୍ତରଖାନା କର୍ତ୍ତୃପକ୍ଷ ଆୟୁଷ୍ମାନ କାର୍ଡକୁ ଗ୍ରହଣ କରିବାକୁ ଅରାଜି। ଅନେକ ସ୍ଥାନରେ ଏହି ସ୍ୱାସ୍ଥ୍ୟ କାର୍ଡ ଆଶୀର୍ବାଦ ବଦଳରେ ରୋଗୀଙ୍କ ପାଇଁ ଅଭିଶାପ ପାଲଟିଛି। ଘରୋଇ ହସ୍ପିଟାଲ ଚିକିତ୍ସା ପାଇଁ ରୋଗୀଙ୍କୁ ଭର୍ତ୍ତି କରି ଦେଉଛନ୍ତି ସିନା, ପରବର୍ତ୍ତୀ ସମୟରେ ଆୟୁଷ୍ମାନ କାର୍ଡକୁ ଗ୍ରହଣ କରୁନାହାନ୍ତି। ଫଳରେ ହସ୍‌ପିଟାଲର ଲମ୍ବା ଡାକ୍ତରୀ ଚିଠା ଓ ମୋଟା ବିଲ୍‌ ସାଧାରଣ ଗରିବ ଲୋକଙ୍କୁ ରାସ୍ତାର ଭିକାରୀ କରି ଦେଉଛି। ଏପରି ସ୍ଥଳରେ ବିଭିନ୍ନ ଡାକ୍ତରଖାନାରେ ରୋଗୀ ଓ ସେମାନଙ୍କ ପରିବାର ନବୀନ ସରକାରଙ୍କ ପ୍ରଚଳିତ ବିଜୁ ସ୍ୱାସ୍ଥ୍ୟ କାର୍ଡ(ବିଏସ୍‌କେୱାଇ)କୁ ଝୁରି ହେଉଛନ୍ତି। ଏପରି ଏକ ଘଟଣା ଦେଖିବାକୁ ମିଳିଛି ରାଜଧାନୀର ଆପୋଲୋ ହସ୍‌ପିଟାଲରେ। ଦୁର୍ଘଟଣାରେ ପୀଡ଼ିତ ଜଣେ ଯୁବକଙ୍କ ଚିକିତ୍ସା ପାଇଁ ତାଙ୍କ ପରିବାର ଡାକ୍ତରଖାନାରେ ପାଖାପାଖି ୬ ଲକ୍ଷ ଟଙ୍କା ଦେବା ପରେ ଆହୁରି ୧୧ ଲକ୍ଷ ଟଙ୍କା ଡାକ୍ତରଖାନା କର୍ତ୍ତୃପକ୍ଷ ଦାବି କରୁଛନ୍ତି। ଆୟୁଷ୍ମାନ କାର୍ଡରୁ ଅବଶିଷ୍ଟ ଅର୍ଥ ଭରଣା ପାଇଁ ରୋଗୀଙ୍କ ବାପାଙ୍କ ଗୁହାରି କର୍ତ୍ତୃପକ୍ଷ ଶୁଣୁ ନାହାନ୍ତି। ଶେଷରେ ବକେୟା ଫି ବଦଳରେ ତାଙ୍କ କିଡ୍‌ନୀ ନେଇ ପୁଅକୁ ଡାକ୍ତରଖାନାରୁ ମୁକ୍ତି ଦେବାକୁ ବିଚରା ବାପା ଗୁହାରି କରିଛନ୍ତି।

ଗତ ମାସ ୫ ତାରିଖରେ ଆଲୋକ ଜେନା ନାମକ ଜଣେ ବ୍ୟକ୍ତିଙ୍କ ଷ୍ଟୁଡିଓ ଛକ ନିକଟରେ ଦୁର୍ଘଟଣା ହୋଇଥିଲା। ତାଙ୍କର ଗୋଡ, ହାତ ଆଉ କାନ୍ଧ ବି ଭାଙ୍ଗିଯାଇଥିଲା। ଡାହାଣ ପଟ ଆଖି ନଷ୍ଟ ହୋଇଯାଇଥିଲା। ପୁଲିସ ଆଲୋକଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତିକରି ସାଙ୍ଗସାଥିଙ୍କୁ ସୂଚନା ଦେଇଥିଲା। ଆଲୋକଙ୍କ ବନ୍ଧୁମାନେ ତାଙ୍କର ଆୟୁଷ୍ମାନ କାର୍ଡ ଥିବା ଜାଣିବା ପରେ ସ୍ଥାନୀୟ ଆପୋଲୋ ହସ୍‌ପିଟାଲରେ ଭର୍ତ୍ତି କରିଦେଲେ। ସେଠାରେ ଚିକିତ୍ସା ଚାଲିଲା। ହେଲେ ପରବର୍ତ୍ତି ସମୟରେ ହସ୍ପିଟାଲ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ କାର୍ଡକୁ ଗ୍ରହଣ ନ କରିବାରୁ ଆଲୋକଙ୍କ ପରିବାର ଅସହାୟ ମନେ କଲେ। ଆଲୋକଙ୍କ ବାପା ଅମୂଲ୍ୟ ଘରର ସୁନାଗହଣା ବିକ୍ରି କରି ଓ ଅନ୍ୟଠାରୁ ଧାର ଆଣି ବର୍ତ୍ତମାନ ସୁଦ୍ଧା ହସ୍ପିଟାଲରେ ୫ଲକ୍ଷ ୯୩ ହଜାର ଟଙ୍କା ଜମା କରି ସାରିଲେଣି। ଏହା ପରେ ବି ହସ୍ପିଟାଲ କର୍ତ୍ତୃପକ୍ଷ ୧୧ଲକ୍ଷ ଟଙ୍କା ମାଗୁଛନ୍ତି। ସେମାନଙ୍କ ପାଖରେ ଟଙ୍କା ନ ଥିବାରୁ ଆୟୁଷ୍ମାନ କାର୍ଡରେ ସରକାର ଯୋଗାଇ ଦେଉଥିବା ୫ ଲକ୍ଷ ଟଙ୍କା କାଟି ରଖିବାକୁ ସେ ଅନୁରୋଧ କରିଥିଲେ ବି କେହି ତାଙ୍କ କଥା ଶୁଣୁ ନାହାନ୍ତି। ଶେଷରେ ଅମୂଲ୍ୟ ତାଙ୍କ ପାଖରେ ଆୟୁଷ୍ମାନ କାର୍ଡ ଓ ନିଜ କିଡ୍‌ନୀ ଛଡ଼ା ଆଉ କିଛି ନାହିଁ ବୋଲି ଉଲ୍ଲେଖ କରି ବକେୟା ଟଙ୍କା ବଦଳରେ ତାଙ୍କ କିଡ୍‌ନୀ ନେଇଯିବାକୁ ଆପୋଲୋ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଗୁହାରି କରିଛନ୍ତି । ନ ହେଲେ ତାଙ୍କୁ ଜେଲ ପଠାଇ ଦିଅନ୍ତୁ, ହେଲେ ବନ୍ଧା ପଡ଼ିଥିବା ପୁଅକୁ ମୁକୁଳାଇ ଦିଅନ୍ତୁ ବୋଲି ନେହୁରା ହୋଇଛନ୍ତି ।

ଏପଟେ ଟଙ୍କା ଦେଇ ନ ପାରିବାରୁ ହସ୍ପିଟାଲ କର୍ତ୍ତୃପକ୍ଷ ଚିକିତ୍ସାରେ ଅବହେଳା କରୁଥିବା ବାପା ଅଭିଯୋଗ କରିଛନ୍ତି। ଏପରିକି କିଛି ଆବଶ୍ୟକୀୟ ମେଡିସିନ୍‌କୁ ମଧ୍ୟ ବନ୍ଦ କରି ଦିଆଗଲାଣି। ଟଙ୍କା ନ ଦେଇ ନ ପାରିବାରୁ ଫିଜିଓଥେରାପି ବି କରାଯାଉ ନାହିଁ। ମାତ୍ର ପ୍ରତିଦିନ ଡାକ୍ତରଖାନା ବିଲ୍‌ ବଢ଼ି ବଢ଼ି ଚାଲିଛି। ଅମୁଲ୍ୟ କହିଛନ୍ତି ବିଜୁ ସ୍ୱାସ୍ଥ୍ୟ କାର୍ଡରେ ତୁରନ୍ତ ଚିକିତ୍ସା ହେଉଥିଲା। ମାତ୍ର ଏବେ ସରକାର ଏଭଳି ଏକ କାର୍ଡ ଆଣିଲେ ଯେ ତାହାକୁ ହସ୍ପିଟାଲ ଗ୍ରହଣ କରୁନାହିଁ। ଏହି କାର୍ଡ ଥାଇ କିଛି ଲାଭ ନାହିଁ। କାର୍ଡ କାମ କରୁ ନାହିଁ ବୋଲି ଜାଣିଥିଲେ ପୁଅର ସାଙ୍ଗସାଥି ଘରୋଇ ହସ୍ପିଟାଲରେ ଭର୍ତ୍ତି କରି ନ ଥାନ୍ତେ କିମ୍ବା ସେମାନେ ଏତେ ଅବସ୍ଥା ହୋଇ ନ ଥାନ୍ତେ ବୋଲି କୋହଭରା କଣ୍ଠରେ କହିଛନ୍ତି ଅମୂଲ୍ୟ।

ଏ ସମ୍ପର୍କରେ ଆପୋଲୋ ହସ୍‌ପିଟାଲ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରାଯିବାରେ ସେ ଡାକ୍ତରଖାନାରେ ଆୟୁଷ୍ମାନ କାର୍ଡ ଗ୍ରହଣ କରାଯାଉଥିବା ପ୍ରକାଶ କରିଛନ୍ତି। ମାତ୍ର ବେଡ୍‌ ନ ଥିବାରୁ ଲୋକେ ପ୍ରଥମରୁ କ୍ୟାସ (ନଗଦ ଅର୍ଥ)ରେ ଚିକିତ୍ସା ହେବେ ବୋଲି ସ୍ୱୀକୃତି ଦେଉଥିବା କ୍ଷେତ୍ରରେ ଆୟୁଷ୍ମାନ କାର୍ଡ ଗ୍ରହଣ କରାଯାଉ ନାହିଁ ବୋଲି କର୍ତ୍ତୃପକ୍ଷଙ୍କ ଉତ୍ତର ଅନେକ ପ୍ରଶ୍ନକୁ ଜନ୍ମ ଦେଇଛି। ଯଦି ଡାକ୍ତରଖାନାରେ ଶଯ୍ୟା ଖାଲି ନାହିଁ, ତେବେ ନଗଦ ଅର୍ଥ ଦେଉଥିବା ରୋଗୀଙ୍କୁ କିପରି ଭର୍ତ୍ତି କରାଯାଉଛି, ସେମାନଙ୍କ ପାଇଁ ଶଯ୍ୟା କେଉଁଠୁ ଆସୁଛି ବୋଲି ପ୍ରଶ୍ନବାଚୀ ସୃଷ୍ଟି କରିଛି ।

About The Author: The Sakala