ଗଞ୍ଜାମ CDOଙ୍କୁ ଦୁର୍ବ୍ୟବହାର ଓ ଧମକ ଅଭିଯୋଗ, ଆସିକା ବିଧାୟକଙ୍କ ବିରୋଧରେ ଏତଲା

ଗଞ୍ଜାମ: ଗଞ୍ଜାମ CDOଙ୍କୁ ର୍ଦୁବ୍ୟବହାର ଅଭିଯୋଗ । ଆସିକା ବିଧାୟକଙ୍କ ସରୋଜ ପାଢ଼ୀଙ୍କ ବିରୋଧରେ ଆସିଛି ସଙ୍ଗିନ ଅଭିଯୋଗ। ଗଞ୍ଜାମ ଜିଲ୍ଲା ପରିଷଦ ଉନ୍ନୟନ ଅଧିକାରୀ ତଥା ସିଡିଓ ସମୀର କୁମାର ଜେନା ଆସିକା ବିଧାୟକ ସରୋଜ ପାଢ଼ୀଙ୍କ ବିରୋଧରେ ଥାନାରେ ଏକ ଆନୁଷ୍ଠାନିକ ଅଭିଯୋଗ କରିଛନ୍ତି। ବିଧାୟକ ତାଙ୍କୁ ଦୁର୍ବ୍ୟବହାର କରିବା ସହ ଧମକ ଦେଇଥିବା ନେଇ ସିଡିଓ ଅଭିଯୋଗ ଆଣିଛନ୍ତି।

ସୂଚନା ଅନୁସାରେ, ନିକଟରେ ହୋଇଥିବା ବନ୍ୟା ଏବଂ ବାତ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତି ପରେ ଜରୁରୀକାଳୀନ ସହାୟତା ବଣ୍ଟନକୁ ନେଇ ଏହି ବିବାଦ ସୃଷ୍ଟି ହୋଇଥିଲା। ରିଲିଫ ବଣ୍ଟନ ପ୍ରକ୍ରିୟାରେ ମତାନ୍ତର ହେବା ପରେ ଜନପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ତିକ୍ତତା ଦେଖାଦେଇଥିଲା। ଏହାକୁ ନେଇ ସିଡିଓ ସମୀର କୁମାର ଜେନା ପୋଲିସର ଦ୍ୱାରସ୍ଥ ହୋଇ ନିଜର ସୁରକ୍ଷା ଓ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଏହି ଘଟଣା ପରେ ରାଜନୈତିକ ମାହୋଲ ସରଗରମ ହୋଇଛି। ଅଭିଯୋଗ ହେବା ପରେ ଆସିକା ବିଧାୟକ ସରୋଜ ପାଢ଼ୀ ଭୁବନେଶ୍ୱର ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO) ରେ ପହଞ୍ଚିଛନ୍ତି। ଏହି ସମୟରେ ସେଠାରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ଉପସ୍ଥିତ ଥିଲେ। ପ୍ରଶାସନ ଏବଂ ରାଜନୈତିକ ନେତୃତ୍ୱ ମଧ୍ୟରେ ସୃଷ୍ଟି ହୋଇଥିବା ଏହି ବିବାଦର ସମାଧାନ ପାଇଁ ଏବଂ ସ୍ଥିତିର ସମୀକ୍ଷା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିବା ଜଣାପଡ଼ିଛି।

About The Author: Madhusudan Das