ଭୁବନେଶ୍ବର: ଆଜି ବିଧାନସଭା ମୌସୁମୀ ଅଧିବେଶନର ତୃତୀୟ ଦିନ । ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ଫଳରେ ବାରସ୍ପତି ଗୃହକାର୍ଯ୍ୟ ୧୨ଟା ଯାଏ ମୁଲତବି ରଖିଥିଲେ। ଏଥିସହ ଗୃହର ସୁପରିଚାଳନା ପାଇଁ ସର୍ବଦଳୀୟ ବୈଠକ ଡାକାଇଥିଲେ ବାଚସ୍ପତି। ହେଲେ ପୁଣି ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ କରିଥିଲେ। ଫଳରେ ଗୃହକାର୍ଯ୍ୟକୁ ୪ଟା ଯାଏ ମୁଲତବି ରଖାଯାଇଛି।
ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି ଯେ, ଅତି ଦୁର୍ଭାଗ୍ୟଜନକ କଥା ଯେ ଆଜି ବି ଗୃହ ଚଳାଇ ଦେଲେନି ବିଜେପି। ଗୃହ ପରିଚାଳନରେ ବିରୋଧୀ ଦଳ ଭାବେ ସେମାନଙ୍କର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ପ୍ରଶ୍ନଉତ୍ତର କାଳ। ହେଲେ ସେମାନେ ଚଳାଇ ଦେଲେନି।
ସେହିପରି କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି ଯେ, ବିଧାନସଭା ଲୋକଙ୍କ ଟିକସରେ ଚାଲେ । ଆମେ ଆଲୋଚନା ଚାହୁଁଛୁ । ହେଲେ ବିଜେପି ବନ୍ଦ କରି କଣ୍ଠରୋଧ କରୁଛି।
ସମାନ ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। ସେ କହିଛନ୍ତି ଯେ, ଗୃହକୁ BJP ଚଳାଇ ଦେଉନାହିଁ । ଗୃହର ମୂଲ୍ୟବାନ ସମୟ ନଷ୍ଟ କରୁଛି। କେବଳ ଡ୍ରାମା କରୁଛି ବିଜେପି। ଜାଣିଶୁଣି ଗୃହକୁ ଚଳାଇଦେଉନାହିଁ । ପ୍ରଶ୍ନକାଳ ହେଉଛି ବିଧାନସଭାର ଗୁରୁତ୍ବ ପୂର୍ଣ୍ଣ ସମୟ। ତେଣୁ ଏହାକୁ ବନ୍ଦ ନକରାଯାଉ ବୋଲି ସେ ସବୁ ଦଳକୁ ଅନୁରୋଧ କରିଛନ୍ତି।