ପ୍ରେମ-ପ୍ରତାରଣା ଓ ଠକେଇ ଅଭିଯୋଗରେ ଅଭିନେତା ତଥା ପ୍ରଯୋଜକ ରାକେଶ ପାଢୀ ଥାନାରେ ଅଟକ

ଭୁବନେଶ୍ୱର: ପ୍ରେମ ପ୍ରତାରଣା ଅଭିଯୋଗରେ ଅଭିନେତା ତଥା ଫିଲ୍ମ ପ୍ରଯୋଜକ ଅଟକ । ବିବାହ କରିବା ଆଳରେ ଟଙ୍କା ନେଇ ଠକିଥିବା ନେଇ ଅଭିଯୋଗ। ଅଭିଯୋଗ ଆଧାରରେ ପ୍ରଯୋଜକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ। ଅଟକ ପ୍ରଯୋଜକ ହେଉଛନ୍ତି ରାକେଶ କୁମାର ପାଢ଼ୀ  । ଭରତପୁର ଥାନାରେ ଅଭିଯୋଗ ପରେ ଗତକାଲି ରାତିରେ ରାକେଶଙ୍କୁ ଉଠାଇ ନେଇଛି ପୋଲିସ । ପୀଡିତାଙ୍କ ବୟାନ ଆଧାରରେ ତଦନ୍ତକୁ ବ୍ୟାପକ କରିଛି ଭରତପୁର ଥାନା ପୋଲିସ । 

ସୂଚନା ମୁତାବକ ପୀଡିତାଙ୍କ ସହ ଏକ ପାର୍ଟିରେ ଦେଖା ହେବା ପରେ ସମ୍ପର୍କ ବଢିଥିଲା । ପରେ ଉଭୟଙ୍କ ସମ୍ପର୍କ ନିବିଡ଼ତା ମଧ୍ୟ ବଢିଥିଲା । ଏହି ସୁଯୋଗରେ ବିବାହର ପ୍ରତାରଣା କରି ତାଙ୍କ ଠାରୁ ପର୍ଯ୍ୟାୟ କ୍ରମେ ୫ଲକ୍ଷ ଟଙ୍କା ନେଇଥିଲେ । ପରେ ଆଉ ଧରାଛୁଆଁ ଦେଉନଥିଲେ ବୋଲି ଥାନାରେ ଅଭିଯୋଗ ହୋଇଛି। 

ଅଭିଯୋଗ ଅନୁସାରେ, ବିବାହର ମିଥ୍ୟା ପ୍ରତିଶ୍ରୁତି ଏବଂ ଚଳଚ୍ଚିତ୍ରରେ କାମ ଦେବା ବାହାନାରେ ରାକେଶ ଯୁବତୀଙ୍କଠାରୁ ବିଭିନ୍ନ ପର୍ଯ୍ୟାୟରେ ପ୍ରାୟ ୫ ଲକ୍ଷ ଟଙ୍କା ହଡ଼ପ କରିଥିଲେ। ତେବେ ଟଙ୍କା ପାଇବା ପରେ ରାକେଶ ନିଜର ରଙ୍ଗ ବଦଳାଇବା ଆରମ୍ଭ କରିଥିଲେ। ସେ ଯୁବତୀଙ୍କୁ ବିବାହ କରିବାକୁ ମନା କରିଦେବା ସହ ତାଙ୍କ ସହ ସମସ୍ତ ଯୋଗାଯୋଗ ବିଚ୍ଛିନ୍ନ କରିଦେଇଥିଲେ।

ଠକାମିର ଶିକାର ହୋଇଥିବା ଅନୁଭବ କରି ଯୁବତୀଜଣକ ଭରତପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ମଙ୍ଗଳବାର ରାତିରେ କମିଶନରେଟ ପୋଲିସ ପଟିଆ ସ୍ଥିତ ଫ୍ଲାଟରୁ ରାକେଶଙ୍କୁ ଉଠାଇନେବା ସହ ଅଟକ ରଖି ପଚରାଉଚରା କରୁଛି ।

About The Author: Madhusudan Das